ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ୍ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଥିଲା ୧୫୫୦ । ଏବେ ତାହା ୧୭୫୦ ଟଙ୍କାକୁ ବଢ଼ିଛି । ଗତ ୧୫ ବର୍ଷ ଭିତରେ ଏହା ସର୍ବକାଳୀନ ବୃଦ୍ଧି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଏଥିସହ ସ୍ୱାମୀନାଥନ୍ କମିଟି ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ଦେଢ଼ଗୁଣ ବଢ଼ାଇଛନ୍ତି ବୋଲି ଦାବି କରାଯାଇଛି ।
କେନ୍ଦ୍ର ସରକାରଙ୍କ ଯୁକ୍ତି, ଚଳିତବର୍ଷ କ୍ୱିଣ୍ଟାଲ୍ ପିଛା ଧାନର ଉତ୍ପାଦନ ଖର୍ଚ୍ଚ ୧୧୬୬ ଟଙ୍କା । ସୁତରାଂ ସ୍ୱାମୀନାଥନ୍ କମିଟି ସୁପାରିଶ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛନ୍ତି । ସୂଚନାଯୋଗ୍ୟ, ଗତ ୪ ବର୍ଷରେ ନରେନ୍ଦ୍ର ମୋଦିଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରିଥିଲେ । ମାତ୍ର ଚଳିତବର୍ଷ ଏହା ୨୦୦ ଟଙ୍କା ବୃଦ୍ଧି କରିଛନ୍ତି । ଆଗକୁ ନିର୍ବାଚନକୁ ଆଖିରେ ରଖି ସରକାର ଚାଷୀକୂଳଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳ ଏହାର ତୀବ୍ର ସମାଲୋଚନା କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ଯେଉଁ ପ୍ରସ୍ତାବ ପାରିତ ହୋଇଥିଲା ତାହା କାର୍ଯ୍ୟକାରୀ କରାଯାଉ ବୋଲି ସେମାନେ ଅଡ଼ି ବସିଛନ୍ତି ।
ବିଜେଡ଼ି କହିଛି, ସରକାର ଚାଷୀକୂଳକୁ ଭଣ୍ଡେଇ ଦେଇଛନ୍ତି । କୃଷି ମନ୍ତ୍ରଣାଳୟ ଆକଳନ ଧରିଲେ, ଚାଷୀଙ୍କୁ ଆହୁରି ୩୦୦ ଟଙ୍କା ମିଳିବା କଥା । ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ନ ହେଲା ପର୍ଯ୍ୟନ୍ତ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । କଂଗ୍ରେସ ମଧ୍ୟ ଅନୁରୂପ ମତ ରଖିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରିବା ସହ ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ କେନ୍ଦ୍ର ସରକାର ମାନି ନେବାକୁ ଦାବି କରିଛନ୍ତି । ତେବେ ଏ ପ୍ରସଙ୍ଗରେ ଏକଘରିକିଆ ହୋଇଥିବା ବିଜେପି ନିଜର ଆତ୍ମରକ୍ଷା ପାଇଁ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି । ରାଜ୍ୟ ସରକାର ଚାହିଁଲେ ୧୦୦ ଟଙ୍କା ବୋନସ୍ ଦେବାରେ ଅସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି ।