ଭୁବନେଶ୍ୱର: ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ । ଆଜି ସଂଧ୍ୟା ୬.୩୦ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ୫ ଦିନ ଧରି ଏହା ଚାଲିବ । ଏହି ସମ୍ମିଳନୀରେ ଦେଶ ବିଦେଶରୁ ୮୦୦ ଶିଳ୍ପପତି ଏବଂ ୧୫୦ ବିଶେଷଜ୍ଞ ଯୋଗଦେବେ । କନକ୍ଲେଭ ଉଦଘାଟନର ଅବ୍ୟବହିତ ପୂର୍ବରୁ ଆଜି ସକାଳେ କୋଣାର୍କରେ କୋଷ୍ଟାଲ୍ ଫନ୍ ରନ୍, ଖଣ୍ଡଗିରି ଓ ଉଦୟଗିରିରେ ହେରିଟେଜ୍ ୱାକ୍ ଆଦି ଅନୁଷ୍ଠିତ ହୋଇଛି ।
ସୋମବାର ଦିନ ସକାଳ ୧୦.୩୦ରେ ପ୍ଲେନାରି ଅଧିବେସନ ଅନୁଷ୍ଠିତ ହେବ । ୧୨.୩୦ରୁ ୨ ଟା ଯାଏଁ ଅନୁଷ୍ଠିତ ହେବ ବିଜନେସ୍ ଲିଡରସିପ୍ ସମ୍ମିଳନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବେ ଏଥିରେ ଉଦବୋଧନ ଦେବେ । ଗୌତମ ଅଡାନୀ, ଆନନ୍ଦ ମହିନ୍ଦ୍ରା, ଅନୀଲ୍ ଅଗ୍ରୱାଲ୍, ଏନ୍. ଚନ୍ଦ୍ରଶେଖରନ୍, କୁମାର ମଙ୍ଗଳମ୍ ବିର୍ଲା ଙ୍କ ସମେତ ଦେଶର ୨୫ ଜଣ ଖ୍ୟାତାନାମା ଶିଳ୍ପପତି ଏଥିରେ ଯୋଗଦେବେ ।
କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲସ୍ ଆଦି ୧୫ ଟି କ୍ଷେତ୍ରରେ ନିବେଶ ପାଇଁ ନିବେଶକଙ୍କ ପାଇଁ ଆୟାଜିତ ହେବ କ୍ଷେତ୍ରୀୟ ଅଧିବେସନ । କନକ୍ଲେଭର ପାର୍ଟନର୍ ଥିବା ଜାପାନରୁ ଏକ ୨୦ ଜଣିଆ ପ୍ରତିନିଧିମଣ୍ଡଳୀ ସମ୍ମିଳନୀରେ ଯୋଗ ଦେଉଛନ୍ତି । ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଏହି ପ୍ରତିନିଧିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେସନର ଆୟୋଜନ କରାଯାଇଛି । ଶିଳ୍ପପତିଙ୍କୁ ଆକର୍ଷଣ କରି ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବାକୁ ରାଜ୍ୟ ସରକାର ଏହି ଉଦ୍ୟମ କରିଛନ୍ତି । ଏହି ନିବେଶକ ସମ୍ମିଳନରୁ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
୫ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜନତା ମଇଦାନ ଓ ଏହାର ଆଖାପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯିବା ସହ ସମଗ୍ର ଅଞ୍ଚଳକୁ ସିସିଟିଭି ନଜରରେ ରଖାଯାଇଛି । ୧୫ରୁ ଅଧିକ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି । ପଡ଼ିଆ ଭିତରେ ଓ ବାହାରେ ଦୁଇଟି ସ୍ୱତନ୍ତ୍ର ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ସେହିଭଳି ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେମାନେ ରହୁଥିବା ହୋଟେଲ୍ ଗୁଡ଼ିକୁ ପୁଲିସ ଜଗି ରହିବେ । ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ହୋଟେଲରୁ କନକ୍ଲେଭ୍ ସ୍ଥଳକୁ ଅଣାଯିବ ।