ବିଜୁ ମହିଳା ଜନତା ଦଳ ପୁନର୍ଗଠିତ
ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ମାତ୍ର ୪ ମାସ ବାକି ଥିବା ବେଳେ ଦଳର ମହିଳା ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିରେ ଯୁବ ନେତୃତ୍ୱକୁ ସେ ଗୁରୁତ୍ୱ ଦେଇଛନ୍ତି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପଦରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ଜାଗାରେ ଡ. ମିନତୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି । ବିଦାୟୀ ସଭାନେତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ବିଜୁ ଜନତା ଦଳର ଉପସଭାପତି ଭାବେ ସମ୍ମାନଜନକ ଦାୟିତ୍ୱ ମିଳିଛି । ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ ।
ସେହିଭଳି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ ଏବଂ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ ବିଜୁ ମହିଳା ଜନତା ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସଂଗଠନର ସହ ଉପଦେଷ୍ଟା ଭାବେ ସେମାନେ କାର୍ଯ୍ୟ କରିବେ । ମହିଳା କମିଶନ ଅଧ୍ୟକ୍ଷା ପଦରୁ ଆଜି ଇସ୍ତଫା ଦେଇଥିବା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ପଦରେ ନିଯୁକ୍ତି ମିଳିଛି । ତାଙ୍କ ସହ ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ ଏବଂ ଗୀତାଞ୍ଜଳି ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ପଦ ଦିଆଯାଇଛି । ଶ୍ରୀମତୀ ସୁଲତା ଦେଓଙ୍କୁ ସାଧାରଣ ସମ୍ପାଦିକା ଏବଂ ଶ୍ରୀମତୀ ଏଲିନା ଦାସଙ୍କୁ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି ।