ଭୁବନେଶ୍ୱର: ମାଓ ଦମନ କ୍ଷେତ୍ରରେ ରାଜ୍ୟ ସରକାର ଅଶେଷ ସଫଳତା ହାସଲ କରିଛନ୍ତି । ଆଉ ୫ଟି ଜିଲ୍ଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଏବେ ମାଓମୁକ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ମାଓ ଇଲାକାରେ ସୁରକ୍ଷାଜନିତ ଖର୍ଚ୍ଚ ବା ଏସଆରଇ ସ୍କିମ୍ ରୁ ଏହି ୫ ଟି ଜିଲ୍ଲାକୁ ବାଦ୍ ଦେବା ପାଇଁ ରାଜ୍ୟ ସରକାର ଆଜି ଅନୁମୋଦନ ଦେଇଛନ୍ତି ।
୨୦୧୨ ମସିହାରେ ରାଜ୍ୟର ୧୯ ଟି ଜିଲ୍ଲା ଥିଲା ମାଓ ପ୍ରବଣ । ୨୦୧୮ ମସିହାରେ ୬ ଜିଲ୍ଲା ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ରାଜ୍ୟ ସରକାର ମାଓମୁକ୍ତ ଘୋଷଣା କରିଥିଲେ । ଫଳରେ ଏସଆରଇ ସ୍କିମ୍ ରୁ ଏହି ଜିଲ୍ଲାଗୁଡ଼ିକ ବାଦ ଦିଆଯାଇଥିଲା । ଏବେ ଆଉ ୫ ଟି ଜିଲ୍ଲାକୁ ମିଶାଇ ମାତ୍ର ଦୁଇବର୍ଷ ଭିତରେ ରାଜ୍ୟର ୧୧ଟି ଜିଲ୍ଲା ମାଓମୁକ୍ତ ହୋଇପାରିଛି ।
ପୁଲିସର ବ୍ୟାପକ କାର୍ଯ୍ୟାନୁଷ୍ଠାନ ଏବଂ ଉପଦ୍ରୁତ ଇଲାକାରେ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଲୋକଙ୍କୁ ସରକାରଙ୍କ ସହ ଅଧିକରୁ ଅଧିକ ଯୋଡିବାରେ ସକ୍ଷମ ହୋଇଥିବା କୁହାଯାଇଛି । ରାଜ୍ୟ ସରକାରଙ୍କ ବିକାଶ ଏଜେଣ୍ଡାକୁ ସ୍ଥାନୀୟ ଅଞ୍ଚଳରୁ ବ୍ୟାପକ ସମର୍ଥନ ମିଳୁଥିବାରୁ ଏହା ସମ୍ଭବ ହୋଇପାରିଛି ।