ଭୁବନେଶ୍ୱର: ଦଳରେ ଗୋଷ୍ଠୀ ଫୋଷ୍ଠୀ ଚଳିବନି । ସମସ୍ତେ ଏକାଠି ହୋଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ । ଯୋଉମାନେ ୟା’ଙ୍କ କି ତାଙ୍କ ପାଖରେ ଅଛନ୍ତି ପାର୍ଟି ଛାଡ଼ି ଦିଅନ୍ତୁ । ବିଜେପି ସାଙ୍ଗରେ ରହିବାର ଅଛି ତ ଦଳ ପାଇଁ କାମ କରନ୍ତୁ । ବାରମ୍ବାର ଆମେ ହାରିଯାଉଛୁ ଏଇଟା ଲାଜ ଲାଗୁନି… । ଏହା ବିଜେପି ହାଇକମାଣ୍ଡଙ୍କ ଭାଷା ନୁହେଁ । ଦଳରେ ନୂଆ କରି ଯୋଗ ଦେଇଥିବା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷା । ବିଜେପିରେ ବିଶୃଙ୍ଖଳିତ କର୍ମୀଙ୍କୁ ଏମିତି କଡ଼ା ଭାଷାରେ ନାଲି ଆଖି ଦେଖାଇଛନ୍ତି ମ୍ୟାଡାମ୍ ଅପରାଜିତା । ଅପରାଜିତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଏକ କର୍ମୀ ସମ୍ମିଳନୀରେ ସେ ଦଳୀୟ କର୍ମୀଙ୍କୁ ଏଭଳି କଡ଼ା ଭାଷାରେ ତାଗିଦ୍ କରୁଛନ୍ତି । ଉକ୍ତ ଭିଡ଼ିଓଟି ରାଜ୍ୟ ବିଜେପି ଆଭ୍ୟନ୍ତରୀଣ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୩ ନମ୍ବର ଜୋନ୍ ଅନ୍ତର୍ଗତ ହାଡ଼ପଡ଼ାସ୍ଥିତ ମା ଦକ୍ଷିଣଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କର୍ମୀ ସମ୍ମିଳନୀର ଏହା ଦୃଶ୍ୟ । ସେଠାରେ ଅପରାଜିତାଙ୍କ ସମେତ ନିର୍ବାଚନମଣ୍ଡଳୀର ଅନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ । ବୈଠକ ଚାଲିଥିବା ବେଳେ ପୂର୍ବତନ ବିଧାୟକ ଜିତୁ ମିତ୍ର ଓ କାଳୁଚରଣ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କରୁ ମୁହାଁମୁହିଁ ହୋଇଥିଲା । ଏଥିରେ ବିରକ୍ତ ହୋଇ ଅପରାଜିତା ସେଠୁ ଉଠି ପଳାଇ ଆସିଥିଲେ । ତେବେ ଆଉ କିଛି ସ୍ଥାନୀୟ ନେତା ତାଙ୍କୁ ଅନୁରୋଧ କରି ସଭାକୁ ଫେରାଇ ଆଣିଥିଲେ । ସେଠୁ ଅପରାଜିତା ବିଶୃଙ୍ଖଳାକାରୀ କର୍ମୀଙ୍କୁ ଦଳୀୟ ଅନୁଶାସନର ପାଠ ପଢ଼ାଇ ପ୍ରବଳ ବର୍ଷିଥିଲେ । ଯାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଅପରାଜିତାଙ୍କର ଏହି ଅନୁଶାସନ ଛାଟକୁ ଦଳର ବହୁ ବରିଷ୍ଠ ନେତା ପ୍ରଶଂସା କରିଛନ୍ତି ।
ସୂଚନାଥାଉକି, ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଗଣମାଧ୍ୟମ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚିତ୍ରିତ କରୁଛି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଆର୍ଶିବାଦ ତାଙ୍କ ଉପରେ ଥିବା କୁହାଯାଉଛି । ଯେଉଁଥିପାଇଁ ଅନ୍ୟମାନଙ୍କ ଭଳି ଅପରାଜିତା ଭୁବନେଶ୍ୱରରେ ଦଳରେ ନ ମିଶି ଅମିତ୍ ଶାହାଙ୍କ ଦିଲ୍ଲୀ ବାସଭବନରେ ଦଳରେ ସାମିଲ ହୋଇଥିଲେ । ନିଜେ ଅମିତ୍ ଶାହା