ଭୁବନେଶ୍ୱର: ମନ ଓ ଶରୀର ନିସ୍ତେଜପ୍ରାୟ । ଦେହର ଚମ ମଳିନ ପଡ଼ିଗଲାଣି । ମୁହଁରେ ନିଶ ଦାଢ଼ି ଅମାନିଆ ହୋଇଯାଇଛନ୍ତି । ଲାଗୁଛି ବର୍ଷେ ହେଲା ପେଟରେ ଦାନା ପଡ଼ିନି । ଦିନ ରାତି ଅସହ୍ୟ ଯନ୍ତ୍ରଣା । ହସ୍ପିଟାଲ୍ ବେଡ଼ ରୁ ଉଠିବାର ଶକ୍ତି ନାହିଁ । ନିଜ ଲୋକଙ୍କୁ ଦେଖିଲେ ଆଖିରୁ ଝର ଝର ଲୁହ ବାହାରି ଆସୁଛି । ଅତୀତ କଥା ମନେ ପକାଇ ଭୋ ଭୋ କାନ୍ଦୁଛନ୍ତି । ରୋଗୀଙ୍କ ସେବାରେ ଯେଉଁ ହସ୍ପିଟାଲ୍ କୁ ରାତି ପାହିଲେ ଧାଉଁଥିଲେ ସେହି ହସ୍ପିଟାଲ୍ ରେ ଆଜି ସେ ନିଜେ ପଡ଼ିଛନ୍ତି ରୋଗୀ ହୋଇ । ୮ ମାସ ହେଲାଣି ମୃତ୍ୟୁ ସହ ଚାଲିଛି ଲଢ଼େଇ । ଆଉ ବଞ୍ଚିବାକୁ ବି ତାଙ୍କର ଇଚ୍ଛା ନାହିଁ ।
କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଏବେକାର ବାସ୍ତବ ଜୀବନ କାହାଣୀ ଇଏ । ଚିକିତ୍ସାଧୀନ ପ୍ରଭାତଙ୍କର ଆଜି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସିଟି ସ୍କାନ୍ କରିବାକୁ ଅଣାଯାଇଥିଲା । ସିଟି ସ୍କାନ୍ ରୁ ଫେରିଲା ବେଳେ ଟିଭି କ୍ୟାମେରା ଦେଖି ନିଜ କୋହକୁ ନିୟନ୍ତ୍ରଣ କରିପାରିଲେନି ପ୍ରଭାତ । ‘ମତେ ନିସ୍ତେଜ ଲାଗୁଛି । ଆଉ ବଞ୍ଚିବାର ଇଚ୍ଛା ନାହିଁ’ ବୋଲି ନିଜର ମନ କଥା ଖୋଲି କହିଥିଲେ । ଆଖିରୁ ତାଙ୍କର ଲୁହ ଜକେଇ ଆସିଥିଲା । ସର୍ବଦା ଚଳଚଞ୍ଚଳ ଏହି ତିନି ତିନି ଥରର ବିଧାୟକଙ୍କର ଏଭଳି ଅବସ୍ଥା ଆଜି ସମସ୍ତଙ୍କୁ ଭାବାବେଗ କରିଥିଲା । ମନ ଓ ଶରୀରର ପ୍ରବଳ କଷ୍ଟକୁ ପ୍ରଭାତ ପ୍ରକାଶ କରିପାରୁ ନ ଥିଲେ ମଧ୍ୟ ତାହା ଫୁଟି ବାହାରୁଥିଲା । ତାଙ୍କର ଓଦା ଆଖି କହୁଥିଲା ସେ କେତେ ନିସ୍ତେଜ ।
ସିିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ପ୍ରଭାତ । ରକ୍ତଚାପ ବଢ଼ିଯିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳୀରେ ସଂକ୍ରମଣ ଯୋଗୁଁ ଅପରେସନ୍ ହୋଇଥିଲା । ଗିରଫ ପରେ ପୁରୁଣା ରୋଗ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇପଡ଼ିଥିଲେ ସେ । ମଝିରେ ନିଜ ଲୋକଙ୍କୁ ସେ ଠିକ୍ ଭାବେ ଚିହ୍ନି ପାରୁ ନଥିଲେ । ଯାହାକୁ ଦେଖିଲେ ପ୍ରଳାପ କରୁଥିଲେ । ଗତ ଏପ୍ରିଲ୍ ୨୪ ତାରିଖରେ ହାଇକୋର୍ଟ ତାଙ୍କୁ ଦୁଇ ମାସର ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ମାତ୍ର ଜାମିନ୍ ମିଳିବା ସତ୍ତ୍ୱେ ଚିକିତ୍ସା କାରଣରୁ ଘରକୁ ଫେରି ପାରୁନାହାନ୍ତି ପ୍ରଭାତ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସଠିକ ଖବର ଜଣାପଡ଼ି ନ ଥିଲେ ମଧ୍ୟ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା ଅବସ୍ଥାରେ ସେ ନାହାନ୍ତି ।
ସୂଚନାଯୋଗ୍ୟ, ସିସୋର୍ ମାଲିକ ପ୍ରଶାନ୍ତ ଦାସଙ୍କ ସହ ୨୫ ଲକ୍ଷ ଟଙ୍କାର ଜମି କିଣାବିକା କାରବାରେ ଫସିଛନ୍ତି ଏକଦା ବିଜେଡ଼ିର ପାୱାରଫୁଲ୍ ଏମଏଲଏ ପ୍ରଭାତ ବିଶ୍ୱାଳ । ୩ ବର୍ଷ ଧରି ସିବିଆଇ ଏହାର ଖୋଳତାଡ଼ କରିବା ପରେ ତାଙ୍କୁ ଶେଷରେ ଗିରଫ କରିଥିଲା । ସେହି ମାମଲାରେ ସେ ନିର୍ଦୋଷ ବୋଲି ପ୍ରଭାତ ବାରମ୍ବାର ସଫେଇ ଦେଇଛନ୍ତି । ଏପରିକି ହସ୍ପିଟାଲ୍ ବେଡ୍ ରେ ପଡ଼ି ନିଜକୁ ନିର୍ଦୋଷ କହି ପ୍ରଳାପ କରୁଛନ୍ତି ।