ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନରେ ଥରେ ଦିଲ୍ଲୀ ଯିବା ଆସିବା କଲେ ଆମ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା । ସାଧାରଣ ବିମାନରେ ଯିବାକୁ ପସନ୍ଦ କରୁ ନ ଥିବା ନବୀନ ପଟ୍ଟନାୟକ ଭଡା(ଚାର୍ଟର) ବିମାନରେ ଗସ୍ତ କରି ରାଜ୍ୟ ରାଜକୋଷ ଉପରେ ଏଭଳି କୋଟି କୋଟି ଟଙ୍କାର ବୋଝ ଲଦୁଛନ୍ତି । ଦିଲ୍ଲୀ ଦରବାରରେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦାବି କରୁଥିବା ରାଜ୍ୟର ମୁଖ୍ୟଙ୍କ ଏଭଳି ବଦଖର୍ଚ୍ଚ ବେଶ୍ ଲଜ୍ଜାକର ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏଭଳି ବିପୁଳ ଖର୍ଚ୍ଚର ପ୍ରମାଣ ଭାବେ ଏକ ଦସ୍ତାବିଜ୍ ଲାଗିଛି “ମିଡ-ଡେ ଓଡ଼ିଶା” ହାତରେ । ଗତ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପରଦିନ ୬ ତାରିଖରେ ଭୁବନେଶ୍ୱର ଫେରିଥିଲେ । ସେହି ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିଲେ ଦିଲ୍ଲୀସ୍ଥିତ ଏମ/ଏସ୍ ପିନାକଲ୍ ଏୟାର ପ୍ରାଇଭେଟ ଲିମିଟେଡର ଚାର୍ଟର ବିମାନ । ବିମାନରେ ଯିବା ଆସିବା ପାଇଁ ଭଡ଼ା ଥିଲା ୩୦ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ର ଜଣେ ଯୁଗ୍ମ ସଚିବ ଉକ୍ତ ବିମାନକୁ ଭଡ଼ା ସୂତ୍ରରେ ବୁଝିଥିଲେ । ନିକଟରେ ଗତ ୪ ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏହି ଭଡ଼ା ଅର୍ଥ ପୈଠ ପାଇଁ ସଂସଦୀୟ ବ୍ୟାପାର ବିଭାଗକୁ ଚିଠି ଲେଖିଛି । ସାଧାରଣ ପ୍ରଶାସନ ବିଭାଗର ଏହି ଚିଠିଟି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଖର୍ଚ୍ଚର ଗୁମର ଖୋଲିଦେଇଛି ।
ନିକଟରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଖର୍ଚ୍ଚ ତାଲିକା ଦେଇଥିଲେ । ରାଜ୍ୟ ଭିତରେ ଓ ବାହାରକୁ ଅଫିସିଆଲ୍ ଟୁର୍ ରେ ମୁଖ୍ୟମନ୍ତ୍ରୀ ୨୧୫ ଥର ବିମାନ ଓ ହେଲିକପଟର୍ ବ୍ୟବହାର କରିଛନ୍ତି ଯେଉଁଥିରେ ଖର୍ଚ୍ଚ ହୋଇଛି ୩୦ କୋଟି ୮୧ ଲକ୍ଷ ୪୨ ହଜାର ୫୦୭ ଟଙ୍କା । ସେଥିରେ ମୁଖ୍ୟମନ୍ତ୍ରୀ ୩୦ ଥର ଏୟାରକ୍ରାଫ୍ଟ କିମ୍ବା ଚାର୍ଟର୍ ବିମାନରେ ଦିଲ୍ଲୀ ଗସ୍ତ କରିଥିବା ଦର୍ଶାଯାଇଛି ।