ଭୁବନେଶ୍ୱର: ଭୋଟ ଗଣତି ପାଇଁ ମଝିରେ ଆଉ ମାତ୍ର ୭ ଦିନ । ‘ଫନି’ ବାତ୍ୟାରେ ଛପି ଯାଇଥିବା ଭୋଟ ଉଷ୍ମତା ଫେରିଆସିଲାଣି । ଉଭୟ ରାଜ୍ୟ ଓ କେନ୍ଦ୍ରରେ କିଏ ସରକାର ଗଢ଼ିବ ତାହାର ଅବଗଣନା ଆରମ୍ଭ ହୋଇଛି । ଖାସ୍ କରି ରାଜ୍ୟରେ ବିଜେଡ଼ି, ବିଜେପି ଓ କଂଗ୍ରେସର ସ୍ଥିତିକୁ ନେଇ ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି ବିଭିନ୍ନ ସର୍ଭେ ରିପୋର୍ଟ । ସର୍ଭେର ଠିକଣା ଜଣା ନଥିଲେ ମଧ୍ୟ ତାହାକୁ ନେଇ ବାଜି ମରାମରି ଆରମ୍ଭ ହୋଇଛି ।
ଏକ ସର୍ଭେ ରିପୋର୍ଟରେ ବିଜେଡ଼ିକୁ ସର୍ବନିମ୍ନ ୯୩ ଟି ବିଧାନସଭା ଆସନ ମିଳିବ ବୋଲି ଆକଳନ କରାଯାଇଛି । ୫୩ଟି ଆସନରେ ବିଜେପି କିମ୍ବା କଂଗ୍ରେସ ସହ ବିଜେଡ଼ିର କଡ଼ା ମୁକାବିଲା ସ୍ଥିତି ରହିଛି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଆସନଟି ବିଜେଡ଼ିର ହାତଛଡ଼ା ହେବ, ତାହା ସ୍ପଷ୍ଟ କରାଯାଇଛି । ଏହି ସଂଖ୍ୟା ହିସାବକୁ ନେଇ ବିଜେଡ଼ି ଅନ୍ୟୁନ ୬୩.୩ ପ୍ରତିଶତ ଆସନରେ ନିଶ୍ଚିତ ବିଜୟୀ ହେଉଥିବା ବେଳେ ୩୬.୧ ପ୍ରତିଶତ ଆସନରେ କଡ଼ା ମୁକାବିଲାର ସାମନା କରୁଥିବା ରିପୋର୍ଟରେ କୁହାଯାଇଛି । ପୁଲିଂ ବୁଥ୍, ୱାର୍ ରୁମସ୍ ଏବଂ ବ୍ଲକ୍ ୱାରୀ ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିବା ଦାବି କରାଯାଇଛି ।
ଅନ୍ୟ ଏକ ସର୍ଭେ ରିପୋର୍ଟରେ ବିଜେପି ୭୮ଟି ବିଧାନସଭା ଆସନ ହାସଲ କରିବ ବୋଲି କୁହାଯାଇଛି । ଆକଳନକାରୀ ୪ଟି ଯାକ ପର୍ଯ୍ୟାୟର ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ବୋଧହୁଏ ଏହି ଆକଳନ କରିଛନ୍ତି । କାରଣ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁ ଯୋଗୁଁ ପାଟକୁରା ନିର୍ବାଚନ ଘୁଞ୍ଚିଥିଲେ ମଧ୍ୟ ଆକଳନକାରୀ ଏହା ଭୁଲିଯାଇଛନ୍ତି । ପାଟକୁରା ନିର୍ବାଚନ ଏପ୍ରିଲ୍ ୨୯ ତାରିଖରେ ହୋଇଛି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇ ସେଠାରେ ବିଜେପି ପ୍ରାର୍ଥୀଙ୍କୁ ସମ୍ଭାବ୍ୟ ବିଜୟୀ ତାଲିକାରେ ରଖିଛନ୍ତି । ଏହି ସର୍ଭେ ରିପୋର୍ଟରେ ବିଜେଡ଼ିକୁ ୫୬ ଆସନ ଦିଆଯାଇଥିବା ବେଳେ କଂଗ୍ରେସକୁ ୧୩ ଟି ଆସନ ଦିଆଯାଇଛି ।
ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଅନ୍ୟ ଏକ ସର୍ଭେ ରିପୋର୍ଟରେ ବିଜେଡ଼ିକୁ ୫୫ ଆସନ ଦିଆଯାଇଥିବା ବେଳେ ବିଜେପିକୁ ୩୪ ଆସନ ଏବଂ କଂଗ୍ରେସକୁ ୧୧ ଆସନ ଦିଆଯାଇଛି । ଅବଶିଷ୍ଟ ଆସନ ମଧ୍ୟରୁ ୨୩ଟିରେ ବିଜେଡ଼ି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଦର୍ଶାଯାଇଥିଲା ବେଳେ ୭ଟି ଆସନରେ ବିଜେଡ଼ି-କଂଗ୍ରେସ ମଧ୍ୟରେ ଏବଂ ୪ ଟି ଆସନରେ ବିଜେପି-କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିବା ଦର୍ଶାଯାଇଛି । ଅବଶିଷ୍ଟ ୧୨ ଟି ଆସନରେ ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ ରଖାଯାଇଛି ।
ଖାଲି ଏହି ତିନୋଟି ନୁହେଁ, ଏଭଳି ଅନେକ ଗୁଡ଼ିଏ ସର୍ଭେ ରିପୋର୍ଟ ଏବେ ଘୂରୁଛି । ଏସବୁ ସର୍ଭେ ରିପୋର୍ଟ କିଏ ଏବଂ କେଉଁ ଆଧାରରେ ପ୍ରସ୍ତୁତ କରିଛନ୍ତି ତାହାର କୌଣସି ବିବରଣୀ ଦିଆଯାଇ ନ ଥିବାରୁ ବିଶ୍ୱନୀୟତା ଉପରେ ସନ୍ଦେହ ରହିବା ସ୍ୱାଭାବିକ । ତେବେ ସୋସିଆଲ୍ ମିଡ଼ିଆରେ ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି ।
ଏମିତିରେ ବିଜେଡ଼ି ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବୋଲି ଦଳୀୟ ନେତାମାନେ ଖୁବ୍ ଦମ୍ଭ ଦେଖାଉଛନ୍ତି । ମ୍ୟାଜିକ୍ ସଂଖ୍ୟା ହାସଲ ନେଇ ଦଳୀୟ ନେତାଙ୍କ ମଧ୍ୟରେ କୌଣସି ଦ୍ୱିଧା କିମ୍ବା ସଙ୍କୋଚ ଦେଖିବାକୁ ମିଳୁନି । ବିଜେଡ଼ିର ଜଣେ ବରିଷ୍ଠ ନେତା ଜୋର୍ ଦେଇ କହିଛନ୍ତି, ଆମେ ୧୦୫ ସିଟ୍ ରୁ ଅଧିକ ସିଟ୍ ପାଇବୁ । ତେବେ ବିଜେଡ଼ିର ସଂଖ୍ୟାକୁ ନେଇ ଉଚ୍ଚ ଆକଳନ ଲଗାଇଛନ୍ତି ଦଳର ମିଡ଼ିଆ ପ୍ୟାନେଲିଷ୍ଟ ସତ୍ୟଜିତ୍ ମିଶ୍ର । ବିଜେଡ଼ି ୧୩୪ ଟି ଆସନ ହାସଲ କରିବ ବୋଲି ବେଟ୍ ମାରିଛନ୍ତି ।
