ଭୁବନେଶ୍ୱର: କୋରାପୁଟକୁ ଡେଇଁଛି କରୋନା । ଜିଲ୍ଲାରୁ ପ୍ରଥମ ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । କୋରାପୁଟ- ରାୟଗଡ଼ା ସୀମାନ୍ତ ଦଶମନ୍ତପୁରର ଜଣେ ୨୨ ବର୍ଷର ପୁରୁଷ ଷ୍ଟାଫ୍ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଲକ୍ଷଣ ନ ଥାଇ ବି ତାଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ବଡ଼କଥା ହେଉଛି, ନିଜ କାର୍ଯ୍ୟରେ ଯୋଗଦେବାକୁ ଏପ୍ରିଲ୍ ୧୪ ତାରିଖରେ ସେ କୋଲକତାରୁ ଫେରିଥିଲେ । ସେ କ୍ୱାରେଣ୍ଟାଇନ୍ ରେ ଥିଲେ ଏବଂ କୌଣସି ଲକ୍ଷଣ ନ ଥିଲା । ମାତ୍ର ଟ୍ରାଭେଲ୍ ହିଷ୍ଟ୍ରି ସକାଶେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା ।
ସେହିପରି ବାଲେଶ୍ୱର ଜିଲ୍ଲାରୁ ୩୨ ବର୍ଷର ଆଉ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ମଧ୍ୟ ପଶ୍ଚିମବଙ୍ଗ ଲିଙ୍କ୍ ଅଛି । ଏହାପୂର୍ବରୁ ଆଜି ସକାଳେ ବାଲେଶ୍ୱରରୁ ୪ ମହିଳା ଓ ଜଣେ ଯୁବକଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ମୋଟାମୋଟି ଭାବେ ରାଜ୍ୟର ୧୧ତମ ରାଜ୍ୟ ଭାବେ କୋରାପୁଟକୁ କରୋନା ଡେଇଁଥିବା ବେଳେ ବାଲେଶ୍ୱରରୁ ଆଜି ଦିନରେ ୬ ଜଣଙ୍କୁ ମିଶାଇ ୧୬ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି । ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇ ଆଜି ଘରକୁ ଫେରିଥିବାରୁ ସୁସ୍ଥଙ୍କ ସଂଖ୍ୟା ୩୭ ହୋଇଛି । ତେବେ ଆଉ ଦୁଇ ପଜିଟିଭ୍ ଆସିଥିବାରୁ ଆକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ରହିଛି ।