– ଫେବୃଆରୀ ସୁଦ୍ଧା ଜମି ଅଧିଗ୍ରହଣ, ମାର୍ଚ୍ଚ ୧ରୁ କାମ
– ଉଚ୍ଛେଦ ହେବ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସ
– ଉଚ୍ଛେଦ ତାଲିକାରେ ୧୩ ଡାକ୍ତରଙ୍କ ଘର
– ତାଳଦଣ୍ଡା କେନାଲ ବନ୍ଧରୁ ହସ୍ପିଟାଲ୍ ରାସ୍ତାରେ ଦୁଇଟି ଓଭରବ୍ରିଜ୍
ଭୁବନେଶ୍ୱର: କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ କୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଖବୁ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ବଡ଼ି ଭୋର୍ ରୁ କଟକ ଗସ୍ତ କରି ଏସସିବିର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ୍ ଅଞ୍ଚଳ ପରିଦର୍ଶନ କରିବା ପରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ଏହାର ସମୀକ୍ଷା କରିବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ହୋଇଛି ।
ସୂଚନା ଅନୁଯାୟୀ, ବିଶ୍ୱସ୍ତରୀୟ ହସ୍ପିଟାଲ୍ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ହସ୍ପିଟାଲ୍ ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସ ଉଚ୍ଛେଦ ହେବ । ଏହି ପ୍ରକ୍ରିୟାରେ ୧୩ ଜଣ ଡାକ୍ତରଙ୍କ ସରକାରୀ ଘର ହଟାଯିବ । ତେବେ ଉଚ୍ଛେଦ କର୍ମଚାରୀମାନଙ୍କୁ ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରାଯାଉଥିବା ବେଳେ ଅନ୍ୟ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା କରାଯିବ ।
ଉକ୍ତ ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ । ଫେବୃଆରୀ ୨୮ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯୋଜନା ଅନୁଯାୟୀ, ତାଳଦଣ୍ଡା କେନାଲ ବନ୍ଧରୁ ହସ୍ପିଟାଲ୍ କୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍ ବିଶିଷ୍ଟ କରାଯିବ । ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍ ନିର୍ମାଣ କରାଯିବ ।