ସରକାର ଗଠନ ପାଇଁ ବିଜେପି ମଧ୍ୟ ସମ୍ପୂର୍ଣ୍ଣ ଆଶାବାଦୀ ଅଛି । ଭୋଟରଙ୍କ ମତିଗତି ବିଜେପି ସପକ୍ଷରେ ଯାଇଥିବା ଦଳର ଅନେକ ନେତା ବିଶ୍ୱାସ କରୁଛନ୍ତି । ଭୋଟରଙ୍କ ମୋଦି-ମୁଡ୍ ପରିପ୍ରେକ୍ଷୀରେ ସେମାନେ ୭୪ ରୁ ଅଧିକ ବିଧାନସଭା ସିଟ୍ ଜିତିଯିବେ ବୋଲି ଅନୁମାନ ଲଗାଇଛନ୍ତି । ଅବଶ୍ୟ ଦଳର ଆଉ କିଛି ନେତା ଏହାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ବେଶୀ ହେଲେ ୪୫ ଟି ଆସନରେ ସୀମିତ ରହିବ ବୋଲି ସେମାନଙ୍କ ଅନୁମାନ ।
ବିଜେଡ଼ିକୁ କାଟି ବିଜେପି ଏଥର ରାଜ୍ୟରେ ସରକାର ଗଢ଼ିବାକୁ ସ୍ୱପ୍ନ ରଖୁଥିବା ବେଳେ କଂଗ୍ରେସ ସେହି ରେସ୍ ରେ ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୂଳରୁ ହାତ ଟେକି ସାରିଛନ୍ତି । ତେବେ ଗତଥର ଠାରୁ କଂଗ୍ରେସ ଯଥେଷ୍ଟ ଭଲ କରିବ ବୋଲି ସେ କହିଛନ୍ତି । କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିବ ବୋଲି ଜଳ ଜଳ ଦେଖୁଛନ୍ତି ଦଳୀୟ ନେତା ।
ଅନ୍ୟପକ୍ଷରେ, ଲୋକସଭା ଆସନ ସ୍ଥିତିକୁ ନେଇ କୌଣସି ରାଜନୈତିକ ଦଳ ସଠିକ୍ ଅନୁମାନ ଲଗାଇପାରୁନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ଥିଲା ବେଳେ ଦିଲ୍ଲୀ ପାଇଁ ମୋଦି ହାୱା ବୋହିଥିବାରୁ ଲୋକସଭା ସ୍ଥିତି ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ବିଜେପିର ଏମପି ସଂଖ୍ୟା ବଢ଼ିବ ବୋଲି ବିଜେଡ଼ି ନେତାମାନେ ସ୍ୱୀକାର କରୁଛନ୍ତି । ତେବେ ନିର୍ଦ୍ଦିଷ୍ଟ ଆସନ ସଂଖ୍ୟା ନେଇ ଆକଳନ ଲଗାଇ ପାରୁନାହାନ୍ତି । ବିଜେପି ନେତାମାନଙ୍କ ଆକଳନରେ କିନ୍ତୁ ଦଳକୁ ଅତି କମ୍ ରେ ୧୨ ଟି ଆସନ ମିଳିବ ।
ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦେଶର ଜଣାଶୁଣା ସାମାଜିକ କର୍ମୀ ସଲିଲ ସେଟ୍ଟୀ ଭାରତବର୍ଷର ଭୋଟ ଫଳାଫଳକୁ ନେଇ ଏକ ଆକଳନ ପ୍ରସ୍ତୁତ କରିଛନ୍ତି । ତାଙ୍କ ଆକଳନରେ ଓଡ଼ିଶାରେ ବିଜେପିକୁ ଦୁଇଟି ଲୋକସଭା ଆସନ ଏବଂ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ମିଳିବ । କେନ୍ଦ୍ରରେ ବିଜେପି ମେଣ୍ଟକୁ ୨୫୬ ଆସନ ଏବଂ କଂଗ୍ରେସ ମେଣ୍ଟକୁ ୨୭୯ ଆସନ ମିଳିବ ବୋଲି ସେ ତାଙ୍କ ସର୍ଭେ ରିପୋର୍ଟରେ ଦର୍ଶାଇଛନ୍ତି ।