ଭୁବନେଶ୍ୱର: ରାଜଧାନୀର କେନ୍ଦ୍ରସ୍ଥଳ ବାପୁଜୀନଗର ମୁଖ୍ୟ ରାସ୍ତା କଡ଼ରେ ଥିବା ‘ରାଜ୍ ଇଲେକଟ୍ରୋନିକ୍ସ’ ପାଇଁ କାମ କରିନି ବିଏମସିର କୋଭିଡ୍ କଟକଣା । ଦୋକାନର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ବିଏମସି କର୍ତ୍ତୃପକ୍ଷ ସଂପୃକ୍ତ ଦୋକାନକୁ ୧୪ ଦିନ ପାଇଁ ସିଲ୍ କରି ସବୁ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ ପଠାଇଥିଲେ । ଆଶ୍ଚର୍ଯ୍ୟର କଥା, ୭ ଦିନ ନ ପୂରୁଣୁ ବିଏମସିର ତାଲାବନ୍ଦ ଓ କ୍ୱାରେଣ୍ଟାଇନ୍ ନୋଟିସ୍ ହଟିଯାଇଛି । ଗ୍ରାହକଙ୍କ ଭିଡ଼ ସହ ଦୋକାନରେ ଚାଲିଛି ଖୁଲମ୍ ଖୋଲା ବେପାର । ରାଜଧାନୀରେ କରୋନା ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସହରର ଏହି ପ୍ରମୁଖ ଦୋକାନ କ୍ୱାରେଣ୍ଟାଇନ୍ ନିୟମର ଧ୍ୱଜା ଉଡ଼ାଇଛି ।
ଗତ ୧ ତାରିଖରେ ‘ରାଜ୍ ଇଲେକଟ୍ରୋନିକ୍ସ’ ର ଜଣେ କର୍ମଚାରୀଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ପରଦିନ ବିଏମସି ପକ୍ଷରୁ ଉକ୍ତ ଦୋକାନକୁ ସିଲ୍ କରାଯାଇ ନୋଟିସ୍ ଟଙ୍ଗାଗଲା । ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଦୋକାନକୁ ସିଲ୍ (ହୋମ୍ କ୍ୱାରେଣ୍ଟାଇନ୍) କରାଯାଇ ପ୍ରଶାସନର ନିରୀକ୍ଷଣରେ ରଖାଗଲା ବୋଲି ନୋଟିସ୍ ରେ ଉଲ୍ଲେଖ ରହିଲା । ତେବେ ୭ ତାରିଖ ଦିନ ଦୋକାନ ଖୋଲାଥିବା ଦେଖିବାକୁ ମିଳିଲା । ପଚାରିବାରୁ ଉତ୍ତର ମିଳିଲା, ଦୋକାନକୁ ଆମେ ସାନିଟାଇଜ୍ କରୁଛୁ । ଆଉ ଦିନକ ପରେ ଗତକାଲିଠାରୁ ଦୋକାନରେ ସ୍ୱାଭାବିକ ବେପାର ଆରମ୍ଭ ହୋଇଛି ।
୧୪ ତାରିଖ ଯାଏଁ କଟକଣା ଥିଲେ ମଧ୍ୟ ଆପଣଙ୍କୁ ଦୋକାନ ଖୋଲିବାକୁ କିଏ ଅନୁମତି ଦେଲା ବୋଲି ଆଜି ଆମ ପ୍ରତିନିଧି ଦୋକାନର ମ୍ୟାନେଜର୍ ଙ୍କୁ ପଚାରିବାରୁ ସେ ଥତମତ ହୋଇଥିଲେ । ବିଏମସିର ଅନୁମତି ଆଣିଛୁ ବୋଲି ଅସ୍ପଷ୍ଟ ଉତ୍ତର ଦେଇଥିଲେ ମଧ୍ୟ ବିଏମସିର ଅନୁମତି କାଗଜ ଦେଖାଇ ପାରି ନ ଥିଲେ ।
ସେପଟେ ଦାୟିତ୍ୱରେ ଥିବା ବିଏମସି ଅଧିକାରୀ ପୁରନ୍ଦର ନନ୍ଦଙ୍କୁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ଆମକୁ କିଛି ଉତ୍ତର ମିଳିଲା ନାହିଁ । କରୋନା ସଂକ୍ରମଣ ଦୃଷ୍ଟିରୁ ସିଲ୍ ହୋଇଥିବା ଗୋଟେ ଦୋକାନ କ୍ୱାରେଣ୍ଟାଇନ୍ ଅବଧି ପୂର୍ବରୁ ଖୋଲିପାରିବ ନାହିଁ ଏହା ସ୍ପଷ୍ଟ ହୋଇଥିଲେ ମଧ୍ୟ ‘ରାଜ୍ ଇଲେକଟ୍ରୋନିକ୍ସ’ କ୍ଷେତ୍ରରେ ଏହା କିଭଳି ସମ୍ଭବ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଏମସି କର୍ତ୍ତୃପକ୍ଷଙ୍କ ବିନା ଜ୍ଞାତସାରରେ ଏହା ଯେ ସମ୍ଭବ ତାହା ବିଶ୍ୱାସଯୋଗ୍ୟ ନୁହେଁ । ସୁତରାଂ ଜନସ୍ୱାସ୍ଥ୍ୟ ସମ୍ପର୍କିତ ସ୍ପର୍ଶକାତର ପ୍ରସଙ୍ଗରେ ବି ଏମିତି ବାଛବିଚାରର ଖେଳ ହୋଇପାରେ ତାହା ଏଥିରୁ ସ୍ପଷ୍ଟ ।
ଖୋଦ୍ ଭୁବନେଶ୍ୱରରେ ଏବେ କରୋନାର ସଙ୍ଗୀନ ସ୍ଥିତି । କୋଭିଡ୍ ମୁକାବିଲା ପାଇଁ ବିଏମସି କୁଆଡ଼େ ଝାଳନାଳ ହେଉଛି । ତେବେ ଖୋଦ୍ ବିଏମସି ନାକତଳେ ଏକ ପ୍ରମୁଖ ଦୋକାନ ଖୋଲାଖୋଲି କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ଲୋକଙ୍କ ଜୀବନ ସହିତ ଖେଳୁଛି । ଏହା ନିଶ୍ଚିତ ସାଘାଂତିକ ।
ସୂଚନାଥାଉକି, ରାଜ୍ ଇଲେକଟ୍ରୋନିକ୍ସ ଦୋକାନରେ କରୋନା ପଶିବା ଏବଂ ଦୋକାନ ସିଲ୍ ହେବା ଖବର ପ୍ରମୁଖ ଗଣମାଧ୍ୟମରେ ଖବର ହୋଇ ନ ଥିଲା । ଖବରଟିକୁ ଚାପିଦେବାରେ ଦୋକାନ କର୍ତ୍ତୃପକ୍ଷ ସମର୍ଥ ହୋଇଥିଲେ । ଏ ସମ୍ପର୍କରେ ‘ମିଡ଼ ଡ଼େ ଓଡ଼ିଶା’ ରେ ଖବର ପ୍ରକାଶିତ ହୋଇଥିଲା । ପାଠକଙ୍କୁ ମନେ ପକାଇବା ପାଇଁ ଆମେ ସେହି ଖବରର ଲିଙ୍କ୍ ଏଠାରେ ପ୍ରଦାନ କରୁଛୁ ।
‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