ବ୍ରହ୍ମପୁର: ଗଂଜାମ ଜିଲ୍ଲା ଗୋଳନ୍ଥରା ନିକଟରେ ପ୍ରାୟ ୪୫ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ୧୧ କେଭି ଲାଇନ୍ ତାର ଛିଣ୍ଡିପଡ଼ିବାରୁ କରେଣ୍ଟ ଲାଗି ୯ ଜଣ ବସଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାୟ ୨୫ ଯାତ୍ରୀ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
ଏକ ବିବାହ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ବସ୍ ରେ ଲୋକମାନେ ଯାଉଥିବା ବେଳେ ଗୋଳନ୍ଥରା ନିକଟ ମେନ୍ଦରାଜପୁରଠାରେ ଏହି ଅଘଟଣ ଘଟିଛି । ଦୁର୍ବଳ ଅବସ୍ଥାରେ ଥିବା ୧୧ କେଭି ଲାଇନ୍ ତାର ହଠାତ୍ ଛିଣ୍ଡି ଯାଇ ବସ୍ ଉପରେ ପଡ଼ିଥିଲା । ଫଳରେ ବସ୍ ରେ କରେଣ୍ଟ ଚାର୍ଜ ହୋଇ ନିଆଁ ଲାଗିଯାଇଥିଲା । ଯାତ୍ରୀମାନେ ଛଟପଟ ଅବସ୍ଥାରେ ବସ୍ ରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ କରେଣ୍ଟ ଓ ନିଆଁରେ ଫସିଯାଇଥିଲେ । ବସ୍ ଭିତରେ ହିଁ ୩ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଦମକଳବାହିନୀ ଏବଂ ସ୍ଥାନୀୟ ଗ୍ରାମବାସୀ ବସ୍ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଲାଗିପଡ଼ିଥିଲେ ।
ବିଜୁଳି ଆଘାତରେ ମୃତ ବସଯାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏମକେସିଜିରେ ଭର୍ତ୍ତି ହୋଇଥିବା ସମସ୍ତ ୨୫ ଜଣଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଏହି ଅଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବାକୁ ସେମାନେ ଦାବି କରିବା ସହ ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।