ଭୁବନେଶ୍ୱର: ୧୫/୨୦ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ଶାସନକୁ ଧୂମ୍ ଗାଳି କରୁଥିଲେ । ତିନିବର୍ଷ ଧରି ଅମିତ୍ ଶାହା ନିରନ୍ତର ଗାଳି କରୁଥିବା ବେଳେ ମୋଦି ନିର୍ବାଚନ ବେଳକୁ ନବୀନଙ୍କ ବିରୋଧରେ ପରାକ୍ରମ ଦେଖାଇ ଭାଷା ଅଭାଷା ଭୁଲିଯାଇଥିଲେ । ଅମିତ୍ ଶାହା ତାଙ୍କର ସବୁ ମିଟିଂରେ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନସଫରମର୍ କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଉଥିଲେ । ଓଡ଼ିଶାରେ ହିଂସା, ଦୁର୍ନୀତି, ଭ୍ରଷ୍ଟାଚାର ସୀମା ଟପିଯାଇଥିବା କହି ଉଭୟ ମୋଦି ଓ ଶାହା ନବୀନଙ୍କ ଉପରେ ବର୍ଷି ଯାଉଥିଲେ ।
ମାତ୍ର ୨୦ ଦିନ ତଳର ସ୍ଥିତି ଏବେ ନାହିଁ । ନିର୍ବାଚନ ଫଳ ଘୋଷଣା ହେବାକୁ ବାକି ଥିବା ବେଳେ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମୋଦି ଓ ଶାହା । ତାଙ୍କ ଦେଖାଦେଖି ଚେଲାଚାମଣ୍ଡାମାନେ ମଧ୍ୟ ସେମାନଙ୍କ ପାଟି ଚୁପ୍ କରିଦେଲେଣି । ଯୋଉ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନସଫରମର କହି ବଙ୍ଗୋସାଗରରେ ଫିଙ୍ଗିଦେବାକୁ ଶାହା ଚିଲୋଉଥିଲେ ଆଜି ସେଇ ନବୀନ ପଟ୍ଟନାୟକଙ୍କୁ ତେଲ ମାରିଲେଣି ଶାହା । ଯୋଉ ଓଡ଼ିଶାକୁ ହିଂସା, ଭ୍ରଷ୍ଟାଚାର ରାଜ୍ୟ ଭାବେ ଆଖ୍ୟାୟିତ କରୁଥିଲେ ସେଇ ଓଡ଼ିଶାକୁ ଅପେକ୍ଷାକୃତ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଆଖ୍ୟାୟିତ କରି ଜିଭ ଲେଉଟାଇଲେଣି ଶାହା ।
ଗତକାଲି ପଶ୍ଚିମବଙ୍ଗରେ ଅମିତ୍ ଶାହାଙ୍କ ରୋଡ୍ ସୋ’ ବେଳେ ଘଟିଥିବା ହିଂସାକାଣ୍ଡ ପରେ ଶାହା ଅତର୍ଚ୍ଛିଆ ହୋଇଛନ୍ତି ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବାକୁ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଶାସନରେ ହେଉଥିବା ହିଂସାକାଣ୍ଡ ଭଳି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନରେ ହିଂସାକାଣ୍ଡ ହେଉନାହିଁ ବୋଲି ଶାହା କହିଛନ୍ତି । ସୁତରାଂ ନିଜ ଭାବନାରେ ରଖିଥିବା ପୋଡା ଟ୍ରାନସଫରମର୍ ରେ ତେଲ ମାରିଛନ୍ତି ଶାହା । ଭୋଟଗଣତି ବେଳକୁ ପୋଡା ଟ୍ରାନସଫମର୍ ର ପାୱାର ଅନୁଭବ ହୋଇଛି ତାଙ୍କର ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବି ନବୀନଙ୍କର ବେଶ୍ ପ୍ରଶଂସା କରିଛନ୍ତି । ‘ଫନି’ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ନବୀନଙ୍କୁ ପ୍ରଶଂସା କରିଥିଲେ ମୋଦି । ବାତ୍ୟା ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କ କାର୍ଯ୍ୟକୁ ମୋଦି ତାରିଫ୍ କରିଥିଲେ । କହିବା ବାହୁଲ୍ୟ ଯେ ମୋଦିଙ୍କୁ କଡ଼ା ଜବାବ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଥିବା ନବୀନ ବି ମୋଦିଙ୍କୁ ଧନ୍ୟବାଦ ଜଣାଇ କେନ୍ଦ୍ର ସରକାରଙ୍କ ସହଯୋଗର ପ୍ରଶଂସା କରିବାକୁ ଭୁଲିନାହାନ୍ତି ।
ନବୀନଙ୍କ ପ୍ରତି ମୋଦି ଓ ଶାହାଙ୍କ ଆଭିମୁଖ୍ୟରେ ଏଭଳି ବିରାଟ ପରିବର୍ତ୍ତନ ପଛର ସମ୍ଭାବ୍ୟ କାରଣ ସମ୍ପର୍କରେ କାହାରିକୁ ଅଛପା ନାହିଁ । ରାଜନୈତିକ ମହଲର ଆଲୋଚନା ଅନୁଯାୟୀ, କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେପି ଆବଶ୍ୟକ ସଂଖ୍ୟକ ସିଟ୍ ହାସଲ କରିପାରିବା ନେଇ ଆଶଙ୍କାରେ ଥିବାରୁ ନବୀନଙ୍କ ସହଯୋଗ ଅପରିହାର୍ଯ୍ୟ ହୋଇପଡ଼ିଛି । ଏକଥା ପୂର୍ବରୁ ଅନୁମାନ କରାଯାଉଥିଲା । ମାତ୍ର ନିର୍ବାଚନ ପ୍ରଚାର ବେଳେ ମୋଦି ଓ ଶାହା ଓଡ଼ିଶାରେ ଆସି ନବୀନଙ୍କୁ ଯେଭଳି ଗାଳି କଲେ, ତାହା ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା । କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେପି ବିଜେଡ଼ିର ସହଯୋଗ ଆବଶ୍ୟକତା କରୁନାହିଁ କି କରିବ ନାହିଁ ଏଭଳି ଧାରଣା ସୃଷ୍ଟି ହୋଇଥିଲା । ମାତ୍ର ନିର୍ବାଚନ ସରିଲା ବେଳକୁ ଚିତ୍ର କିନ୍ତୁ ପଲଟିଲାଣି । ଖାଲି ବିଜେପି ନୁହଁ କଂଗ୍ରେସ ବି ନବୀନଙ୍କୁ ମନାଇବା ଆରମ୍ଭ କଲାଣି । ଦିଲ୍ଲୀ ମିଟିଂରେ ଯୋଗଦେବାକୁ ନବୀନଙ୍କୁ ସୋନିଆ ଗାନ୍ଧୀ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛନ୍ତି । ମେ ୨୩ ରେ ଚିତ୍ର ସ୍ପଷ୍ଟ ହେବାକୁ ଥିବା ବେଳେ ନବୀନଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।