ରୁପାନୀଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ୱର: ଗୁଜୁରାଟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶାର ଖୁବ୍ ଶୀଘ୍ର ଅବସାନ ହେବ । ସମସ୍ତଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହୋଇଛନ୍ତି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିଲ୍ଲୀରୁ ଯୋଗ ଦେଇଥିଲେ ।
ନିଷ୍ପତ୍ତି ଅନୁଯାୟୀ, ଗୁଜୁରାଟରୁ ଓଡ଼ିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯିବ । ଦୁଇ ରାଜ୍ୟରୁ ଦୁଇ ଜଣ ବରିଷ୍ଠ ଅଫିସର ଏଥିରେ ରହିବେ । ଓଡ଼ିଆ ଶ୍ରମିକମାନେ କେବେ ଓ କିଭଳି ଓଡ଼ିଶା ଆସିବେ ତାହା ଏହି ଦୁଇଜଣିଆ କମିଟି ସ୍ଥିର କରିବେ ।
ସେମାନଙ୍କୁ ବସ୍ ଯୋଗେ ଓଡ଼ିଆ ଫେରାଇ ଆଣିବାକୁ ଆପାତତଃ ବ୍ୟବସ୍ଥା କରାଯାଉଥିବା ଆଲୋଚନାରୁ ସ୍ପଷ୍ଟ ହୋଇଛି । ଗୁଜୁରାଟରୁ ଶ୍ରମିକମାନଙ୍କୁ ଆଣିବାକୁ ଥିବା ବସ୍ ର ରୋଡ୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆବଶ୍ୟକ ପଡ଼ିଲେ, ଅନ୍ୟ ପରିବହନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବିଚାର କରାଯିବ ।
ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ସେମାନେ ପହଞ୍ଚିବା ପରେ ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବେ । ମାଗଣାରେ ଖାଇବା ଓ ରହିବାକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି ।