ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ କିଛି ମାସ ତଳେ ଏକ ସରକାରୀ ନିଯୁକ୍ତି ପାଇଛନ୍ତି । ବିଶ୍ୱବ୍ୟାଙ୍କ ସହାୟତାରେ ଚାଲିଥିବା ରାସ୍ତା ପ୍ରକଳ୍ପର ଡିସପ୍ୟୁଟ୍ ବୋର୍ଡ ଆଣ୍ଡ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ ରେ ପଡ଼ିଥିବା ମାମଲାଗୁଡ଼ିକର ପରିଚାଳନା ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଇତିମଧ୍ୟରେ ଶ୍ରୀ କାନୁନଗୋଙ୍କ ପାଇଁ ଉଦ୍ଦିଷ୍ଟ ପାଉଣା(ଫି ଷ୍ଟ୍ରକଚର) ବୃଦ୍ଧି ପାଇଁ ନିଯୁକ୍ତିଦାତା ଡିପିଆଇ ଆଣ୍ଡ ରୋଡସ୍ ତାର ମୁରବୀ ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ । ପୂର୍ତ୍ତ ବିଭାଗ ତାହାର ତର୍ଜମା ପାଇଁ ଆଇନ ବିଭାଗକୁ ପଠାଇବା ପରେ ସାଂଘାତିକ ତଥ୍ୟ ପଦାକୁ ଆସିଛି ।
ସିଧା ସିଧା ତଥ୍ୟଟି ହେଉଛି, ସରକାରଙ୍କ ବିନା ଅନୁମୋଦନରେ ଶ୍ରୀ କାନୁନଗୋ ନିଯୁକ୍ତି ପାଇଛନ୍ତି । ନା ମୁରବୀ ବିଭାଗ ଜାଣିଛନ୍ତି ନା ଆଇନ ବିଭାଗ । ଏହା ହୁଏ ତ ଧରାପଡ଼ି ନ ଥାଆନ୍ତା ଯଦି ଶ୍ରୀ କାନୁନଗୋଙ୍କର ପାଉଣା ବୃଦ୍ଧି ପ୍ରସଙ୍ଗ ଉଠି ନ ଥାଆନ୍ତା । ମାତ୍ର ତାଙ୍କୁ ନିଯୁକ୍ତି ଦେଇଥିବା ବିଭାଗ ତାଙ୍କର ପାଉଣା ବୃଦ୍ଧି ପାଇଁ ଲେଖିଲା ପରେ ମାମଲା ପଦାକୁ ଚାଲିଆସିଛି । ଖୋଦ୍ ଆଇନ ବିଭାଗ ଏହାର ସ୍ପଷ୍ଟୀକରଣ ମାଗିବା ସହ ସରକାରଙ୍କ ବିନା ଅନୁମୋଦନରେ ତାଙ୍କୁ କିଭଳି ନିଯୁକ୍ତି ଦିଆଯାଇଛି ତାହା ଜାଣିବାକୁ ଚାହିଁଛନ୍ତି । ଏଥିପାଇଁ ପର୍ଯ୍ୟାପ୍ତ ଯୁକ୍ତି ଓ କାଗଜପତ୍ର ମାଗିଛି ବିଭାଗ । ଆଇନ ବିଭାଗର ଚିଠି ଖୋଦ୍ ପୂର୍ତ୍ତ ବିଭାଗର ଆଖି ଖୋଲିଦେଇଛି । ଅନ୍ଧାରରେ ଥିବା ପୂର୍ତ୍ତ ବିଭାଗ ଏ ନେଇ ଡିପିଆଇ ଆଣ୍ଡ ରୋଡସ୍ କୁ ଚିଠି କରିଛି । ଆଇନ ବିଭାଗ ଚାହୁଁଥିବା ଆନୁସଙ୍ଗିକ କାଗଜପତ୍ର ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛି ।
ମାମଲାଟି ଏଇଥିପାଇଁ ଅଧିକ ସ୍ପର୍ଶକାତ୍ତର କି ବେଆଇନ ନିଯୁକ୍ତି ପାଇଥିବା ଆଡଭୋକେଟ ମିଲନ୍ କାନୁନଗୋ ଜଣେ ଯାହିତାହି ବ୍ୟକ୍ତି ନୁହଁନ୍ତି । ଖୋଦ୍ ଶାସକଦଳ(ବିଜେଡ଼ି)ର ଆଇନ ସାମ୍ମୁଖ୍ୟ ଦାୟିତ୍ୱରେ ସେ ଅଛନ୍ତି । ସାମ୍ମୁଖ୍ୟର ସେ ହେଉଛନ୍ତି ରାଜ୍ୟ ଆବାହକ । ଦଳୀୟ ଫୋରମରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାଙ୍କର ନିଯୁକ୍ତିଦାତା । ପ୍ରଶ୍ନ ଉଠୁଛି, ଶାସକଦଳର ଏତେବଡ଼ ମୋହର ବାଜିଥିବା ଶ୍ରୀ କାନୁନଗୋଙ୍କୁ ବିନା ସରକାରୀ ଅନୁମୋଦନରେ କିଏ ଓ କେମିତି କିଭଳି ସରକାରୀ ନିଯୁକ୍ତି ଦେଲା? ଏଥିପାଇଁ କାହାର ସୁପାରିଶ ଥିଲା ? ମୂଳ ପୂର୍ତ୍ତ ବିଭାଗ ଏବଂ ଆଇନ ବିଭାଗର ବିନା ଅନୁମତିରେ ତାଙ୍କୁ ନିଯୁକ୍ତିପତ୍ର ଦିଆଗଲା କେମିତି ? ଖୋଦ୍ ରାଜ୍ୟ ସରକାର ଏହାର ଅନୁସନ୍ଧାନ କରି ଦୋଷୀଙ୍କୁ ଦଣ୍ଡ ଦେଇପାରିବେ ତ ?