ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବିଜେନେସ୍ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡ଼ିଟର ଦିଲ୍ଲୀପ ଶତପଥୀ(୫୬)ଙ୍କର ପରଲୋକ ହୋଇଯାଇଛି । ଗତକାଲି ରାତି ୧୧.୩୦ରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ରାତି ପ୍ରାୟ ଗୋଟାଏ ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ଶତପଥୀଙ୍କ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ସତ୍ୟନଗରସ୍ଥିତ ବାସଭବନରେ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଓଡ଼ିଶାର ସାମ୍ବାଦିକତା ଜଗତରେ ଦିଲ୍ଲୀପ ଶତପଥୀ ଥିଲେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ଅର୍ଥନୀତି ଓ ବ୍ୟବସାୟ ସାମ୍ବାଦିକତାରେ ତାଙ୍କର ଗଭୀର ଦକ୍ଷତା ଥିଲା । ରାଜନୈତିକ ବିଶାରଦ ଭାବେ ମଧ୍ୟ ତାଙ୍କର ଦକ୍ଷତା କିଛି କମ ନ ଥିଲା । ଅର୍ଥନୀତିଠାରୁ ସାମାଜିକ, ରାଜନୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଅଧ୍ୟୟନର ପରାକାଷ୍ଠା ବିଭିନ୍ନ ଟିଭି ଡିବେଟ୍ ରେ ଦେଖିବାକୁ ମିଳୁଥିଲା । ରେଭେନସା କଲେଜରୁ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଶତପଥୀ ‘ଓଡ଼ିଶା ସନଟାଇମସ୍’ ରୁ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜନେସ୍ ଷ୍ଟାଣ୍ଡାର୍ଡରେ ଯୋଗଦେଇଥିଲେ । କେବଳ ଜଣେ ଉଚ୍ଚକୋଟିର ସାମ୍ବାଦିକ ନୁହଁନ୍ତି, ଜଣେ ଉଚ୍ଚ ବ୍ୟକ୍ତିତ୍ୱ ସମ୍ପନ୍ନ ମଣିଷ ଥିଲେ ଦିଲ୍ଲୀପ ଶତପଥୀ । ଜଣେ ସ୍ନେହୀ ଓ ଦରଦୀ ମଣିଷ ଭାବେ ତାଙ୍କର ପରିଚୟ ଥିଲା ।
ସୂଚନାଥାଉକି, ଶ୍ରୀ ଶତପଥୀ ଦୀର୍ଘ ୨୦ ବର୍ଷ ତଳେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିଲେ । କିଛି ବର୍ଷ ତଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ମଧ୍ୟ ବର୍ଷେ ତଳେ ସେହି ମାରାତ୍ମକ ରୋଗର ଲେଉଟାଣି ହୋଇଥିଲା । ନିୟମିତ ଚିକିତ୍ସାରେ ରହି ସବୁ କାର୍ଯ୍ୟ ସ୍ୱାଭାବିକ କରୁଥିଲେ । ମାତ୍ର ଗତକାଲି ରାତିରେ ହଠାତ୍ ତାଙ୍କର ହୃଦଘାତ୍ ହୋଇଥିଲା ।
କଟକରେ ଜନ୍ମଗ୍ରହଣ କରିଥିବା ଦିଲ୍ଲୀପ ଅବିବାହିତ ଥିଲେ । ସେମାନେ ଦୁଇ ଭାଇ ଓ ୫ ଭଉଣୀ । ବଡ଼ଭାଇ ଦୀନକୃଷ୍ଣ ଶତପଥୀ ନାଲକୋରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।