ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିରେ ଚିତ୍ରିତ ହେଉଛନ୍ତି । ଓଡ଼ିଶାରେ ବିଜେପିକୁ କ୍ଷମତାସୀନ କରାଇବାର ଟାଣପଣ କରିଛନ୍ତି ସେ । ଅମିତ୍ ଶାହାଙ୍କୁ ଧରି ମିଶନ୍ ୧୨୦ ହାସଲ ଲକ୍ଷ୍ୟରେ ଯାତ୍ରା କରୁଛନ୍ତି । ମାତ୍ର ଲଜ୍ଜା ଓ ଦୁର୍ଭାଗ୍ୟକୁ ତାଙ୍କ ନିଜ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାରେ ସେ ନିଜ ଦଳର ଅଣ୍ଟା ସଳଖିବାକୁ ସକ୍ଷମ ହୋଇପାରିନାହାନ୍ତି । ଆଜି ହିନ୍ଦୋଳ ଏନଏସି ଫଳ ଘୋଷଣା ହେବା ପରେ ଧର୍ମେନ୍ଦ୍ର ନିଜ ଜିଲ୍ଲାରେ ପ୍ରତ୍ୟାଖ୍ୟାତ ବୋଲି ଚର୍ଚ୍ଚା ହେଉଛି । ହିନ୍ଦୋଳ ଏନଏସିର ୧୬ ଟି ୱାର୍ଡରୁ ମାତ୍ର ଗୋଟିଏ ୱାର୍ଡରେ ଜିତିଛନ୍ତି ବିଜେପି ପ୍ରାର୍ଥୀ । ବାକି ୧୫ଟି ୱାର୍ଡରେ ବିଜେପି ହୋଇଛି ଫକଡ଼ରାମ୍ ।
ହିନ୍ଦୋଳର ଦୁଇ ତିନିଟି ୱାର୍ଡକୁ ଛାଡ଼ିଦେଲେ ବାକି ୱାର୍ଡଗୁଡ଼ିକରେ ବିଜେପି ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଛି । ବିଜେଡ଼ି ପ୍ରାର୍ଥୀଙ୍କଠାରୁ ସେମାନେ ଶତାଧିକ ଭୋଟରେ ପରାସ୍ତ ହୋଇଛନ୍ତି । ୧୧ ନମ୍ବର ୱାର୍ଡରେ ବିଜେଡ଼ି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କୁ ସର୍ବାଧିକ ୨୩୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଏକମାତ୍ର ୧୬ ନଂ ୱାର୍ଡରେ ବିଜେପି ପ୍ରାର୍ଥୀ ମାତ୍ର ୧୬ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି । ହିନ୍ଦୋଳ ଏନଏସିରେ ବିଜେପିର ସ୍ଥିତି କେତେ ଦୁର୍ବଳ ତାହା ଏହି ନିର୍ବାଚନ ଫଳାଫଳ ଜଣେଇ ଦେଇଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଅବିଭକ୍ତ ଜିଲ୍ଲା ହୋଇଥିବାରୁ ହିନ୍ଦୋଳ ଏନଏସି ଫଳାଫଳକୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶେଷ ଗୁରୁତ୍ୱ ଦେଇଥିଲେ । ରାଜନୀତିରେ ରୁଚି ରଖୁଥିବା ସାଧାରଣ ଜନତା ମଧ୍ୟ ହିନ୍ଦୋଳକୁ ନେଇ ଆଗ୍ରହ ରଖିଥିଲେ । କ୍ଷମତାଶାଳୀ ଓ ଧନଶାଳୀ ଧର୍ମେନ୍ଦ୍ରଙ୍କର ନିଜ ଅଞ୍ଚଳରେ କେତେ ପତିଆରା ହିନ୍ଦୋଳରୁ ତାହାର ଝଲକ ପାଇବା ପାଇଁ ସମସ୍ତେ ଚାହିଁ ରହିଥିଲେ । ମାତ୍ର ଯାହା ଭାବୁଥିଲେ ସେୟା ଦେଖିନାହାନ୍ତି । ଧର୍ମେନ୍ଦ୍ର ବାରମ୍ବାର ଓଡ଼ିଶା ଆସୁଥିଲେ ମଧ୍ୟ ନିଜ ଜିଲ୍ଲାରେ ଦଳ ଓ ସଂଗଠନକୁ ମଜବୁତ କରିପାରିନାହାନ୍ତି ବୋଲି ପ୍ରମାଣିତ ହୋଇଛି । ସେଠାରେ ୫ ବର୍ଷ ତଳର ସାଂଗଠନିକ ସ୍ଥିତିରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇନି । ଭୋଟରଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ନଗନ୍ୟ ହୋଇପାରେ, ହେଲେ ଭାତ ହାଣ୍ଡିରୁ ଗୋଟେ ଚିପିଲା ଭଳି ଏହି ନିର୍ବାଚନ ଫଳ ସଙ୍କେତ ଦେଇଛି ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ବିଜେପୁର ଉପିର୍ବାଚନରେ ବିଜେପିର ନେତୃତ୍ୱ ନେଇଥିଲେ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ । ୬ ଦିନ କାଳ ସେଠାରେ ବୁଲି ବୁଲି ପ୍ରଚାର କରିଥିଲେ । ନିଜେ ସେଠାରେ ରହି ସବୁ କାର୍ଯ୍ୟ ପରିଚାଳନା କରୁଥିଲେ । ନିଶ୍ଚିତ ବିଜୟୀ ହେବୁ ବୋଲି ପ୍ରଥମରୁ ହିଁ ଦମ୍ଭ ଦେଖାଇଥିଲେ ଧର୍ମେନ୍ଦ୍ର । ମାତ୍ର ତାଙ୍କ ଦଳର ପ୍ରାର୍ଥୀ ସେଠାରେ ୪୧ ହଜାର ଭୋଟ ପଛରେ ପଡ଼ି ହାରିଗଲେ । ବିଜେପୁରରୁ ଏଭଳି ମସ୍ତବଡ଼ ପରାଜୟ ଚୋଟ ଖାଇଲା ପରେ ଧର୍ମେନ୍ଦ୍ର ଲମ୍ବା ସମୟ ଧରି ଓଡ଼ିଶା ଫେରି ନ ଥିଲେ । ଏବେ ନିଜକୁ ସ୍ୱାଭାବିକ କରି ଅମିତ୍ ଶାହାଙ୍କ ସହ ପଶ୍ଚିମ ଓଡ଼ିଶା ବୁଲୁଥିବା ବେଳେ ସେହି ପଶ୍ଚିମ ଓଡ଼ିଶାର ଅତାବିରା ଆଉ ନିଜ ଅଞ୍ଚଳରେ ଏନଏସି ରେଜଲ୍ଟ ତାଙ୍କର ବିଜେପୁର କଟା ଘାରେ ଚୂନ ଲଗାଇଲା ଭଳି ଅବସ୍ଥା ହୋଇଛି ।