ଭୁବନେଶ୍ୱର: ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ । ଶିଳ୍ପ ମହାକୁମ୍ଭ କୁହାଯାଉଥିବା ଏହି ମେଗା ଇନଭେଷ୍ଟର୍ସ ମିଟ୍ ଓ ଏକ୍ସପୋକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଭାଗ ନେଉଥିବା ଶିଳ୍ପ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସେମାନଙ୍କର ସହଯୋଗ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାଗତ ଭାଷଣରେ ଦେଶ ବିଦେଶରୁ ଆସିଥିବା ନିବେଶକାରୀଙ୍କୁ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନାର ଆବିଷ୍କାର କରିବାକୁ ଅନୁରୋଧ କରିଥିଲେ । ଗତ ଦୁଇ ଦଶନ୍ଧୀରେ ଓଡ଼ିଶା ବହୁତ ପ୍ରଗତି କରିଛି । କିଏ ଭାବିଥିଲା, ଦେଶର ସ୍ମାର୍ଟ ସିଟି ଚାଲେଂଜରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିବ? କିଏ ଭାବିଥିଲା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱମାନ ହାସଲ କରିବ? କିଏ ଭାବିଥିଲା, ଦେଶର ଖାଦ୍ୟ ନିରପତ୍ତାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ? କିଏ ଭାବିଥିଲା, ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ? ‘ଏକ ନୂଆ ଓଡ଼ିଶାକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି । ଆସନ୍ତୁ ଏହି ବିକାଶ ଧାରାରେ ଭାଗିଦାର ହୁଅନ୍ତୁ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଉତ୍କର୍ଷତାକୁ ଏହି ଏକ୍ସପୋ ନିଦର୍ଶନ କରୁଛି । ରାଜ୍ୟରେ ଗଢ଼ି ଉଠିଥିବା ଅଧିକାଂଶ ଶିଳ୍ପାନୁଷ୍ଠାନ ଓଡ଼ିଶା ଗଠନରେ ସେମାନଙ୍କର ସଫଳତାର କାହାଣୀ ରଖିଛନ୍ତି । କଳା ଓ ହସ୍ତଶିଳ୍ପ ପାଇଁ ଖ୍ୟାତ ଓଡ଼ିଶା ସମଗ୍ର ଦେଶର ବିକାଶରେ ସହାୟକ ହୋଇଛି । ବିଭିନ୍ନ ଶିଳ୍ପରେ କାର୍ଯ୍ୟ କରୁଥିବା ଓଡ଼ିଶାର ପ୍ରଶିକ୍ଷିତ ଯୁବକ ଯୁବତୀମାନେ ନିଜର କାର୍ଯ୍ୟକୁଶଳତାରେ ଶ୍ରେଷ୍ଠତା ହାସଲ କରିଛନ୍ତି । ଆଇ ଆମ୍ ଓଡ଼ିଶା କ୍ୟାମ୍ପେନ୍ କୁ ସେମାନେ ଆଗକୁ ନେଇପାରିଛନ୍ତି । ଓଡ଼ିଶାକୁ ଏକ ଇଣ୍ଡଷ୍ଟ୍ରିଆଲ୍ ପାୱାରହାଉସ୍ ଭାବେ ଗଢ଼ି ତୋଳିବାରେ ସେମାନଙ୍କର ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେହିମାନଙ୍କ ଉଦ୍ଦେଶ୍ୟରେ ଏକ୍ସପୋକୁ ଉତ୍ସର୍ଗ କରିଥିଲେ ।
ଆଜିକୁ ମିଶାଇ ୫ ଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭ୍ ରେ ଦେଶ ବିଦେଶରୁ ୮୦୦ ପ୍ରତିନିଧି ଓ ୧୫୦ ବିଶେଷଜ୍ଞ ସାମିଲ ହେବେ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଇଲେକଟ୍ରୋନିକ୍ସ, ଆଇଟି, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲସ୍ ଆଦି ୨୪ ଟି ବିଭାଗରେ ନିବେଶକଙ୍କ ସହ ଆଲୋଚନା ହେବ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିଜନେସ୍ ଲିଡରସିପ୍ ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବେ ଉଦବୋଧନ ଦେବେ । ଗୌତମ ଅଡାନୀ, ଆନନ୍ଦ ମହିନ୍ଦ୍ରା, ଅନୀଲ୍ ଅଗ୍ରୱାଲ୍, ଏନ୍. ଚନ୍ଦ୍ରଶେଖରନ୍, କୁମାର ମଙ୍ଗଳମ୍ ବିର୍ଲା ଙ୍କ ସମେତ ଦେଶର ୨୫ ଜଣ ଖ୍ୟାତାନାମା ଶିଳ୍ପପତି ଏଥିରେ ଯୋଗଦେବେ ।