ଭୁବନେଶ୍ୱର: ସବୁ ମଣିଷ ମୁହଁରେ ହସ ଫୁଟୁ । ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ ଭେଦଭାବ ଉଦ୍ଧ୍ୱର୍ରେ ମଣିଷ ଜୀବନର ଚଲାପଥରେ ଭରିଯାଉ ଖୁସି ଓ ଶାନ୍ତି । ଏଭଳି ଏକ ମହାନ୍ ଜୀବନ ଦର୍ଶନର ସଂଜ୍ଞା ବହନ କରୁଥିବା ଡ. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ‘ଆର୍ଟ ଅଫ୍ ଗିଭିଂ’ ଆନ୍ଦୋଳନକୁ ୬ ବର୍ଷ ପୂରୁଛି । ଆସନ୍ତାକାଲି(ଶୁକ୍ରବାର)ଠାରୁ ବିଶ୍ୱବ୍ୟାପୀ ଆର୍ଟ ଅଫ୍ ଗିଭିଂର ଷଷ୍ଠ ବାର୍ଷିକୀ ପାଳନ କରାଯାଉଛି । ଭାରତ ସମେତ ବିଶ୍ୱର ୧୨୦ ଟି ଦେଶରେ ୨୦ ହଜାର କେନ୍ଦ୍ରରେ ଏହା ସପ୍ତାହବ୍ୟାପୀ ପାଳନ କରାଯିବ ।
ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଖୁସିର ବ୍ୟାଗ୍’ । ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ହାସଲ ଦିଗରେ ଲୋକଙ୍କ ଯୋଗଦାନ ଓ ଲୋକଙ୍କ ଅଂଶଗ୍ରହଣ ହେଉଛି ଏହି ବିଷୟବସ୍ତୁର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଲୋକମାନେ ଖାତା, ପେନସିଲ୍, ରବର, କଟର୍, କଲମ ଆଦି ପାଠ୍ୟୋପକରଣ ସଂଗ୍ରହ କରି ପିଲାମାନଙ୍କୁ ବାଣ୍ଟିବେ । ଚଳିତବର୍ଷ ପ୍ରଥମ ଥର ପାଇଁ ୟୁନେସ୍କୋ ଓ ଏମଜିଆଇଇପି ଆର୍ଟ ଅଫ୍ ଗିଭିଂ ସହ ହାତ ମିଳାଇଛନ୍ତି । ‘ଖୁସିର ବ୍ୟାଗ୍’ ଦାନ ମାଧ୍ୟମରେ ଚଳିତବର୍ଷ ଓଡ଼ିଶାର ୪୦ ଲକ୍ଷ ଲୋକଙ୍କ ସମେତ ସମଗ୍ର ବିଶ୍ୱରେ ପାଖାପାଖି ୧ କୋଟି ଲୋକଙ୍କୁ ‘ଆର୍ଟ ଅଫ୍ ଗିଭିଂ’ ଆନ୍ଦୋଳନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ସମସ୍ତେ ଏକାଠି ହୋଇ ମାନବିକତା ଓ ଦୟା ଜରିଆରେ ଏକ ସକରାତ୍ମକ ପରିବେଶ ଗଠନ କରି ସମସ୍ତଙ୍କୁ ଖୁସି ଦେବା ପାଇଁ ‘ଆର୍ଟ ଅଫ୍ ଗିଭିଂ’ର ପ୍ରତିଷ୍ଠାତା ବିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆହ୍ୱାନ ଦେଇଛନ୍ତି । ଅନ୍ୟକୁ ସାହାଯ୍ୟ କରିବା ସହ ଅନ୍ୟ ପ୍ରତି ଦୟା ମନୋଭାବ ପୋଷଣ କରିବାରେ ସମସ୍ତେ ଚେଷ୍ଟିତ ହେବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଡ. ସାମନ୍ତଙ୍କ ଦ୍ୱାରା ୨୦୧୩, ମେ ୧୭ ତାରିଖରେ ‘ଆର୍ଟ ଅଫ୍ ଗିଭିଂ’ ପ୍ରତିଷ୍ଠା ଲାଭ କରିଥିଲା । ପିଲାଦିନରୁ ବହୁ ଘାତ, ପ୍ରତିଘାତ, ଦୁଃଖ, ଦାରିଦ୍ର୍ୟରେ ଜୀବନ କାଟି ଆଜି ଏ ଜାଗାରେ ପହଞ୍ଚିଥିବା ଡ. ସାମନ୍ତଙ୍କ ଆବେଗରୁ ଏହି ଆନ୍ଦୋଳନର ସୃଷ୍ଟି ।