ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ଜନ୍ମମାଟି ଫେରିବାର ଆଶା ହରାଇ ଦେଇଥିଲେ । କାରଣ ସେମାନେ ଏଭଳି ଅଞ୍ଚଳରେ ଅଛନ୍ତି ଯେଉଁଠି ଗମାନଗମନର କୌଣସି ବ୍ୟବସ୍ଥା ନାହିଁ । ବସ୍ ରେ ଆସିବା ଅସମ୍ଭବ ହୋଇଥିବା ବେଳେ ରେଳ ବ୍ୟବସ୍ଥା ସ୍ୱପ୍ନ । ତେବେ ଏହି ପ୍ରବାସୀମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ରାଜ୍ୟ ସରକାର । ବିମାନ ପଠାଇ ସେମାନଙ୍କୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରାଯାଇଛି ।
ମଣିପୁର, ତ୍ରିପୁରା, ନାଗାଲ୍ୟାଣ୍ଡ, ମେଘାଳୟ, ଆସାମର ଦୁର୍ଗମ ଇଲାକାରେ ୩୦୦ରୁ ଅଧିକ ପ୍ରବାସୀ ଫସି ରହିଛନ୍ତି । ସମସ୍ତଙ୍କୁ ଏୟାର ଏସିଆ ବିମାନରେ ଭୁବନେଶ୍ୱର ଅଣାଯିବ । ପ୍ରଥମ ଦଫାରେ ଆଜି ମଣିପୁରରୁ ୧୮୫ ପ୍ରବାସୀ ଶ୍ରମିକ ଓ ଅନ୍ୟମାନେ ଆସିଛନ୍ତି । ଏମାନଙ୍କୁ ଧରି ଆସିଥିବା ସ୍ୱତନ୍ତ୍ର ବିମାନ ଅପରାହ୍ନ ସାଢ଼େ ଦୁଇଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ୧୩୮ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କୁ ଧରି ଆସୁଥିବା ଆଉ ଏକ ସ୍ୱତନ୍ତ୍ର ବିମାନ ବିଳମ୍ବିତ ସଂଧ୍ୟାରେ ପହଞ୍ଚିଛି । ଆସାମ, ନାଗାଲ୍ୟାଣ୍ଡ, ତ୍ରିପୁରା, ମେଘାଳୟରୁ ଏମାନେ ଫେରିଛନ୍ତି । ସମସ୍ତେ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଅଞ୍ଚଳର ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ କୁ ଦାୟିତ୍ୱ ଦିଆଯାଇଛି । ପ୍ରବାସୀମାନେ ରହୁଥିବା ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରି ସେମାନେ ସମସ୍ତଙ୍କୁ ଫେରାଇ ଆଣିବେ । କୋଭିଡ୍-୧୯ ପ୍ରୋଟୋକଲ୍ ମାନି ସବୁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମସ୍ତ ପ୍ରବାସୀଙ୍କୁ ଫେରାଇ ଆଣିବା ପର୍ଯ୍ୟନ୍ତ ଏହି ମିସନ୍ ଚାଲୁ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟରେ ବିଜେଡ଼ିର ‘ଓଡ଼ିଶା ମୋ ପରିବାର’ ସହଯୋଗ କରୁଛି । ଆଜି ବିମାନବନ୍ଦରରୁ ପ୍ରବାସୀଙ୍କୁ ଆଣିବା ପାଇଁ ‘ଓଡ଼ିଶା ମୋ ପରିବାର’ ସହ ଆବାହକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରତାପ କେଶରୀ ଦେବଙ୍କ ସମେତ ‘ଓଡ଼ିଶା ମୋ ପରିବାର’ ଟିମ୍ ଉପସ୍ଥିତ ଥିଲେ ।