ଭୁବନେଶ୍ୱର: ବିଜେପିରୁ ଅଲୋଡ଼ା ହୋଇପଡ଼ିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଦଳର ତଥାକଥିତ ମୁଣ୍ଡିଆଳ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ଡ୍ୟାମ ନିର୍ମାଣ ଓ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ପ୍ରସଙ୍ଗରେ ବିଜୟଙ୍କ ମନ୍ତବ୍ୟ ସେମାନଙ୍କୁ ତତେଇ ଦେଇଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବିଜୟଙ୍କୁ ଗୁରୁତ୍ୱହୀନ ନେତା ବୋଲି କଟୁ ଆକ୍ଷେପ କରିଛନ୍ତି । ରାଜନୀତିରେ ଗୁରୁତ୍ୱହୀନ ନେତା ପାମ୍ପଡ଼ ବେଲିବା ଆରମ୍ଭ କରିଛନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ବିଜୟ ମହାପାତ୍ରଙ୍କ ସମ୍ପର୍କରେ ଦଳ ଗୁରୁତର ସହ ବିଚାର କରୁଛି ବୋଲି ସେ ଧମକାଇଛନ୍ତି ।
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜୟ ମହାପାତ୍ରଙ୍କ ଟାର୍ଗେଟ୍ ଓ ତାଙ୍କୁ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳି ନେତାଙ୍କ ସାଂଘାତିକ କଟାକ୍ଷ ବିଜୟ-ବିଜେପି ଲଢ଼େଇପର୍ବକୁ ଜମାଣିଆ କରିଛି । ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ ନିଜ ଦଳର ବିଧାୟକ ଦିଲ୍ଲୀପ ରାୟଙ୍କ ସହ ବିଜେପି ମୁହାଁମୁହିଁ ହୋଇସାରିଥିବା ବେଳେ ମହାନଦୀ ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ସହ ମୁହାଁମୁହିଁ ହୋଇଛି । ଉଲ୍ଲେଖଯୋଗ୍ୟ, ମହାନଦୀ ପାଇଁ ଏକାଠି ଲଢ଼େଇ କରିବାକୁ ଦୁଇ ଦିନ ତଳେ ବିଧାନସଭା ସର୍ବଦଳୀୟ ବୈଠକରେ ସହମତି ହୋଇଛି । ଯେଉଁଥିରେ ବିଜେପି ବି ରହିଛି । ଛତିଶଗଡ଼ ଡ୍ୟାମ ନିର୍ମାଣ କରି ମହାନଦୀ ଜଳକୁ ରୋକୁଛି ବୋଲି ଦଳମତ ନିର୍ବିଶେଷରେ ସମସ୍ତଙ୍କ ମତ । ଜଳବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ ଉପରେ ସମସ୍ତଙ୍କ ସହମତି ଅଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ମୋଟାମୋଟି ଏହି ବିଷୟବସ୍ତୁକୁ ହିଁ ଦୋହରାଇଥିଲେ । ତାଙ୍କ ଯୁକ୍ତି, କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଟ୍ରିବ୍ୟୁନାଲ୍ ଗଠନକୁ ନାଁ କରିବା ଓଡ଼ିଶାର ସ୍ୱାଭିମାନ ଉପରେ ପ୍ରଚଣ୍ଡ ଆଘାତ ଆଣିଛି । ଏହା ପ୍ରମାଣ କରୁଛି ଯେ ଛତିଶଗଡ଼ ସହ କେନ୍ଦ୍ର ମିତ୍ରତା ଓ ଓଡ଼ିଶା ସହ ଶତ୍ରୁତା କରିଛି । ଛତିଶଗଡ଼କୁ କେନ୍ଦ୍ର ଅନ୍ଧ ଭାବେ ସହଯୋଗ କରୁଥିବାରୁ ଛତିଶଗଡ଼ କଥା ଠିକ୍ ଲାଗୁଛି ଏବଂ ଓଡ଼ିଶା କଥା ଭୁଲ୍ ଲାଗୁଛି । ଓଡ଼ିଶା ବିରୋଧରେ ଛତିଶଗଡ଼ର ଷଡ଼ଯନ୍ତ୍ରକୁ କେନ୍ଦ୍ର ସହଯୋଗ କରୁଛି ବୋଲି ବିଜୟ ଅଭିଯୋଗ ଆଣିଥିଲେ ।