ଜୁନ୍ ୧୭ ଯାଏଁ ବନ୍ଦ ରହିବ ସ୍କୁଲ୍, କଲେଜ
ଭୁୁବନେଶ୍ୱର: ଲକ୍ ଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଏହା ଘୋଷଣା କରିଛନ୍ତି । ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ରାଜ୍ୟ ସରକାର ସୁପାରିଶ କରିଛନ୍ତି । ଏହି ସମୟ ପର୍ଯ୍ୟନ୍ତ ଟ୍ରେନ୍ ଓ ବିମାନ ସେବା ବନ୍ଦ ପାଇଁ ଅନୁରୋଧ କରାଯାଇଛି ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ରାଜ୍ୟର ସବୁ ସ୍କୁଲ, କଲେଜକୁ ଜୁନ୍ ୧୭ ଯାଏଁ ବନ୍ଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧ ଲକ୍ଷ ରାପିଡ୍ ଟେଷ୍ଟିଂ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଭିନ୍ନ ରାଜ୍ୟରେ ରହିଯାଇଥିବା ଓଡ଼ିଶାର ଶ୍ରମିକମାନଙ୍କ ଯତ୍ନ ନେବା ପାଇଁ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଅନ୍ୟ ରାଜ୍ୟ ଶ୍ରମିକମାନଙ୍କର ଯତ୍ନ ନେଉଛନ୍ତି । ଲକ୍ ଡାଉନ୍ ସମୟରେ କୃଷି କାର୍ଯ୍ୟ ଜାରି ରହିବ । ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ । କିନ୍ତୁ ଏ ସବୁ କାମରେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଲକ୍ ଡାଉନ୍ ସମୟରେ ମାଲ୍ ପରିବହନରେ ବାଧା ସୃଷ୍ଟି ନ ହେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରାଜ୍ୟବାସୀଙ୍କ ସହଯୋଗ ଓ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
“ଗତ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା କେସ୍ ଆସିଲା । ତାପରଠୁ ଆଜି ପର୍ଯ୍ୟନ୍ତ ୪୨ଟି କେସ୍ ଆସିଛି । ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି ।
ଏହି ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍ ୩,୦୦୦ରୁ ଆସି ୪ ଲକ୍ଷରେ ପହଞ୍ଚିଲାଣି । ୯/୧୧ ର ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତା’ ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି । ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବରେ ଲକ୍ ଡାଉନ୍ କରିନାହିଁ ।
ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଅନେକ ତ୍ୟାଗ କରିବାକୁ ପଡୁଛି । କିନ୍ତୁ ପରିସ୍ଥିତିର ମୁକାବିଲା ପାଇଁ ଏହା ହିଁ ଏକମାତ୍ର ବାଟ । ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହୋଇଛି । ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତ୍ତି ନେଇଛୁ ।
କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁ ଭାବରେ ଦେଖାଦେଇଛି । ଜୀବନଯାତ୍ରା ଆଉ ଆଗଭଳି ରହିନାହିଁ । ଆମେ ସମସ୍ତେ ଏହା ବୁଝିବା ଦରକାର ଏବଂ ସାହାସର ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ କାମ କରିବା ଦରକାର । ମହାପ୍ରଭୁଙ୍କ ଆର୍ଶିବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତିରୁ ଆମକୁ ଶୀଘ୍ର ମୁକୁଳାଇ ପାରିବ ।”