ବିଜେଡ଼ି ଜିତିବ ୨୧ଟି ଯାକ ଲୋକସଭା ଆସନ
ଭୁବନେଶ୍ୱର: ଓଡ଼ିଶାରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ । ତାଙ୍କ ସମକକ୍ଷ କେହି ନାହାନ୍ତି । ଏବେ ଲୋକସଭା ନିର୍ବାଚନ ହେଲେ ବିଜୁ ଜନତା ଦଳ(ବିଜେଡ଼ି) ୨୧ଟି ଯାକ ଲୋକସଭା ଆସନରେ ବିଜୟୀ ହେବ । ସଦ୍ୟ ଇଣ୍ଡିଆ ଟୁଡେ ସଂସ୍କରଣର ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି । ବିଜେପି ସମର୍ଥିତ ଚାନେଲ କୁହାଯାଉଥିବା ଟାଇମସ୍ ନାଓ ନିକଟରେ ତାର ସର୍ଭେ ରିପୋର୍ଟରେ ବିଜେଡ଼ି ୧୭ ଟି ଲୋକସଭା ଆସନରେ ବିଜୟୀ ହେବ ବୋଲି କହିଥିଲା ବେଳେ ବିଜେପି ୪ଟି ଆସନ ପାଇବ ବୋଲି କହିଥିଲା ।
ଦେଶର ଶ୍ରେଷ୍ଠ ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାର ୬ ନମ୍ବରରେ ଅଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ତଳକୁ ଅଛନ୍ତି କର୍ଣ୍ଣାଟକ, ଆସାମ, ଗୋଆ, ଗୁଜରାଟ, ହରିଆନା, ମହାରାଷ୍ଟ୍ର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ । ୧୩ ପ୍ରତିଶତ ସମର୍ଥନ ପାଇ ଏହି ତାଲିକାର ଶୀର୍ଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁଇ ନମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲା ଅଛନ୍ତି ।
ଏବେ ନିର୍ବାଚନ ହେଲେ ଦେଶର ରାଜନୈତିକ ସ୍ଥିତି କ’ଣ ହେବ ଏବଂ କିଏ ସରକାର ଗଢ଼ିବ ? ଏ ନେଇ ସମଗ୍ର ଦେଶରୁ ଜନମତ ସଂଗ୍ରହ(ମୁଡ୍ ଅଫ ନେସନ୍) କରିଥିଲା ଇଣ୍ଡିଆ ଟୁଡେ । ଏହି ଜନମତ ଆଧାରରେ ସମ୍ଭାବ୍ୟ ରାଜନୈତିକ ଦୃଶ୍ୟପଟ ଏଭଳି ଆକଳନ କରାଯାଇଛି ।
ସମ୍ଭାବନା-୧: ସମାଜବାଦୀ ପାର୍ଟି, ବହୁ ଜନ ସମାଜ ପାର୍ଟି ଓ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ୟୁପିଏ ମେଣ୍ଟ ବାହାରେ ରହିଲେ ୟୁପିଏକୁ ମିଳିବ ୧୨୨ ସିଟ୍ । ଏନଡିଏକୁ ୨୮୧ ଏବଂ ଅନ୍ୟାନ୍ୟ ଦଳ ପାଇବେ ୧୪୦ ସିଟ୍ । ଭୋଟ ପ୍ରତିଶତ ଦୃଷ୍ଟିରୁ ଏନଡିଏକୁ ୩୬%, ୟୁପିଏକୁ ୩୧% ଏବଂ ଅନ୍ୟାନ୍ୟ ଦଳ ପାଇବେ ୩୩% ଭୋଟ ।
ସମ୍ଭାବନା-୨: ୟୁପିଏ ସାଥୀରେ ସମାଜବାଦୀ ପାର୍ଟି, ବହୁ ଜନ ସମାଜ ପାର୍ଟି ଓ ତୃଣମୂଳ କଂଗ୍ରେସ ରହିଲେ ମେଣ୍ଟ କୁ ୨୨୪ ସିଟ୍ ମିଳିବ । ଏହି ସମୀକରଣରେ ଏନଡିଏ ପାଇବ ୨୨୮ ସିଟ୍ । ଅନ୍ୟାନ୍ୟ ଦଳକୁ ମିଳିବ ୯୧ ସିଟ୍ । ଭୋଟ ପ୍ରତିଶତ ଦେଖିଲେ ୟୁପିଏ ତଳେ ରହିବ ଏନଡିଏ । ୟୁପିଏକୁ ୪୧ % ଏବଂ ଏନଡିଏକୁ ୩୬ % ଭୋଟ ମିଳିବ । ଏଭଳି ପରିସ୍ଥିତିରେ ଏନଡିଏ ଓ ୟୁପିଏ ବାହାରେ ଥିବା ବିଜେଡ଼ି ଭଳି ଆଞ୍ଚଳିକ ଦଳର ଭୂମିକା ନିର୍ଣ୍ଣାୟକ ହେବ ।
ସମ୍ଭାବନା-୩: ଏନଡିଏ ସାଙ୍ଗରେ ଏଆଇଏଡିଏମକେ ଏବଂ ୱାଇଏସଆର୍ ରହିଲେ ଏନଡିଏକୁ ୨୫୫ ସିଟ୍ ଏବଂ ୟୁପିଏକୁ ୨୪୨ ସିଟ୍ ମିଳିବ । ଭୋଟ ପ୍ରତିଶତରେ ଏନଡିଏ ସପକ୍ଷରେ ୪୧% ଏବଂ ୟୁପିଏ ସପକ୍ଷରେ ୪୩% ଭୋଟ ରହିବ ।
ସମ୍ଭାବନା-୪: ଏନଡିଏ ସାଥୀରେ ବିଜେଡ଼ି ଏବଂ ଟିଆରଏସ୍ ର ପ୍ରାକ୍ ନିର୍ବାଚନୀ ମେଣ୍ଟ ହେଲେ ଏନଡିଏକୁ ୨୮୨ ଏବଂ ୟୁପିଏକୁ ୨୪୨ ସିଟ୍ ମିଳିବ ।
ଦେଶର ରାଜନୈତିକ ଚିତ୍ରପଟରେ ବିଜୁ ଜନତା ଦଳର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ସର୍ଭେରୁ ସ୍ପଷ୍ଟ ହୋଇଛି । ସଂଖ୍ୟା ଖେଳରେ ଏନଡିଏ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ବିଜେଡ଼ିର ଭୂମିକା ନିର୍ଣ୍ଣାୟକ ହେବ ବୋଲି ସଙ୍କେତ ଦିଆଯାଇଛି ।