ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବଢ଼ି ଚାଲିଥିବା ଆକ୍ରମଣର ପ୍ରତିବାଦ କରିଛନ୍ତି ସବୁ ସାମ୍ବାଦିକ । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ସାମ୍ବାଦିକମାନେ ଏକଜୁଟ୍ ହୋଇ ଏହାର ନିରବ ପ୍ରତିବାଦ କରିଛନ୍ତି । ଭୁବନେଶ୍ୱର ଲୋୟର ପିଏମଜିସ୍ଥିତ ଗାନ୍ଧୀମାର୍ଗରେ ବିଭିନ୍ନ ବର୍ଗର ସାମ୍ବାଦିକମାନେ ପ୍ରତିବାଦ ଧାରଣାରେ ବସିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ଲାଗି ଆଇନ ଦାବି ସହ ସାମ୍ବାଦିକଙ୍କ ଆକ୍ରମଣକାରୀଙ୍କୁ ଗିରଫ ସେମାନଙ୍କର ମୁଖ୍ୟ ଦାବି ଥିଲା ।
ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଖବର ଏବେ ନିତିଦିନିଆ ହୋଇଗଲାଣି । ଏଇ ନିକଟରେ ସୋର, ବାଲିଆପାଳ ଓ ପୁରୀରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ପୁରୀରେ ସାମ୍ବାଦିକଙ୍କୁ ପୁଲିସ ଗୋଡ଼େଇ ଗୋଡ଼େଇ ପିଟିଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣକୁ ସମସ୍ତେ ନିନ୍ଦା କରିଥିଲେ । ସାମ୍ବାଦିକଙ୍କ ସୁରକ୍ଷା ନିମିତ୍ତ ଆଇନ ପ୍ରଣୟନ ପାଇଁ ସେମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।