ଭୁବନେଶ୍ୱର: ବିଦେଶରେ ଚାକିରି କରୁଥିବା ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ନିକଟରେ କଂଗ୍ରେସ ପ୍ରତିଷ୍ଠା ଦିବସରେ କଂଗ୍ରେସ ଭବନ ଆସିଥିଲେ ସିଦ୍ଧାର୍ଥ । ରାଜନୀତିକୁ ଆସିବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ସେ ମନା କରି ନ ଥିଲେ । ବାପା ଚାହିଁଲେ ରାଜନୀତି କରିବେ ବୋଲି ମନଖୋଲି କହିଥିଲେ ।
ମାତ୍ର ବଡ଼ପୁଅକୁ ରାଜନୀତି ମଇଦାନକୁ ଆଣିବା ପାଇଁ ଚାହିଁନାହାନ୍ତି ସୁର ରାଉତରାୟ । ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ସାନପୁଅ ମନ୍ମଥଙ୍କୁ ବାଛିଛନ୍ତି । ଆଜି ଗଣମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ସାନପୁଅର ଦକ୍ଷତା ଉପରେ ସୁରଙ୍କର ଗଭୀର ଆସ୍ଥା ରହିଛି । ଏପରିକି ତାଙ୍କଠାରୁ ସାନପୁଅ ଅଧିକ ଦକ୍ଷ ବୋଲି ସାର୍ଟିଫିକେଟ୍ ଦେଇଛନ୍ତି । ମନ୍ମଥ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି । ସେ ୨୦ ଦିନ ବିମାନ ଉଡ଼ାଉ ଥିବା ବେଳେ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି । ତେଣୁ ଲୋକଙ୍କ କଥା ମନ୍ମଥ ମୋଠାରୁ ବେଶୀ ବୁଝିବ ବୋଲି ସୁର କହିଛନ୍ତି ।
ତାଙ୍କର ଦୁଇପୁଅ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି ବାହାରେ ରହୁଛନ୍ତି । ତେଣୁ ରାଜନୀତି ପାଇଁ ଆଗ୍ରହୀ ନୁହଁନ୍ତି କି ସେ କାହାରିକୁ ରାଜନୀତିକୁ ଆଣିବା ପାଇଁ ବାଧ୍ୟ କରିବେନି । ଏକଥା ବାରମ୍ବାର କହି ଆସୁଥିଲେ ସୁର ରାଉତରାୟ । ୨୦୧୯ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିଥିଲେ ମଧ୍ୟ ଜଟଣୀ ଆସନରେ କାହାରିକୁ ଉତ୍ତରାଧିକାରୀ କରିବେ ତାହା ଝୁଲାଇ ରଖିଥିଲେ । ଜ୍ୱାଇଁ ପ୍ରସାଦ ହରିଚନ୍ଦନ ହିଁ ଜଟଣୀରେ ତାଙ୍କର ଉତ୍ତରାଧିକାରୀ ହେବେ ବୋଲି ଅନେକ ଚର୍ଚ୍ଚା କରୁଥିଲେ ।
ଠିକ୍ ଏତିକି ବେଳେ କଂଗ୍ରେସ ଭବନରେ ବଡ଼ପୁଅ ସିଦ୍ଧାର୍ଥଙ୍କ ଆର୍ବିଭାବ ହେଲା । ନିଜର ରାଜନୈତିକ ଅଭିସନ୍ଧିକୁ ବୁଲେଇ ବଙ୍କେଇ ଶୁଣାଇ ଦେଇଗଲେ । ସୁତରାଂ ସୁରଙ୍କ ରାଜନୈତିକ ଦାୟାଦ ଭାବେ ସିଦ୍ଧାର୍ଥଙ୍କ ନାଁ ସମସ୍ତେ ନିଶ୍ଚିତ ହୋଇଥିଲେ । ମାତ୍ର ବଡ଼ପୁଅ ସିଦ୍ଧାର୍ଥ ନୁହଁନ୍ତି, ସାନପୁଅ ମନ୍ମଥ ହିଁ ତାଙ୍କର ରାଜନୈତିକ ଦାୟାଦ ବୋଲି ସୁରଙ୍କ ଅଚାନକ ଘୋଷଣା ପରେ ସୁର ରାଉତରାୟଙ୍କ ପରିବାର ରାଜନୀତିକୁ ନେଇ ଉଷ୍ମତା ବଢ଼ିଛି । କେହି କେହି ଏହାକୁ ସୁରଙ୍କ ପରିବାର କଳି ବୋଲି ମଧ୍ୟ କଟାକ୍ଷ କରୁଛନ୍ତି ।
ସୂଚନାଯୋଗ୍ୟ, ସୁର ରାଉତରାୟଙ୍କ ଜ୍ୱାଇଁ ଭାବେ ପ୍ରସାଦ ହରିଚନ୍ଦନ ଜଣାଶୁଣା । ତାଙ୍କର ଅନ୍ୟ ଜଣେ ଜ୍ୱାଇଁ ଶିବ ପ୍ରସାଦ ଭଞ୍ଜ ବିଜେପିରେ ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ସେ ଖଣ୍ଡପଡ଼ାରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ । ରାଜନୀତିରେ ସକ୍ରିୟ ଥିବା ପୁତୁରା ସଂଗ୍ରାମ ରାଉତରାୟଙ୍କ ସହ ତାଙ୍କର ଶତ୍ରୁତା ସମସ୍ତେ ଜାଣନ୍ତି । ୨୦୧୪ ନିର୍ବାଚନରେ ସଂଗ୍ରାମ ହିଁ ତାଙ୍କର ବିଧାନସଭା ବାଟ ଓଗାଳିଥିଲେ ।