ଭୁବନେଶ୍ୱର: ଶୁକ୍ରବାର ଦିନ ପତ୍ନୀ ଓ ଝିଅଙ୍କୁ ସାଙ୍ଗରେ ଧରି ବିଦେଶ ଭ୍ରମଣରେ ଯାଇଥାଆନ୍ତେ କୁଳମଣି ବିଶ୍ୱାଳ । ଭୁବନେଶ୍ୱରରୁ ଦିଲ୍ଲୀ ହୋଇ ଅଷ୍ଟ୍ରେଲିଆ ବାଟ ଧରିଥାଆନ୍ତେ । ମାତ୍ର ତାହା ଫସରଫାଟିଯାଇଛି । ଉପୁରି ଟଙ୍କାରେ ବିଦେଶ ଭ୍ରମଣର ଯୋଜନାକୁ ପଣ୍ଡ କରିଦେଇଛି ସିବିଆଇ । ଉପୁରି ୫ ଲକ୍ଷ ଟଙ୍କା ପକେଟକୁ ଆସିବା ପୂର୍ବରୁ ସିବିଆଇ ହାବୁଡ଼ରେ ପଡ଼ିଯାଇଛନ୍ତି ସେ ।
ଓଡ଼ିଆ ପୁଅ କୁଳମଣି ବିଶ୍ୱାଳ ଏନଟିପିସି(ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ୍)ର ଡାଇରେକ୍ଟର (ଫାଇନାନସ୍) ପଦବୀରେ କାର୍ଯ୍ୟ କରୁଛନ୍ତି । । ଭାରି ନାମଜାଦା ଅଫିସର । କୋଲ୍ ଇଣ୍ଡିଆ ଏବଂ ସେଣ୍ଟ୍ରାଲ୍ ପାୱାର ରେଗୁଲେଟରରେ କାର୍ଯ୍ୟ କଲା ପରେ ୨୦୧୩ ଡିସେମ୍ବରରେ ଏନଟିପିସି ନିର୍ଦ୍ଦେଶକ ମଣ୍ଡଳୀରେ ନିଯୁକ୍ତି ପାଇଛନ୍ତି । ଉପା ସରକାର ବେଳେ ଏନଟିପିସିରେ ନିଯୁକ୍ତି ପାଇଥିବା ବିଶ୍ୱାଳ ବର୍ତ୍ତମାନର ମୋଦି ସରକାରରେ କିଛି ମନ୍ତ୍ରୀଙ୍କ ଗେହ୍ଲାପୁଅ ହୋଇଛନ୍ତି । ସେହି ମନ୍ତ୍ରୀମାନଙ୍କ ସହ ବାବୁ ବିଶ୍ୱାଳଙ୍କର ନିବିଡ଼ ସମ୍ପର୍କ । ମାତ୍ର ଏହି ସମ୍ପର୍କ ତାଙ୍କ ପାଇଁ ବୁମେରାଂ ହୋଇଯାଇଛି । ବିଦେଶ ଭ୍ରମଣ ପାଇଁ ଉପୁରି ଟଙ୍କାକୁ ଅନାଇ ସିବିଆଇ ହାବୁଡ଼ରୁ ବର୍ତ୍ତି ପାରିନାହାନ୍ତି ।
ସିବିଆଇ ସୂତ୍ରର ଖବର ଅନୁଯାୟୀ, ୮ ତାରିଖରୁ ବିଶ୍ୱାଳ ସପରିବାରେ ଅଷ୍ଟ୍ରେଲିଆ ଭ୍ରମଣରେ ଯିବାକୁ ଟିକେଟ୍ କଟା ସରିଥିଲା । ଖର୍ଚ୍ଚ ବାବଦକୁ ୫ ଲକ୍ଷ ଟଙ୍କାର ୟୁଏସ୍ ଡଲାର୍ ମାଗିଥିଲେ ବିଡ଼ିଆର ମାଇନିଂ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ଼ ନିର୍ଦ୍ଦେଶକ ରୋହିତ ରେଡ୍ଡି ବାଥିନାଙ୍କୁ । ଅବଶ୍ୟ ପରେ ସେ ଡଲାର ବଦଳରେ ଟଙ୍କା ଦେବାକୁ ରାଜି କରାଇଥିଲେ । ଭୁବନେଶ୍ୱରରୁ ପରିବାର ନେଇ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କର ଏସିଆନ୍ ଗେମସ୍ ଭିଲେଜ ବାସଭବନରେ ଟଙ୍କା ପହଞ୍ଚାଇବାକୁ କଥା ହୋଇଥିଲା । ସେହି ଟଙ୍କା ଧରି ବିଶ୍ୱାଳ ରାତିରେ ଫ୍ଲାଇଟ୍ ଧରିଥାଆନ୍ତେ । କଥା ଅନୁଯାୟୀ, ରୋହିତ ରେଡ୍ଡି ବାଥିନା ହାୱାଲା ଜରିଆରେ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ତାଙ୍କର ଜଣେ ବିଶ୍ୱସ୍ତ ପ୍ରଭାତ କୁମାରଙ୍କ ହାତରେ ପଠାଇଥିଲେ । ତେବେ ସିବିଆଇ ଏହାର ସୂଚନା ପାଇ ବିଶ୍ୱାଳଙ୍କ ହାତକୁ ଟଙ୍କା ଦେବା ପୂର୍ବରୁ ପ୍ରଭାତ କୁମାରଙ୍କୁ ମାଡ଼ିବସିଥିଲା । ସିବିଆଇ ଅଧିକାରୀମାନେ ତାଙ୍କୁ ସେଠାରେ ଗିରଫ କରିଥିଲେ । ସିବିଆଇ ପ୍ରଭାତଙ୍କ ସମେତ କୁଳମଣି ବିଶ୍ୱାଳ ଓ ରୋହିତ ରେଡ୍ଡି ବାଥିନାଙ୍କ ବିରୋଧରେ ପିସି ଆକ୍ଟ ୧୧ ଏବଂ ୧୨ ଏବଂ ଆଇପିସି ଧାରା ୧୨୦-ବି ରେ ମାମଲା ରୁଜୁ କରିଛି ।
ଉଲ୍ଲେଖଯୋଗ୍ୟ, ଏନଟିପିସିର ସହଯୋଗୀ ହୋଇ କାର୍ଯ୍ୟ କରୁଛି ବିଡ଼ିଆର ମାଇନିଂ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ଼ । ଏନଟିପିସିର ଛତିଶଗଡ଼ ରାଇଗଡ଼ ଜିଲ୍ଲାରେ ଥିବା ତଳାଇପାଲି କୋଲ୍ ବ୍ଲକ୍ ର ଏକ ବଡ଼ ମାଇନିଂ ପ୍ରୋଜେକ୍ଟ କାମକୁ ନିକଟରେ ବିଡ଼ିଆର୍ ସଂସ୍ଥାକୁ ଦିଆଯାଇଛି । ଏନଟିପିସିଠାରୁ ବିଡ଼ିଆର୍ ସଂସ୍ଥାକୁ ବ୍ୟବସାୟିକ ସହଯୋଗ ଦେବାରେ ବିଶ୍ୱାଳ ମଧ୍ୟସ୍ଥି କରୁଥିଲେ ବୋଲି ସିବିଆଇ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।