ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଟି ଜାଗାରେ କରୋନା ଟେଷ୍ଟିଂ ପାଇଁ ଆଇସିଏମଆର ଅନୁମତି ଦେଇଛନ୍ତି । ସମ୍ ମେଡ଼ିକାଲ୍ କଲେଜ ଏବଂ ଆମ୍ରି ହସ୍ପିଟାଲ୍ ରେ ଏଣିକି କୋଭିଡ୍ ପରୀକ୍ଷା ହେବ । ଏହି ଦୁଇ ଜାଗାକୁ ମିଶାଇ ଭୁବନେଶ୍ୱରରେ ଟେଷ୍ଟିଂ ଲାବୋରେଟୋରି ସଂଖ୍ୟା ୬ ହୋଇଥିବା ବେଳେ ରାଜ୍ୟରେ ସଂଖ୍ୟା ପହଞ୍ଚିଛି ୧୦ ।
ପୁର୍ବରୁ ଭୁବନେଶ୍ୱର ଆର୍ଏମ୍ଆରସି ସହ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ,ଏମସ୍ ଏବଂ ଆପୋଲୋ କୋଭିଡ୍ ପରୀକ୍ଷା କରୁଛନ୍ତି। ସମ୍ବଲପୁରରେ ଭିଏସ୍ଏସ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, କଟକରେ ଏସ୍ସିବି, ବ୍ରହ୍ମପୁରରେ ଏମ୍କେସିଜିଳ ରାଉରକେଲାରେ ଆଇଜି ହସ୍ପିଟାଲ୍କୁ ମଧ୍ୟ ପୂର୍ବରୁ କୋଭିଡ୍ ପରୀକ୍ଷା ଅନୁମତି ମିଳିସାରିଛି ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଇଏମଏସ ଓ ସମ ହସ୍ପିଟାଲକୁ କୋଭିଡ୍ ପରୀକ୍ଷଣ ଅନୁମତି ମିଳିଲା ପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଇଛି । ୧୦୦୦ ଶଯ୍ୟା ବିଶିଷ୍ଟ ଏହି ଟିଚିଙ୍ଗ ହସ୍ପିଟାଲ ହେଉଛି ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଯିଏକି କରୋନା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ ହୋଇଛି ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର । କରୋନା ପରୀକ୍ଷଣ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ ।
ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩୦୦ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ । ଚଳିତ ମାସ ସମ ହସ୍ପିଟାଲ ର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀ କୁ ଏହି ପରୀକ୍ଷା ନିମନ୍ତେ ଏନଏବିଏଲ ପକ୍ଷରୁ ଅନୁମତି ମିଳି ଥିଲା ବୋଲି ଡାକ୍ତର ଦାସ କହିଛନ୍ତି।