ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପରିଦର୍ଶନ ବେଳେ ତାଙ୍କ ସହଧର୍ମିଣୀଙ୍କ ପ୍ରତି ଦୁର୍ବ୍ୟବହାର ହୋଇଥିଲା । କିଛି ଦିନ ତଳେ ଖୋଦ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲେ ମଧ୍ୟ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟ ଘଟଣାର ସତ୍ୟତା ବୟାନ କରୁଛି । ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଗଜପତି ପ୍ରଥମ ଥର ପାଇଁ ଏହା ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ପ୍ରତି ଶ୍ରୀମନ୍ଦିରରେ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ରାଷ୍ଟ୍ରପତି ଭବନ ପକ୍ଷରୁ ମୌଖିକ ଭାବେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖକୁ ଆସିଥିଲା । ଏହି ଅଭିଯୋଗ ଉପରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ବୋଲି ଗଜପତି ସ୍ପଷ୍ଟ କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନ ସାରି ଫେରିବା ମାତ୍ରେ ଏହି ମୌଖିକ ଅଭିଯୋଗ ଆସିଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଉପରେ ଘଣ୍ଟାଚକଟା କରିବାକୁ ବୋଧହୁଏ ରାଷ୍ଟ୍ରପତି ଚାହିଁନାହାନ୍ତି । ରାଷ୍ଟ୍ରପତି ନିଜ ମର୍ଯ୍ୟାଦାକୁ ଜଗି ଘଟଣାକୁ ଆଗେଇ ନେବାକୁ ଚାହିଁନାହାନ୍ତି । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦିଆସରିଥିବାରୁ ଆଉ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ଗଜପତି କହିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପତ୍ନୀ ସବିତାଙ୍କ ସହ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିଲେ । ସେଠାରେ କିଛି ସେବାୟତ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଦେହରେ କୁଆଡ଼େ ଘଷି ହୋଇ ଯାଇଥିଲେ । ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା । ବୈଠକର ପ୍ରୋସିଡିଂରେ ଏହା ଉଲ୍ଲେଖ ବି ରହିଥିଲା । ରାଷ୍ଟ୍ରପତି ଭବନର ଅଭିଯୋଗ ଆଧାରରେ ବୈଠକରେ ଆଲୋଚନା ହୋଇଥିବା କୁହାଯାଇଥିଲା । ତେବେ ଗଣମାଧ୍ୟମରେ ଏହା ସେତେବେଳେ ଅନ୍ଧାରରେ ରହିଥିଲା । ୩ ମାସ ପରେ ହଠାତ୍ ତାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ତତ୍କାଳୀନ ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ନାହିଁ । ତେବେ ନୂଆ କରି ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏଭଳି ଘଟଣାକୁ ଅସ୍ୱୀକାର କରିଥିଲେ । ରାଷ୍ଟ୍ରପତି ଭବନ ପକ୍ଷରୁ ସେଭଳି କୌଣସି ଲିଖିତ କିମ୍ବା ମୌଖିକ ଅଭିଯୋଗ ଆସିନାହିଁ ବୋଲି ସଫେଇ ଦେଇଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ମଧ୍ୟ ସମାନ କଥା କହିଥିଲେ । ଏହା ପରେ(ଜୁନ୍ ୩୦) ରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଘଟଣାକୁ ଅସ୍ୱୀକାର କରାଯାଇ ଏକ ସ୍ପଷ୍ଟୀକରଣ ଆସିଥିଲା । ଏହାପରେ ବିବାଦର ଅବସାନ ଘଟିଥିଲା ।
ଏବେ ଗଜପତିଙ୍କ ବୟାନ ପରିପ୍ରେକ୍ଷୀରେ ମାମଲାଟି ଭିନ୍ନ ମୋଡ଼ ନେବାର ଆଶଙ୍କା ଜନ୍ମିଛି ।
କିନ୍ତୁ ଯଦି କଥା ସତ୍ୟତା ନାହିଁ ତେବେ ଏତେ ହାଇପ୍ରୋଫାଇଲ କେସର୍ ପ୍ରତିକ୍ରିୟା ଏତେ ଡେରି ରେ କାହିଁକି ଆସିଲା ,
କିଛି ତ ଅଛି