ଭୁବନେଶ୍ୱର: ବିଶ୍ୱକପ୍ ହକିର ପ୍ରମୋଶନ ପାଇଁ କଟକ ଆସିଥିବା ବଲିଉଡ ଦବଙ୍ଗ ସଲମାନ୍ ଖାନ୍ ଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ତୁତିଗାନ୍ ବିରୋଧୀଙ୍କୁ ଇର୍ଷାନ୍ୱିତ କରିଛି । ନବୀନଙ୍କ ସହ ସଲମାନ୍ ଙ୍କ ସେଲଫି ସେମାନଙ୍କ ଦେହରେ ଯାଇନି । ସେଲିବ୍ରିଟିଙ୍କ ମୁହଁରେ ନବୀନଙ୍କ ଭୂରି ଭୂରି ପ୍ରଶଂସା ସେମାନଙ୍କୁ ବିଚଳିତ କରିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଫେସବୁକ୍ ରେ ପୋଷ୍ଟ କରିଥିବା ଲେଖାରୁ ଏହାର ପ୍ରମାଣ ଦେଖିବାକୁ ମିଳିଛି ।
ବିଶ୍ୱକପ୍ ହକିର ପ୍ରମୋଶନ୍ ପାଇଁ ଆସିଥିବା ସଲମାନ୍ ଖାନ୍ ୧.୮୯ କୋଟିର ଏକ ଚେକ୍ ନେଇଥିବା ଲେଖାଶ୍ରୀ ଫଟୋଚିତ୍ର ସହ ଦେଖାଇଛନ୍ତି । ଟିପ୍ପଣୀ ଦେଇଛନ୍ତି, ଦକ୍ଷ ପ୍ରଶାସକ ବୋଲାଉଥିବା ନିର୍ଲ୍ଲଜ ନବୀନ ସେଲଫି ପାଇଁ ଏବଂ ନିଜ ଭାବମୂର୍ତ୍ତି ବଢ଼ାଇବାକୁ ଏହି ଫିସ୍ ସଲମାନ୍ ଖାନ୍ ଙ୍କୁ ଦେଇଛନ୍ତି । ଏହା ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଏବଂ ତାଙ୍କ ବାପ ସମ୍ପତ୍ତି ନୁହେଁ । ଲେଖାଶ୍ରୀଙ୍କ ଏହି ପୋଷ୍ଟିଂ ପରେ ଅନ୍ୟ ବିରୋଧୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ସୋସିଆଲ୍ ମିଡ଼ିଆରେ ଟ୍ରୋଲ୍ ଆରମ୍ଭ କରିଛନ୍ତି ।
ଲେଖାଶ୍ରୀଙ୍କ ଏହି ପୋଷ୍ଟିଂ ଉପରେ ବିଜେଡ଼ି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସଲମାନ୍ ଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କୁହାଯାଇଛି । ସଲମାନ୍ ଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ହକି ଇଣ୍ଡିଆ ବହନ କରିଛି । ହକି ଇଣ୍ଡିଆ ଟୁଇଟ୍ କରି ଏହାର ସ୍ପଷ୍ଟୀକରଣ ଦେଇସାରିଛି । ସୁତରାଂ ରାଜ୍ୟ ସରକାର ଏଥିପାଇଁ ଟଙ୍କାଟେ ବି ଖର୍ଚ୍ଚ କରିନାହାନ୍ତି । ଲେଖାଶ୍ରୀ ମିଛ ମନ୍ତବ୍ୟ ଦେଇ ସମଗ୍ର ରାଜ୍ୟ, ମୁଖ୍ୟମନ୍ତ୍ରୀ ଏବଂ ବିଜୁବାବୁଙ୍କୁ ନିନ୍ଦିତ ଓ ଅପମାନିତ କରିଛନ୍ତି । ସେଥିପାଇଁ ସେ କ୍ଷମା ମାଗନ୍ତୁ ।
ବିଜେଡ଼ି ପକ୍ଷରୁ ପୁଣି କୁହାଯାଇଛି ଯେ ଲେଖାଶ୍ରୀଙ୍କ ମନ୍ତବ୍ୟ ଦର୍ଶାଉଛି କି ବିଶ୍ୱକପ୍ କହି ଉଦଘାଟନ ଉତ୍ସବର ସଫଳତାରେ ବିଜେପି ନେତାମାନେ ନିଜର ଶସ୍ତା ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସମଗ୍ର ଓଡ଼ିଶାକୁ ନିନ୍ଦିତ କରିବାକୁ ପଛାଇନାହାନ୍ତି । ବିଶ୍ୱକପ୍ ହକିର ସଫଳ ଆୟୋଜନରେ ସେମାନେ ଓଡ଼ିଶାବାସୀଙ୍କ ଖୁସିରେ ସାମିଲ ନ ହୋଇ ଆର୍ନ୍ତଜାତୀୟ ସ୍ତରରେ ଓଡ଼ିଶାର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବାକୁ ଚେଷ୍ଟା କରିଛନ୍ତି । ଏହାଠାରୁ ଅଧିକ ଲଜ୍ଜା ଆଉ କିଛି ନାହିଁ । ଲେଖାଶ୍ରୀ ନିଜର ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ।







