ଭୁବନେଶ୍ୱର: ନୋଟ୍ ଫର ଭୋଟ୍ । ଭୋଟରଙ୍କୁ ଟଙ୍କା ଦେଇ ଭୋଟ୍ କିଣିବା ଆମ ନେତାଙ୍କ ପାଇଁ ଏବେ ମାମୁଲି ଘଟଣା । ନିଜ ପାଇଁ ଭୋଟ ଜିଣିବା ଜନପ୍ରିୟତାର ମାପକାଠି ନୁହେଁ ବରଂ ଅର୍ଥବଳର ମାପକାଠି ବୋଲି ଅଧିକାଂଶ ଜାଗାରେ ପ୍ରମାଣିତ ହୋଇଛି । ଯା ପାଖରେ ଅର୍ଥବଳ ଅଛି ସେ ନିରୀହ ଭୋଟରଙ୍କୁ ଅର୍ଥ ପ୍ରଲୋଭନ ଦେଇ ଭୋଟ କିଣିପାରୁଛି । ଆମ ଗଣତନ୍ତ୍ରକୁ ଏହା ଯେ ସାଂଘାତିକ ବିପନ୍ନ କରିଛି ତାହା କହିବା ଅନାବଶ୍ୟକ । ଆମ ହାତରେ ପଡ଼ିଥିବା ଏହି ଏକ୍ସକ୍ଲୁସିଭ୍ ଭିଡ଼ିଓ କ୍ଲିପିଂଟି “ନୋଟ୍ ଫର ଭୋଟ’’ର ଜ୍ୱଳନ୍ତ ପ୍ରମାଣ ଛାଡ଼ିବା ସହ ଆମ ନେତାଙ୍କ କୁତ୍ସିତ ଚରିତ୍ରକୁ ପଦାରେ ପକାଇଛି ।
ଏହି ଭିଡ଼ିଓ ଦୃଶ୍ୟରେ ଟଙ୍କା ଲୋଭ ଦେଖାଇ ନିରୀହ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ରାଜ୍ୟର ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ(ବବି) ଦାସ । ନିଜ ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଚିତ୍ରପୁର ଗାଁରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଶକ୍ତିମନ୍ତ୍ରୀ ଭୋଟ ପାଇଁ ଟଙ୍କା ମୂଲଚାଲ କରୁଛନ୍ତି । ଗାଁ ମନ୍ଦିର ପାଇଁ ଦୁଇଟି କିସ୍ତିରେ ୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ଦେଇ ବିଜେଡ଼ି ପାଇଁ ୱାନ୍ ସାଇଡ୍ ଭୋଟ ଦାବି କରୁଛନ୍ତି । ଏହା ତାଙ୍କ ଇଜ୍ଜତର କଥା ବୋଲି ମନ୍ତ୍ରୀ କହୁଛନ୍ତି । ଖାଲି ସେତିକି ନୁହେଁ, ତମର ଯାହା ଦରକାର ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ଲୋଭ ଦେଖାଉଛନ୍ତି ।
ଏହି ଭିଡ଼ିଓ କ୍ଲିପିଂରୁ ବିଜେଡ଼ିର ଅସଲ ଚେହେରା ଧରାପଡ଼ିଯାଇଛି । ଏଠାରେ କହିବା ବାହୁଲ୍ୟ ଯେ ବିଜେଡ଼ିର ନିର୍ବାଚନ ଜିତାପଟ ନେଇ ବିରୋଧୀ ଦଳ ସବୁବେଳେ ଅର୍ଥବଳ ପ୍ରୟୋଗର ଅଭିଯୋଗ ଆଣୁଛନ୍ତି । କିନ୍ତୁ ବିଜେଡ଼ି ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଚାଲିଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡ଼ି ସରକାରଙ୍କ ଜନହିତକର କାର୍ଯ୍ୟ ପ୍ରତି ଲୋକମାନେ ଆକୃଷ୍ଟ ହୋଇ ଭୋଟ ଦେଉଛନ୍ତି ବୋଲି ନେତାମାନେ ଛାତି ଟେକି ଗଳା ଫଟାଇ କହୁଛନ୍ତି । ହେଲେ ଏହି ଭିଡ଼ିଓ କ୍ଲିପିଂ ଦେଖିଲେ ବିଜେଡ଼ି ନେତାମାନେ କେତେ ସତ କହୁଛନ୍ତି ତାହା ବାରି ହୋଇଯାଉଛି । ବିଚ୍ ଗାଁ ରାସ୍ତାରେ ଛିଡ଼ା ହୋଇ ଲୋକଙ୍କୁ ଟଙ୍କା ବଦଳରେ ଭୋଟ ମାଗୁଥିବା ବିଜେଡ଼ି ସରକାରର ପାୱାରଫୁଲ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ତାହାର ନିଚ୍ଛକ ପ୍ରମାଣ ଛାଡ଼ିଛନ୍ତି ଏହି ଭିଡ଼ିଓରେ । ଏଇଠି କହି ରଖିବାକୁ ଚାହୁଁ କି ସବୁ ରାଜନୈତିକ ଦଳ ନିଜ ସପକ୍ଷରେ ଭୋଟ ପାଇଁ ଟଙ୍କା ଖଟେଇବା ନିହାତି ସାଧାରଣ ହୋଇଗଲାଣି । ଚଳିତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡ଼ି ଓ ବିଜେପି ବିରୋଧରେ କଂଗ୍ରେସ ବ୍ୟାପକ ଭୋଟକିଣା ଅଭିଯୋଗ ଆଣିଥିଲା ।