ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କର ପାନ୍ କାର୍ଡ ନାହିଁ । ପାନ୍ କାର୍ଡ ନାହିଁ ତ ଇନକମ୍ ଟାକ୍ସ ନାହିଁ । ଅର୍ଥାତ୍ ପାଞ୍ଚ ପାଞ୍ଚ ଥରର ଏମପି ସରକାରଙ୍କୁ ମୂଳରୁ ଇନକମ୍ ଟାକ୍ସ ଫାଙ୍କି ଚାଲିଛନ୍ତି । କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ । ବଡ଼ ବଡ଼ ଭାଷଣବାଜି କରୁଥିବା ବାବାଙ୍କର ଏହି ଭାଣ୍ଡାମୀ ସମଗ୍ର ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଦେଇଛି ।
ବାବା ପାଟ୍ଟଶାଣୀ ଯେ ବିପିଏଲ୍ କାଟାଗୋରିର ତାହା ତ ନୁହେଁ । ଅଲଗା ବାଟରୁ ଇନକମ୍ କଥା ଛାଡନ୍ତୁ । ଏମପି ହିସାବରେ ତାଙ୍କର ଦରମା ଅଛି । ଇନକମ୍ ଟାକ୍ସ ନିୟମ କହୁଛି ଏମପିଙ୍କର ଦରମା ଟିକସଯୋଗ୍ୟ । ଇନକମ୍ ଫ୍ରମ୍ ଅଦର୍ ସୋର୍ସ ହିସାବରେ ଏହା ଟାକ୍ସ ପରିଧି ଭିତରକୁ ଆସୁଛି । ଅବଶ୍ୟ ଅନ୍ୟନ୍ୟା ସୁବିଧାସୁଯୋଗ ବାବଦ ମିଳୁଥିବା ଅର୍ଥ ଉପରେ ଟାକ୍ସ ନାହିଁ । ଏହି ହିସାବରେ ଦେଖିଲେ ବାବା ତାଙ୍କ ମୂଳ ଦରମା ଉପରେ ଇନକମ୍ ଟାକ୍ସ ଦେବା କଥା । ଜଣେ ଏମପିଙ୍କର ମାସିକ ଦରମା ୫୦ ହଜାର ହିସାବରେ ବର୍ଷକୁ ୬ ଲକ୍ଷ । ଏବେକାର ହିସାବ ଦେଖିଲେ ଅଢ଼େଇ ଲକ୍ଷ ଉପରେ ଆୟ ହେଲେ ଇନକମ୍ ଟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାକୁ ଜଣେ ବାଧ୍ୟ । ଏହା ବି ସାଧାରଣ କଥା ଇନକମ୍ ଟାକ୍ସ କାରବାର ପାଇଁ ଆଗ ଦରକାର ପାନ୍ କାର୍ଡ । ଗାଡ଼ି ପାଇଁ ଚକର ଆବଶ୍ୟକତା ଭଳି ଇନକମ୍ ଟାକ୍ସ ରିଟର୍ଣ୍ଣ ପାଇଁ ପାନ୍ କାର୍ଡର ଆବଶ୍ୟକତା ଅଛି । ମାତ୍ର ବାବା ପାଟ୍ଟଶାଣୀଙ୍କର ପାନକାର୍ଡ ନ ଥିବାରୁ ଇନକମ୍ ଟାକ୍ସ ସହିତ ତାଙ୍କର ସମ୍ପର୍କ ରଖିନାହାନ୍ତି । ସିଧା ସିଧା କହିଲେ, ପ୍ରତିବର୍ଷ ଇନକମ୍ ଟାକ୍ସ ଫାଙ୍କି ଚାଲିଛନ୍ତି ବାବା ପାଟ୍ଟଶାଣୀ ।
ଇନକମ୍ ଟାକ୍ସ ନିୟମ ସହ ବାବାଙ୍କର ଲୁଚକାଳି ଖେଳ ଭାରି ମାରାତ୍ମକ । ବାବାଙ୍କର ନୟାପଲ୍ଲୀ ନୀଳକଣ୍ଠ ନଗରରେ ଗୋଟିଏ ଘର ଥିଲା । ଯାହାର ପ୍ଲଟ୍ ନମ୍ବର-୨ । ଗତ ୨୦୧୩-୧୪ ମସିହାରେ ବାବା ସେହି ଜାଗାଟିକୁ ବିକ୍ରୀ କରିଛନ୍ତି । ଜାଗାର ମୂଲ୍ୟ କୋଟିଏରୁ କମ୍ ହୋଇ ନ ଥିବ । ନିୟମ ଅନୁଯାୟୀ ଏହା ବି ଇନକମ୍ ରିଟର୍ଣ୍ଣ ଫାଇଲରେ ଦର୍ଶାଇବା କଥା । ମାତ୍ର ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ ଭଳି ବାବାଙ୍କ ମୂଳରୁ ପାନ୍ ନମ୍ବର ନାହିଁ ତ ଇନକମ୍ ସୋ କରିବାର ନାହିଁ କି ଟାକ୍ସ ଦେବାର ନାହିଁ । ସରକାରଙ୍କୁ ବାବା ପଟି ମାରି ବର୍ଷ ବର୍ଷ ଧରି କିଭଳି ଠକୁଛନ୍ତି ଏହା ତାହାର ଜ୍ୱଳନ୍ତ ନମୁନା । ଏଠି ଆଉ ଏକ ପ୍ରଶ୍ନ ବି ଉଙ୍କିମାରୁଛି ଯେ ବାବା ପାନ୍ ଫାନ୍ ନମ୍ବର ନ ଦେଇ କେମିତି ଦରମା ଡ୍ର କରୁଛନ୍ତି? ଏମପି ଭାବେ ତାଙ୍କୁ କ’ଣ ମାଫ୍ କରିଦିଆଯାଇଛି? ବାବାଙ୍କର ଏହି ମାରାତ୍ମକ କାରନାମା ଉପରେ ଆମେ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ ମାତ୍ର ତାଙ୍କୁ କୌଣସି ପ୍ରକାରେ ଯୋଗାଯୋଗ ହୋଇପାରିନାହିଁ ।