ଭୁୁବନେଶ୍ୱର: କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ପଞ୍ଚପଲ୍ଲୀର ୬୦ ବର୍ଷ ବୟସ୍କ ଜଣେ ପୁରୁଷ, ଦେବଗଡ଼ ବାସୁଦେବପୁରର ୩୪ ବର୍ଷର ଜଣେ ଯୁବକ ଏବଂ ଝାରସୁଗୁଡ଼ା ବ୍ରଜରାରଜନଗରର ୧୮ ବର୍ଷର ଜଣେ ଯୁବତୀ । ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଛନ୍ତି । କିନ୍ତୁ କାହାର ଲକ୍ଷଣ ନାହିଁ ।
ଏପଟେ ଆଜି ସକାଳୁ ଭୁବନେଶ୍ୱର ମଧୁସୂଦନ ନଗରରୁ ଜଣେ ୭୭ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଅପରାହ୍ନରେ ଭୁବନେଶ୍ୱରର ଆଉ ଜଣେ ପୂର୍ବ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।
ପୂର୍ବରୁ ୧୧ଟି ଜିଲ୍ଲାରେ କରୋନା ପଜିଟିଭ୍ ବାହାରିଥିଲା । ଆଜି ତିନୋଟି ନୂଆ ଜିଲ୍ଲାରେ ପଜିଟିଭ୍ କେସ୍ ଆସିବା ପରେ କରୋନା ସଂକ୍ରମିତ ଜିଲ୍ଲା ସଂଖ୍ୟା ୧୪ ହୋଇଛି ।