ଭୁବନେଶ୍ୱର: ରାଉରକେଲାରୁ ୩ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୭ ବର୍ଷର ଜଣେ ମହିଳା ଥିବା ବେଳେ ୨୩ ବର୍ଷର ଜଣେ ଯୁବକ ଏବଂ ୬୦ ବର୍ଷର ଜଣେ ବ୍ୟକ୍ତି ଅଛନ୍ତି । ଦୁଇଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟ ଜଣଙ୍କ ମଧ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ରାଉରକେଲାର ଏହି ୩ ନୂଆ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳରେ ପୂର୍ବରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ସମସ୍ତେ ସୁସ୍ଥ ହୋଇଗଲେଣି । ମାତ୍ର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏବେ ଜିଲ୍ଲାର ଆଉ ୩ ଜଣ ସଂକ୍ରମିତ ହେବା ଖବର ସମସ୍ତଙ୍କ ଟେନସନ୍ ବଢ଼ାଇଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ।
ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇସାରିଲେଣି । ଏବେ ସୁଦ୍ଧା ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଅଛନ୍ତି ।