ଝାଡ଼ଖଣ୍ଡ, ମହାରାଷ୍ଟ୍ର ପରେ ବିଜେପିକୁ ଦିଲ୍ଲୀ ଷ୍ଟ୍ରୋକ୍!
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍ ଙ୍କ ଆମ୍ ଆଦମୀ ପାର୍ଟି ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢ଼ିବ । କେଜ୍ରିୱାଲ୍ ଙ୍କ ଶକ୍ତି ଆଗରେ ହାର୍ ମାନିବାକୁ ଯାଉଛନ୍ତି ସର୍ବଶକ୍ତିମାନ ନରେନ୍ଦ୍ର ମୋଦି-ଅମିତ୍ ଶାହା । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ସରିବା ପରେ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଏହି ଆକଳନ କରିଛି । ତେବେ ଗତଥର ୬୭ ଆସନ ପାଇଥିବା ଆପ୍ କୁ ଏଥର କମ୍ ଆସନ ମିଳିବ ବୋଲି ଅଧିକାଂଶ ସଂସ୍ଥା ଆକଳନ ଲଗାଇଛନ୍ତି ।
୭୦ ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ସରକାର ଗଢ଼ିବା ପାଇଁ ଦରକାର ୩୬ ଆସନ । ୨୦୧୩ ନିର୍ବାଚନରେ ଆପ୍ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୨୮ଟି ଆସନ ପାଇଥିଲେ ମଧ୍ୟ କଂଗ୍ରେସ ସମର୍ଥନରେ ଅରବିନ୍ଦ କେଜ୍ରିୱାଲ୍ ସରକାର ଗଢ଼ିଥିଲେ । ଜନ ଲୋକପାଳ ନିଯୁକ୍ତି ନେଇ ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ପାରିବାରୁ ୪୯ ଦିନ ପରେ କେଜ୍ରିୱାଲ୍ ଇସ୍ତଫା ଦେଇଥିଲେ । ୨୦୧୫ ନିର୍ବାଚନରେ ଆପ୍ ୬୭ଟି ଆସନ ଦଖଲ କରିଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୩ଟି ଆସନ । ଏବେ ତୃତୀୟ ଥର ପାଇଁ କେଜ୍ରିୱାଲ୍ ଙ୍କ ଆପ୍ ସପକ୍ଷରେ ସ୍ପଷ୍ଟ ଜନମତ ଆସିଥିବା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ଆପ୍ ୫୦ରୁ ଅଧିକ ଆସନ ପାଇବ ବୋଲି ସମସ୍ତଙ୍କର ଆକଳନ କହିଛି । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଆକଳନରେ ଆପ୍ ୫୯ରୁ ୬୮ ଆସନ ପାଇବ ବୋଲି କୁହାଯାଇଛି ।
କାହାର କେତେ ଆକଳନ
ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ
ଆପ୍: ୫୯-୬୮, ବିଜେପି:୨-୧୧
ରିପବ୍ଲିକ୍ ଟିଭି
ଆପ୍: ୪୮-୬୧, ବିଜେପି: ୯-୨୧, କଂଗ୍ରେସ:୦-୧
ଏବିପି ନ୍ୟୁଜ୍-ସି ଭୋଟର
ଆପ୍: ୪୯-୬୩, ବିଜେପି: ୫-୧୯, କଂଗ୍ରେସ:୦-୪
ନ୍ୟୁଜ୍ ଏକ୍ସ-ପୋଲଷ୍ଟ୍ରଟ୍
ଆପ୍: ୫୦-୫୬, ବିଜେପି:୧୦-୧୪
ଟାଇମ୍ସ ନାଓ-ଇପସସ୍
ଆପ୍: ୪୭, ବିଜେପି:୨୩
ଟିଭି9 ଭାରତବର୍ଷ ସିସେରୋ
ଆପ୍: ୫୪, ବିଜେପି: ୧୫, କଂଗ୍ରେସ:୧
ଇଣ୍ଡିଆ ନ୍ୟୁଜ୍ ନେସନ୍
ଆପ୍: ୫୫, ବିଜେପି: ୧୪, କଂଗ୍ରେସ: ୧
ଜନ୍ କି ବାତ୍
ଆପ୍: ୪୮-୬୧, ବିଜେପି: ୯-୨୧, କଂଗ୍ରେସ:୦-୧
ନ୍ୟୁଜ୍ ଏକ୍ସ-ନେତା
ଆପ୍: ୫୩-୫୭, ବିଜେପି: ୧୧-୧୭, କଂଗ୍ରେସ: ୦-୨
ସୂଚନାଥାଉକି, ୭ ମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ବିଜେପି ଦଖଲ କରିଥିଲା । ୬୫ଟି ବିଧାନସଭା ଆସନରେ ବିଜେପି ଆଗୁଆ ଥିଲା । ମାତ୍ର ଏଥର ନିର୍ବାଚନ ଏକଜିଟ୍ ପୋଲ୍ କୁ ବିଶ୍ୱାସ କରାଗଲେ, ବିଧାନସଭା ନିର୍ବାଚନରେ ଚିତ୍ର ବଦଳି ଯାଇଛି । ମୋଦି ମ୍ୟାଜିକ୍, ୬୦ଟି ବିଧାନସଭା କ୍ଷେତ୍ରରେ ଅମିତ୍ ଶାହାଙ୍କ ପ୍ରଚାର, ବିଜେପି ସାଂସଦମାନଙ୍କ ରାତି ଉଜାଗର ଦିଲ୍ଲୀବାସୀଙ୍କୁ ପ୍ରଭାବିତ କରିନାହିଁ । ଆପ୍ ର କାର୍ଯ୍ୟ ଏବଂ ଅରବିନ୍ଦ କେଜ୍ରିୱାଲ୍ ଙ୍କ କରିସ୍ମା ଆଗରେ ସେସବୁ ଫିକା ପଡ଼ିଛି । ଅନ୍ୟପକ୍ଷରେ ପୂର୍ବଥର ଭଳି ଏଥର ମଧ୍ୟ କଂଗ୍ରେସର ସ୍ଥିତି ନାହିଁ କହିଲେ ଚଳେ ।
ତେବେ ଏକଜିଟ୍ ପୋଲ୍ ଫଳାଫଳକୁ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି ୪୮ ଆସନ ପାଇ ସରକାର ଗଢ଼ିବ ବୋଲି ସେ ଦମ୍ଭ ଦେଖାଇଛନ୍ତି । ତେବେ କିଏ ସତ, ଆସନ୍ତା ୧୧ ତାରିଖ ଭୋଟଗଣତି ପରେ ସ୍ପଷ୍ଟ ହୋଇଯିବ ।