ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଦମ୍ପତ୍ତିଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଆର୍ଥିକ ଅନିୟମିତତା ଓ ଟିକସ ଫାଙ୍କି ଅଭିଯୋଗକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ବିଜେଡ଼ିରୁ ତଡ଼ା ଖାଇଲା ପରଠୁ ଦୁର୍ନୀତି ଓ ଭ୍ରଷ୍ଟାଚାର କଥା କହି ବୁଲୁଥିବା ବୈଜୟନ୍ତଙ୍କୁ ପାନେ ଦେବା ପାଇଁ ବିଜେଡ଼ିକୁ ସୁଯୋଗ ମିଳିଛି । ଦଳ ପକ୍ଷରୁ ମୁଖପାତ୍ର ସସ୍ମିତ ପାତ୍ର ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ବୈଜୟନ୍ତଙ୍କ ଗୋହି ଖୋଳିଛନ୍ତି ।
ବିଜେଡ଼ି ମୁଖପାତ୍ର କହିଛନ୍ତି, ବୈଜୟନ୍ତଙ୍କ ସମ୍ପର୍କରେ ଆମେ ଯେ ସତ କହୁଥିଲୁ, ତାହା ଜାତୀୟ ଦୈନିକ ଖବରକାଗଜରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଯାଇଛି । ସେ ଜଣେ ବ୍ୟବସାୟୀ । ଲୋକଙ୍କ ସେବା ପାଇଁ ରାଜନୀତିକୁ ଆସିନାହାନ୍ତି ବରଂ ତାଙ୍କର ବ୍ୟବସାୟିକ ସ୍ୱାର୍ଥ ଏବଂ ବେଆଇନ ଆର୍ଥିକ କାରବାରର ସୁରକ୍ଷା ପାଇଁ ରାଜନୀତିକୁ ଆସିଛନ୍ତି । ବୋଧହୁଏ ଏହି କାରଣ ପାଇଁ ସେ ସବୁବେଳେ କେନ୍ଦ୍ରରେ ଯିଏ କ୍ଷମତାରେ ଥାଆନ୍ତି ତାଙ୍କୁ ସମର୍ଥନ କରି ଲେଖାଲେଖି କରନ୍ତି ।
୨୦୧୪ ମସିହାରେ ସେ ଲୋକସଭାକୁ ନିର୍ବାଚିତ ହେଲା ପରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବା ପାଇଁ ଲବି କରିଥିଲେ । ମାତ୍ର ବିିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ଯୋଗୁଁ କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟର ଆଶଙ୍କା କରି ଦଳ ସଭାପତି ତାଙ୍କୁ ମନୋନୀତ କରିବାକୁ ରାଜି ହୋଇ ନ ଥିଲେ । ଗତବର୍ଷ ଜାନୁଆରୀ ୨୬ ତାରିଖରେ ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତଙ୍କ ସମ୍ପର୍କରେ ଏହି ଗୁମର ଖୋଲାଯାଇଥିଲା । ଏହି କାରଣରୁ ବୈଜୟନ୍ତ ଉତକ୍ଷିପ୍ତ ହୋଇ ଦଳବିରୋଧୀ କାର୍ଯ୍ୟ ଆରମ୍ଭ କରିଥିଲେ ।
ମନି ଲଣ୍ଡର୍ସ ଏବଂ ବ୍ଲାକ୍ ମାର୍କେଟର୍ସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ଏନଡିଏ ସରକାର ସବୁବେଳେ ବାହାବା ମାରୁଛନ୍ତି । ବୈଜୟନ୍ତଙ୍କ କ୍ଷେତ୍ରରେ ସେମାନେ ଯାହା କହୁଛନ୍ତି କରିକି ଦେଖାଇବେ ବୋଲି ଆମେ ଆଶା କରୁଛୁ କହିଛନ୍ତି ବିଜେଡ଼ି ମୁଖପାତ୍ର ଡ. ପାତ୍ର ।