ଭୁବନେଶ୍ୱର: ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନ୍ ରେ ପରିଣତ ହୋଇ ଝଡ଼ବାତ୍ୟାର ରୂପ ନେଉଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୨୫୦ କିମି ଦୂରରେ ଗତି କରୁଛି । ଆଜି ମଧ୍ୟରାତ୍ରରେ ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଗଂଜାମ, ଗଜପତି,ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ବିଶେଷ ପ୍ରଭାବିତ ହେବ । ଏହିସବୁ ଜିଲ୍ଲାରେ ଝଡ଼ବାତ୍ୟାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ବେଗରେ ପବନ ବୋହିବ ବୋଲି କୁହାଯାଇଛି ।
ସମ୍ଭାବ୍ୟ ପରିସ୍ଥିତି ଦୃଷ୍ଟିରୁ ୫ ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ଜିଲ୍ଲାପାଳମାନେ ସମ୍ପୂର୍ଣ୍ଣ ସତର୍କ ରହିବାକୁ କୁହାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ୍ ଓ ଏନଡିଆରଏଫ ଟିମ୍ ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।
ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସଚିବାଳୟରେ ସମୀକ୍ଷା କରିଛନ୍ତି । ଯେପରି ଗୋଟିଏ ବି ଜୀବନ ନଷ୍ଟ ନହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଲୋକଙ୍କ ପାଇଁ ଯଥେଷ୍ଟ ପରିମାଣରେ ରିଲିଫ୍ ସାମଗ୍ରୀର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ପରେ ସଡ଼କ ନଷ୍ଟ ହେବା ସହିତ ବିଜୁଳି ସରବରାହ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଇଂଜିନିୟିରଂ ବିଭାଗଗୁଡ଼ିକ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ହସ୍ପିଟାଲ୍ ଓ ଜଳଯୋଗାଣ ବ୍ୟବସ୍ଥା ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଗଂଜାମ, ଗଜପତି,ଖୋର୍ଦ୍ଧା,ନୟାଗଡ଼ ଓ ପୁରୀ ଜିଲ୍ଲାରେ ଆସନ୍ତକାଲିର ସରକାରୀ ଛୁଟିକୁ ମୁଖ୍ୟମନ୍ତ୍ରୀ ବାତିଲ କରିଦେଇଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକରେ ପରିସ୍ଥିତିକୁ ଦେଖି ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ସେ ପରାମର୍ଶ ଦେଇଛନ୍ତି ।