*ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା
*‘ଆତ୍ମନିର୍ଭର ଭାରତ’ ମନ୍ତ୍ର ଦେଲେ ମୋଦି
*ପ୍ୟାକେଜ୍ ରୁ ସବୁ ବର୍ଗ ଉପକୃତ ହେବେ
*ମେ ୧୮ ରୁ ଲକ୍ ଡାଉନ୍ ୪.୦
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଗରିବ, ଖଟିଖିଆଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ପାଇଁ ଏହି ପ୍ୟାକେଜ୍ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଆମର ସାଧାରଣ ଜୀବନକୁ ଦୋହଲାଇ ଦେଇଥିଲେ ମଧ୍ୟ ଆମେ ଏଥିରେ ହାରିବାର ନାହିଁ । କରୋନା ସଙ୍କଟ ଆମକୁ ଆହୁରି ଶକ୍ତିଶାଳୀ ହେବାର ସୁଯୋଗ ଦେଇଛି । ଆତ୍ମନିର୍ଭର ଭାରତର ସଂକଳ୍ପ ନେଇ ଆମେ ସଫଳତାର ସହ ଆଗକୁ ବଢ଼ିବା ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୃଢ଼ ଆଶ୍ୱାସନା ଦେଇଛନ୍ତି ।
ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଭାରତର ଜିଡିପିର ୧୦% । ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ଅର୍ଥ ମନ୍ତ୍ରଣାଳୟ ଏହାର ବିସ୍ତାର ରୂପରେଖ ଘୋଷଣା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କର ୩୩ ମିନିଟ୍ ର ଉଦବୋଧନରେ କହିଛନ୍ତି, ଆମ ପାଖରେ ସାଧନ ଓ ସାମର୍ଥ ଅଛି । ଦୁନିଆର ସବୁଠୁ ବଡ଼ ଟାଲେଣ୍ଟ ରହିଛନ୍ତି । ଆମ ପାଇଁ କୌଣସି ଜିନିଷ ଅସମ୍ଭବ ନୁହେଁ । ତେଣୁ ଭାରତ ଅଲବତ୍ ଆତ୍ମନିର୍ଭର ହେବ । ଇକୋନୋମି, ଇନଫ୍ରାଷ୍ଟକଚଳ, ସିଷ୍ଟମ୍, ଡେମୋଗ୍ରାଫି ଏବଂ ଡିମାଣ୍ଡ ଏହିଭଳି ୫ଟି ପିଲର୍(ସ୍ତମ୍ବ) ଉପରେ ଛିଡ଼ା ହୋଇଛି ଦେଶ । ଆମେ ଏହାର ସମ୍ପୂର୍ଣ୍ଣ ଉପଯୋଗ କରିବାର ସମୟ ଆସିଛି । ଡିମାଣ୍ଡ ବଢ଼ାଇବା ସହ ସପ୍ଲାଇ ଚେନ୍ ବଢ଼ାଇବା ଜରୁରୀ । ଆମେ ଏହାକୁ ନିଶ୍ଚିତ ମଜବୁତ କରିବା ।
କରୋନା ସଙ୍କଟର ସାମନା କରିବାକୁ ଆତ୍ମନିର୍ଭର ହିଁ ଏକମାତ୍ର ରାସ୍ତା । ୨୦୨୦ ରେ ଦେଶର ବିକାଶ ଯାତ୍ରାକୁ ଏହି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଆଗକୁ ନେବ । ଏହି ଆର୍ଥିକ ପ୍ୟାକେଜ୍ ରେ ଲ୍ୟାଣ୍ଡ, ଲେବର, ଲିକୁ୍ୟଡିଟି, ଲ କୁ ଗୁରୁତ୍ୱ ଦିଆଯିବ । ସଂଗଠିତ, ଅସଂଗଠିତ ସବୁ କ୍ଷେତ୍ରରେ ଶ୍ରମିକ, କିଷାନ, ମଧ୍ୟବିତ୍ତ ଙ୍କୁ ବଞ୍ଚିବାର ରାହା ଦେବ । କ୍ଷୁଦ୍ର, ମଧ୍ୟମ, କୁଟୀର ଶିଳ୍ପଠାରୁ ଆରମ୍ଭ କରି ଛୋଡ଼ ବଡ଼ ସବୁ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ, ପୁଞ୍ଜିନିବେଶ ବଢ଼ିବା ସହ ମେକ୍ ଇନ ଇଣ୍ଡିଆକୁ ସଶକ୍ତ କରିବ । ସର୍ବୋପରି ଅର୍ଥନୀତିକୁ ସୁଦୃଢ଼ କରିବ । ଆତ୍ମବଳ ଦ୍ୱାରା ଏସବୁ ସମ୍ଭବ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ଭାଇରସ୍ ସାରା ଦୁନିଆକୁ ଆଣ୍ଠେଇ ଦେଇଛି । ଆମେ ଏମିତି ସଙ୍କଟ ଦେଖି ନ ଥିଲୁ କି ଶୁଣି ନ ଥିଲୁ । ମାନବଜାତି ପାଇଁ ଏହା ଅକଳ୍ପନୀୟ, ଅଦ୍ଭୂତପୂର୍ବ । ବିଶ୍ୱବ୍ୟାପୀ ଗବେଷକ, ଡାକ୍ତରଙ୍କ ମତରେ କରୋନା ଲମ୍ବା ସମୟ ଧରି ଆମ ଜୀବନକୁ ଛାଇ ରଖିବ । ତେବେ ଆମେ ଏଥିରେ ନିଜକୁ ସୀମିତ ରଖିବା ନାହିଁ । କରୋନା ଆମକୁ ଦୋହଲାଇଦେଇଛି ସତ ହେଲେ ଆମେ ଏହାକୁ ଡରିବାନି କି ଅଟକିଯିବାନି । ଲକ୍ଷ୍ୟରୁ ଦୂରେଇ ଯିବାନି । ବିପଦ ଆମ ପାଇଁ ବଡ଼ ସୁଯୋଗ ଆଣିଛି । ଆମେ ସମସ୍ତଙ୍କୁ ତାକତ୍ ଦେବା । ଲୋକାଲ୍ ମାର୍କେଟ୍ କୁ ଜୀବନ ମନ୍ତ୍ର କରିବାର ଅଛି । ଏହି ଲୋକାଲ୍ ମାର୍କେଟ୍ ରୁ ଆମେ ଗ୍ଲୋବାଲ୍ ମାର୍କେଟ୍ ରେ ଆଧିପତ୍ୟ ଜାହିର କରିପାରିବା । ଏହି ଲୋକାଲ୍ ପାଇଁ ଆମକୁ ଭୋକାଲ୍ ହେବାକୁ ପଡ଼ିବ ।
ଦୁନିଆ ସଙ୍କଟ ବେଳେ ଆମର ସଂକଳ୍ପକୁ ଆହୁରି ମଜବୁତ କରିବାକୁ ପଡ଼ିବ । ଆମର ସଂକଳ୍ପ, ସଙ୍କଟଠାରୁ ଆହୁରି ବଡ଼ ହେବା ଦରକାର । ବିଶ୍ୱର ଆର୍ଥିକ ସ୍ଥିତିରୁ ଆମକୁ ଗୋଟିଏ ମାର୍ଗ ମିଳିଛି ତାହା ହେଲା ଆତ୍ମ ନିର୍ଭର ଭାରତ । ଆମେ ପୂର୍ବରୁ ବହୁତ ସଙ୍କଟକୁ ସାମନା କରିଛେ । କିନ୍ତୁ ହାରିନାହୁଁ । ଭାରତର ସଂସ୍କୃତି, ସଂସ୍କାର, ସଂକଳ୍ପ ବିଶ୍ୱକୁ ରାସ୍ତା ଦେଖାଇଛି । ଭାରତର ଆତ୍ମନିର୍ଭରତା ସଂସାରକୁ ସୁଖ, ସହଯୋଗ ଓ ଶାନ୍ତିର ବାର୍ତ୍ତା ଦେଇଛି । ଏକ ସୁଖୀ, ସମୃଦ୍ଧ ବିଶ୍ୱର ସମ୍ଭାବନା କେବଳ ଭାରତ ଦେଇପାରିବ । ବିଶ୍ୱ ମାନବଜାତିର କଲ୍ୟାଣ ପାଇଁ ଭାରତକୁ ନେତୃତ୍ୱ ନେବାର ସୁଯୋଗ ଆସିଛି । ଆତ୍ମନିର୍ଭର ଭାରତ ହିଁ ଏହାକୁ ସମ୍ଭବ କରିପାରିବ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଲକ୍ ଡାଉନ୍ ୪.୦ ଇସାରା
ମୋଦି ତାଙ୍କ ଅଭିଭାଷଣ ଶେଷରେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ର ଇସାରା ଦେଇଛନ୍ତି । ଏକ ନୂଆ ରୂପରେ ଆସନ୍ତା ୧୭ ତାରିଖ ପୂର୍ବରୁ ଏହା ଘୋଷଣା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୮ ତାରିଖରୁ ନୂଆ ନିୟମ ସହ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ହେବ ।