ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଭୁବନେଶ୍ୱରରୁ ତାଙ୍କ ଘର ହରିୟାଣାର ସିର୍ସିାକୁ ପାଇ ଫେରିବାରେ ରାଜ୍ୟପାଳଙ୍କ ପାଇଁ ଖର୍ଚ୍ଚ ହୋଇଛି ୪୬ ଲକ୍ଷ ୧୮ ହଜାର ଟଙ୍କା । ମେ ୨୯ ତାରିଖ ଦିନ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ପ୍ରଫେସର ଲାଲ୍ । ଜୁନ୍ ୧୦ ତାରିଖରେ ସେ ତାଙ୍କ ଘରକୁ ପ୍ରଥମ ଥର ପାଇଁ ବୁଲି ଯାଇଥିଲେ । ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ ଭଡ଼ା ଜେଟ୍ ଏୟାରକ୍ରାଫ୍ଟ୍ ବିମାନରେ । ଦିଲ୍ଲୀରୁ ସିର୍ସିା ଗଲେ ଭଡ଼ା ହେଲିକପ୍ଟରରେ । ଆଉ ସେହି ବିମାନରେ ଭୁବନେଶ୍ୱର ଫେରିଥିଲେ ୧୩ ତାରିଖରେ ।
ରାଜ୍ୟପାଳ ବ୍ୟବହାର କରିଥିବା ଦୁଇ ଇଞ୍ଜିନ ବିଶିଷ୍ଟ ଜେଟ୍ ଏୟାରକ୍ରାଫ୍ଟ ଲିଗାସୀ ୬୫୦(ଭିଟି-ଏଓକେ)ର ଭଡ଼ା ବିଲ୍ ୪୧ ଲକ୍ଷ ୧୮ ହଜାର ଟଙ୍କା ଆସିଥିବା ବେଳେ ହେଲିକପ୍ଟର ଭଡ଼ା ବିଲ୍ ଆସିଛି ୫ ଲକ୍ଷ ଟଙ୍କା । ଭଡ଼ାଦାତା ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ଼୍ ରାଜ୍ୟ ସରକାରଙ୍କୁ ଏହି ବିଲ୍ ପଠାଇଛି । ତେବେ ଏହି ବିଲ୍ ରେ ୟୁଜର୍ସ ସାର୍ଟିଫିକେଟ୍ ନାହିଁ । ବିନା ୟୁଜର୍ସ ସାର୍ଟିଫିକେଟ୍ ରେ ବିମାନ ଭଡ଼ା ବାବଦ ଏତେ ଟଙ୍କାର ବିଲ୍ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ତାହା ପଦାକୁ ଆସିଛି ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏହା ଉପରେ ଆପତ୍ତି ଉଠାଇ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖିଛନ୍ତି । ୟୁଜର୍ସ ସାର୍ଟିଫିକେଟ୍ ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳଙ୍କ ବ୍ୟବହାର ପାଇଁ କାହିଁକି ଭଡ଼ାରେ ବିମାନ ନେବାକୁ ପଡ଼ିଲା ତାର କାରଣ ଜଣାଇବାକୁ କୁହାଯାଇଛି । ବିମାନଯାତ୍ରାର ଅନୁମୋଦିତ ସୂଚୀ ଉଲ୍ଲଂଘନ ହୋଇଛି କି ନାହିଁ ତାହା ଅବଗତ କରାଇବା ସହ ହେଲିକପ୍ଟର ବ୍ୟବହାର ପାଇଁ ଉପଯୁକ୍ତ ଅଧିକାରୀଙ୍କ ଅନୁମୋଦନ ଥିଲା ନା ନାହିଁ ଜଣାଇବାକୁ ଲେଖାଯାଇଛି ।
ପ୍ରକାଶଥାଉକି, ରାଜ୍ୟପାଳଙ୍କ ଗସ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଦି ଗଭର୍ଣ୍ଣର୍ସ( ଆଲାଉନ୍ସେସ୍ ଆଣ୍ଡ ପ୍ରିଭିଲେଜସ୍) ରୁଲସ୍ ରହିଛି । ୨୦୧୫ ଫେବୃଆରୀ ମାସରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ନିୟମରେ ରାଜ୍ୟପାଳ ଦେଶ ଭିତରେ କୌଣସି ଜାଗାକୁ ବ୍ୟକ୍ତିଗତ କାମ(ପ୍ରାଇଭେଟ୍ ଭିଜିଟ୍)ରେ ଗଲେ ଦୁଇ ସପ୍ତାହ ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି ଆବଶ୍ୟକ । ତେବେ ରାଜ୍ୟପାଳ ପ୍ରଫେସର ଲାଲ୍ ଦାୟିତ୍ୱ ନେବାର ୧୦ ଦିନ ପରେ ନିଜ ଘରକୁ ଯିବା ପାଇଁ ରାଷ୍ଟ୍ରପତିଙ୍କ ଅଫିସକୁ ଜଣାଇଛନ୍ତି କି ନାହିଁ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।