ତାଙ୍କୁ ଫୁଲତୋଡ଼ା ଦେଇ ବିଜେପିରେ ଗ୍ରହଣ କରିଥିଲେ । ବିଜେପିର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଏ ପର୍ଯ୍ୟନ୍ତ ଉପସ୍ଥାପିତ ହୋଇ ଆସୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠି ଉପସ୍ଥିତ ଥିଲେ ମଧ୍ୟ ତାଙ୍କର ମଳିନ ଚେହେରା ସମସ୍ତେ ଦେଖିଛନ୍ତି । ସୁତରାଂ ଅପରାଜିତା ଯେ ପାୱାରଫୁଲ୍ ଭୂମିକା ନେଇ ଓଡ଼ିଶା ଆସୁଛନ୍ତି ତାହା ଚର୍ଚ୍ଚା ହୋଇଥିଲା ।
ବିଜେପିରେ ଯୋଗଦେଇ ଅପରାଜିତା ଭୁବନେଶ୍ୱର ଆସିବା ଦିନ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । କୌଣସି କାରଣରୁ ଦଳର ତଥାକଥିିତ ପ୍ରଭାବଶାଳୀ ଗୋଷ୍ଠୀ କି ବରିଷ୍ଠ ନେତା ତାଙ୍କୁ ସ୍ୱାଗତ ଜଣାଇବାକୁ ଏୟାରପୋର୍ଟ ଯାଇ ନ ଥିଲେ । କେବଳ ଭୁବନେଶ୍ୱର ବିଜେପି ସଂଗଠନର ନେତାମାନେ ତାଙ୍କୁ ସ୍ୱାଗତ କରି ଆଣିଥିଲେ । ଏକଦା ବିଜେପିର ସଭାପତି ପ୍ରାର୍ଥୀ କୁହାଯାଉଥିବା ଏବେକାର ଉପସଭାପତି ସମୀର ମହାନ୍ତିଙ୍କ ଭଳି ନେତା ମଧ୍ୟ ଅପରାଜିତାଙ୍କ ଆଗରେ ଥତମତ ହୋଇଥିଲେ । ଭୁବନେଶ୍ୱର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଅପରାଜିତାଙ୍କ ଆଗରେ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଷ୍ପ୍ରଭ ଜଣାପଡୁଥିଲେ । ଅବଶ୍ୟ ଗଣମାଧ୍ୟମ ଚର୍ଚ୍ଚାକୁ ପ୍ରଶମିତ କରିବା ପାଇଁ ଅପରାଜିତା ନିଜକୁ ସାଧାରଣ କର୍ମୀ ବୋଲି ବାଧ୍ୟ ହୋଇ ସଫେଇ ଦେଇଥିଲେ ।
ତେବେ ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ପଛରେ ଅପରାଜିତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାବାସୀ ବିଶେଷକରି ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟରଙ୍କ ପାଖରେ ଅପରାଜିତାଙ୍କୁ ଇଣ୍ଟ୍ରୋଡ୍ୟୁସ୍ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିବା କୁହାଯାଉଛି । ଆଉ ଏତିକି ବେଳେ ଅପରାଜିତାଙ୍କ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏହି ଭିଡ଼ିଓରୁ ଦୁଇଟି କଥା ଧରାପଡ଼ିଛି । ତାହାହେଲା, ବିଜେପିରେ ଗୋଷ୍ଠୀ କନ୍ଦଳ ପ୍ରବଳ ରହିଥିବା ଅପରାଜିତା ଅନୁଭବ କରିସାରିଛନ୍ତି ଯାହା ତାଙ୍କୁ ବରଦାସ୍ତ ହୋଇନି । ଆଉ ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ବିଜେପିରେ ଅପରାଜିତା ରାଜ୍ ର ସୂଚନା । ଅପରାଜିତା ସେତିକି ଶକ୍ତି ପାଇଛନ୍ତି ବୋଲି ବିଶୃଙ୍ଖଳିତ କର୍ମୀଙ୍କୁ ନାଲି ଆଖି ଦେଖାଇ ପାରୁଛନ୍ତି । ଏହି ଶକ୍ତିରେ ବିଜେପିର ଭାବୀ ମୁଖ୍ୟମନ୍ତ୍ରୀ ଚେହେରା ଉଭା ହୋଇଥିବା ଚର୍ଚ୍ଚା ହେଉଛି ।