ଭୁୁବନେଶ୍ୱର: ୨୦୧୭ ର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ହେଉଛନ୍ତି ମହିଳା । ଭୁବନେଶ୍ୱରର ଆୟୁଷୀ ମହାପାତ୍ର ଟପର୍ ହୋଇଛନ୍ତି । ସଂଜିତା ମହାପାତ୍ର ଦ୍ୱିତୀୟ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ହେଉଛନ୍ତି ମହିଳା ।
ଟପର୍ ଆୟୁଷୀ ମହାପାତ୍ର ପ୍ରଥମ ସୁଯୋଗରେ ଏହି ସଫଳତା ପାଇଛନ୍ତି । ମେକାନିକାଲ୍ ଇଂଜିନିୟରିଂରେ ବି. ଟେକ୍ ଡିଗ୍ରୀ ହାସଲ କରିଥିବା ଆୟୁଷୀ ହାଇଦ୍ରାବାଦରେ ଏକ କମ୍ପାନୀରେ ଚାକିରି କରିଥିଲେ । ମାତ୍ର ଓଏଏସ୍ ପରୀକ୍ଷା ପାଇଁ ସେ ବର୍ଷେ ତଳେ ଚାକିରି ଛାଡ଼ି ପ୍ରସ୍ତୁତି ଚଳାଇଥିଲେ ।
ଝୋଡ଼ିଆ ସମ୍ପ୍ରଦାୟର ପ୍ରଥମ ମହିଳା ଓଏଏସ୍ ହୋଇଛନ୍ତି ପ୍ରଭାତୀ ଝୋଡ଼ିଆ । ତାଙ୍କର ରାଙ୍କ୍ ରହିଛି ୭୬ । ସରକାରୀ କଲେଜରେ ଗଣିତ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ପ୍ରଭାତୀ ପ୍ରଥମ ଥର ପାଇଁ ଓଏଏସ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଅଞ୍ଚଳରେ ତାଙ୍କ ଘର । ସେହିଭଳି ମାଓ ଉପଦ୍ରୁତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ସାଲିମି ଗାଁର ଝିଅ ସଂଧ୍ୟା ସମରଥା ପ୍ରଥମ ଥରରେ ଓଏଏସ୍ ପାଇଛନ୍ତି । ତାଙ୍କ ରାଙ୍କ୍ ହେଉଛି ୯୧ ।
ଲିଖିତି ଓ ମୌଖିକ ପରୀକ୍ଷା ଆଧାରରେ କାଟାଗୋରି ୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ ୧୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଏସସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ଅଛନ୍ତି । ଓପିଏସ୍ ଦ୍ୱାରା ପରିଚାଳିତ ୨୦୧୭ ବର୍ଷ ପାଇଁ ସିଭିଲ୍ ସର୍ଭିସେସ୍ ପ୍ରିଲମିନାରୀ ପରୀକ୍ଷା ଚଳିତବର୍ଷ ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା । ଜୁନ୍ ୨୫ରୁ ଜୁଲାଇ ୧୮ରେ ମେନ୍ ପରୀକ୍ଷା ହୋଇଥିଲା । ଡିସେମ୍ବର ୩ ରୁ ୧୨ ପର୍ଯ୍ୟନ୍ତ ହୋଇଥିଲା ମୌଖିକ ପରୀକ୍ଷା ।