ଭୁବନେଶ୍ୱର: ବିଜେପି ହେଭୱେଟ୍ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେଡ଼ିକୁ ଫେରିଯିବେ । ତାହା ପୁଣି ଡେରି ନାହିଁ । ଯୋଜନା ଠିକଠାକ୍ ଚାଲିଲେ ଚଳିତ ସପ୍ତାହରେ ଆନୁଷ୍ଠାନିକ ଭାବେ ଦିଲ୍ଲୀପ ବିଜେଡ଼ିରେ ଯୋଗଦେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିଜେଡ଼ି ସୁପ୍ରିମୋ ଆଗ୍ରହୀ ଦିଲ୍ଲୀପଙ୍କୁ ସବୁଜ ସଙ୍କେତ ଦେଇସାରିଛନ୍ତି । ତେବେ ଦିଲ୍ଲୀପ ଏକା ନୁହଁନ୍ତି, ସାଙ୍ଗରେ ଆଉ ୩ ଜଣ ବିଜେପି ବିଧାୟକଙ୍କୁ ନେଇ ଆସିବେ ବୋଲି କଥାବାର୍ତ୍ତା ଚାଲିଛି । ସେମାନେ ହେଉଛନ୍ତି ଖରିଆର ବିଧାୟକ ଦୁର୍ଯୋଧନ ମାଝୀ, ଦେଓଗଡ଼ ବିଧାୟକ ନିତେଶ ଗଙ୍ଗଦେବ ଏବଂ ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ରାଧାରାଣୀ ପଣ୍ଡା । ୧୦ ବିଧାୟକ ବିଶିଷ୍ଟ ରାଜ୍ୟ ବିଜେପିରେ ୪ ବିଧାୟକ ଏକା ସାଙ୍ଗରେ ଦଳ ଛାଡ଼ିଲେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ନାହିଁ ଏବଂ ବିଜେଡ଼ିରେ ମିଶିଲେ ବି ସେମାନଙ୍କ ବିଧାୟକ ପଦ ରଦ୍ଦ ହେବ ନାହିଁ । ଏହାକୁ ଆଖିରେ ରଖି କଥାବାର୍ତ୍ତା ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଯଦି ଏହା ସଫଳ ହେବ ନାହିଁ ତେବେ ଦିଲ୍ଲୀପ ରାୟ ଏକା ବିଜେଡ଼ି ଆସିବେ ବୋଲି ଆପାତତଃ ଯୋଜନା ସରିଛି ।
ବିଜେଡ଼ି ରାଜନୀତି ପାଇଁ ଏହା ବଡ଼ ଘଟଣା ହେବାକୁ ଯାଉଥିଲା ବେଳେ ବିଜେପି ପାଇଁ ମଧ୍ୟ କମ୍ ନୁହେଁ । ପଞ୍ଚାୟତ ନିର୍ବାଚନରେ ଦଳର ସଫଳତାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଫତଦାରି ରାଜ୍ୟ ବିଜେପି ଏବେ ଫୁଟାଣିରେ ବୁଡ଼ିରହିଛି । ବିଜେଡ଼ିରୁ ବହୁ ନେତା ଏପରିକି କିଛି ମନ୍ତ୍ରୀ ଓ ବିଧାୟକ ବିଜେପିରେ ଯୋଗଦେବେ ବୋଲି ନେତାମାନେ ବାହାସ୍ଫୋଟ ମାରୁଛନ୍ତି । ଏଭଳିସ୍ଥିତିରେ ଓଲଟି ବିଜେପିକୁ ଫଟାଇ ସେମାନଙ୍କ ବିଧାୟକଙ୍କୁ ଟାଣିବାକୁ ବିଜେଡ଼ି ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାରେ ଦିଲ୍ଲୀପ ରାୟ ଓ ତାଙ୍କ ଟିମ୍ ବିଜେଡ଼ିର ପ୍ରଥମ ଟାର୍ଗେଟ୍ ହୋଇଛନ୍ତି । ଗୋଟିଏ ସୂତ୍ରର ଖବର ଅନୁଯାୟୀ, ନବୀନଙ୍କ ଦିଲ୍ଲୀ ରହଣି କାଳରେ ସେଠାରେ ଏହି ମିଶ୍ରଣ ପର୍ବ ହେବ । ତାହା ନ ହେଲେ ୩୦ ତାରିଖ ମଧ୍ୟରେ ନବୀନ ନିବାସରେ ଏହା ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜୟ ମହାପାତ୍ର ମଧ୍ୟ ବିଜେଡ଼ିକୁ ଫେରିବା ପାଇଁ ଆଗ୍ରହୀ ହୋଇଥିବା ଏବଂ ଏ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଥିବା କୁହାଯାଉଛି । ଦିଲ୍ଲୀପ ଓ ବିଜୟ ଏକାଠି ବିଜେଡ଼ିକୁ ଫେରିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଜୟଙ୍କ ସମ୍ପର୍କରେ ନିଷ୍ପତ୍ତି ଅସ୍ପଷ୍ଟ ରହିଛି । ଏ ସମ୍ପର୍କରେ ନବୀନଙ୍କ ମନକଥା ଜଣାପଡିନାହିଁ । ତେବେ ଦିଲ୍ଲୀପଙ୍କ ପରେ ପରେ ବିଜୟ ବିଜେଡ଼ିକୁ ଫେରିବା କଥାକୁ ଏଡାଯାଇ ନ ପାରେ ବୋଲି ନବୀନଙ୍କ ନିକଟତ୍ତମ ମହଲରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବିଜେଡ଼ିର ଏହି ପୁରଣା ଦୁଇ ଷ୍ଟଲୱର୍ଟ ତଥା ବିଜୁ ଅନୁଗାମୀ ନବୀନଙ୍କ ନଜରରେ ବିଭୀଷଣ ହୋଇଥିଲେ । ସମୟକ୍ରମେ ଦୁହେଁ ବିଜେପିକୁ ଆସିଥିଲେ ମଧ୍ୟ ଦଳ ପାଇଁ ସେମାନେ ଅଲୋଡ଼ା ହୋଇଯାଇଛନ୍ତି । ଧର୍ମେନ୍ଦ୍ରଙ୍କ ରାଜ୍ ଆଗରେ ଦୁହେଁ ହାର୍ ମାନିଛନ୍ତି । ନିଜର ବିଧାୟକ ପଦକୁ ଧରି ଦିଲ୍ଲୀପ ନିଜର ସ୍ଥିତି ସମ୍ଭାଳିଥିବା ବେଳେ ବିଜୟ କିନ୍ତୁ ସାତ ପାଞ୍ଜିରୁ ଯାଇଛନ୍ତି । ଦୁହେଁ ବିଜେଡ଼ିକୁ ଫେରିଲେ ଓଡ଼ିଶା ରାଜନୀତି ପାଇଁ ଏକ ଚମକପ୍ରଦ ଘଟଣା ହେବ ବୋଲି କୁହାଯାଉଛି ।