ପରିସ୍ଥିତି ପରମିଟ୍ କରୁନି । ତେଣୁ ଯେତେ ଦୂର ଆଶା, ମେ’ 3 ତାରିଖ ଆଗକୁ ମଧ୍ୟ ବଢ଼ିପାରେ ଲକ୍ ଡାଉନ୍ । ଯେଉଁ ସବୁ ଅଞ୍ଚଳରେ ପରିସ୍ଥିତି ଗୁରୁତର ରହିଛି, ସେସବୁ ଅଞ୍ଚଳରେ ଲକ୍ ଡାଉନ୍ ବଢ଼ିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନାରୁ ଏମିତି କିଛି ସଙ୍କେତ ମିଳିଛି । ହଟ୍ ସ୍ପଟ୍ ଜୋନରେ ଲକ୍ ଡାଉନ୍ କଟକଣା, କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ. ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ତେବେ କରୋନା ପ୍ରଭାବକୁ ବିଚାରକୁ ନେଇ କେଉଁ ସବୁ ଅଞ୍ଚଳରୁ ଲକ୍ ଡାଉନ୍ ଖୋଲାଯିବ, ସେନେଇ ରାଜ୍ୟ ସରକାର ଗୁଡ଼ିକ ନିଷ୍ପତ୍ତି ନେବେ । ରେଡ୍, ଅରେଞ୍ଜ୍ ଏବଂ ଗ୍ରୀନ୍ ଜୋନ୍ ଘୋଷଣା କରିବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀମାନଙ୍କ ଉପରେ ଛାଡ଼ି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଲକ୍ ଡାଉନ୍ ଯୋଗୁଁ ଆମ ଦେଶରେ କରୋନା ସ୍ଥିତି, ଅନେକ ମାତ୍ରାରେ ଦବିକି ରହିଛି । ଆଗକୁ ଏହା ଉଗ୍ର ରୂପ ନେବା ସମ୍ଭାବନା ରହୁଛି । ତେଣୁ ଜନ ସାଧାରଣ ଅଧିକରୁ ଅଧିକ ସତର୍କ ହୋଇ ଚଳିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦୁଇ ଗଜ ବା 6 ଫୁଟ୍ ଦୂରତା ମନ୍ତ୍ରକୁ ଦୋହରାଇଛନ୍ତି ସେ । ସେହିଭଳି କରୋନା ସମ୍ପୂର୍ଣ୍ଣ ଦମନ ନହେବା ପର୍ଯ୍ୟନ୍ତ ମୁହଁରୁ ଯେମିତି ମାସ୍କ ନଖସେ, ସେନେଇ ଚେତାଇ ଦେଇଛନ୍ତି ।
ମାସେରୁ ଅଧିକ ସମୟ ହେବ, ସାରା ଦେଶ ଲକ୍ ଡାଉନରେ ଅଛି । ବେପାର, ବଣିଜ ପୂରା ଠପ୍ । ଅର୍ଥନୀତିକୁ ନେଇ ସବୁ ମହଲରେ ଚିନ୍ତା । ତେବେ ଦେଶର ଅର୍ଥନୀତି ଠିକ୍ ଥିବା ମୁଖ୍ୟମନ୍ତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥନୀତି ସହ କରୋନା ବିପକ୍ଷ ଲଢେଇକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । କମ୍ ପ୍ରଭାବ ଥିବା କିମ୍ବା ଆଦୌ ପ୍ରଭାବ ନଥିବା ସ୍ଥାନଗୁଡ଼ିକୁ ଅରେଞ୍ଜ କିମ୍ବା ଗ୍ରୀନ୍ ଜୋନ୍ ଘୋଷଣା କରାଯାଇ, ସେଠାରେ ଆର୍ଥିକ କାରବାରକୁ ସୁଯୋଗ ଦିଆଯିବ । ତେବେ ରେଡ୍ ଜୋନ୍ ଗୁଡ଼ିକ ଯେମିତି ଖୁବ୍ ଶୀଘ୍ର ଅରେଞ୍ଜ କିମ୍ବା ଗ୍ରୀନ୍ ହେବ, ସେନେଇ ରାଜ୍ୟ ସରକାରମାନେ, ତ୍ୱରିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମେ’ 3 ତାରିଖ ପରେ ଜୋନରେ ବିଭକ୍ତ ହେବ ଦେଶର ବିଭିନ୍ନ ଅଞ୍ଚଳ । ତେବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଆଉ କିଛି ଦିନ ବନ୍ଦ ରହିପାରେ । ଘରୋଇ ଟ୍ରାନ୍ସପୋର୍ଟକୁ ସର୍ତ୍ତଭିତ୍ତିକ ସୁବିଧା ମିଳିପାରେ ।
ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ଓଡ଼ିଶା ସମେତ ଆଉ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଆମ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଦାବି ରଖିଥିଲେ । ୧. ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଯତ୍ନ ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କୁ କୁହାଯାଉ । ୨. ଫସିଥିବା ଶ୍ରମିକ, ଛାତ୍ର, ବୃତ୍ତିଜୀବୀ, ତୀର୍ଥଯାତ୍ରୀମାନେ ସହଜରେ ଫେରି ଆସିବା ପାଇଁ ଜାତୀୟସ୍ତରରେ ଏସଓପି ହେଉ । ୩. କୋଭିଡ୍ ନମୁନା ପରୀକ୍ଷଣ ବ୍ୟବସ୍ଥା ବୃଦ୍ଧି କରାଯାଉ ।
ତେବେ ପ୍ରଧାନମନ୍ତ୍ରୀ- ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସିଂ ଆଲୋଚନା ପରେ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ ଡାକି ଲକ୍ ଡାଉନ୍ ମାସେ ବଢ଼ାଇବା ସପକ୍ଷରେ କହି ସମସ୍ତଙ୍କୁ ବିଭ୍ରାନ୍ତରେ ପକାଇଛନ୍ତି । କିଛି ସମୟ ପରେ ମନ୍ତ୍ରୀ ପୁଣି ଥରେ ସାମ୍ବାଦିକମାନଙ୍କୁ ଡାକି ବୟାନ ବଦଳାଇବାରୁ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ରିପୋର୍ଟ : ବରେନ୍ଦ୍ର କୃଷ୍ଣ ସାହୁ