ଭୁୁବନେଶ୍ୱର: ଦୁଇ ଶହ ବର୍ଷର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ନୂଆ ରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି । ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧା ସହ ଏଠାରେ ସୁଲଭ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାକୁ ପ୍ରାଥମିକତା ଦିଆଯାଇଛି । ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ଏସସିବିକୁ ସମକକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ଏସସିବିକୁ ଏମସ୍ ପ୍ଲସ୍ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ଉନ୍ନତିକରଣ ସଂକ୍ରାନ୍ତରେ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏସସିବିରେ ଅତ୍ୟାଧୁନିକ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ୍ ନିର୍ମାଣ ସହ ଆନୁସଙ୍ଗିକ ଭିତ୍ତିଭୂମିର ଉନ୍ନତି କରାଯିବ । ଡାକ୍ତର ଓ ଛାତ୍ରଛାତ୍ରୀମାନଙ୍କ ରହିବା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସାରା ଦେଶରେ ଏବେ ୧୪ ସ୍ଥାନରେ ଥିବା ଏସସିବିକୁ ଦେଶର ଶ୍ରେଷ୍ଠ ତିନି ଅନୁଷ୍ଠାନ ମଧ୍ୟରେ ରଖିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
“ମୋର ସ୍ୱପ୍ନ, ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଏସସିବିରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି ଯେଉଁମାନେ କି କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ ଲୋକମାନଙ୍କୁ ଚିକିତ୍ସା ସେବା ଦେଇ ଆସୁଛନ୍ତି । ସେମାନେ ଆମ ରାଜ୍ୟର ଗୌରବ । ବର୍ତ୍ତମାନ ଆମର ଦାୟିତ୍ୱ ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରି ଏହାକୁ ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା’ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରୁ କୌଣସି ବ୍ୟକ୍ତି ନିଜ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବା ଆବଶ୍ୟକ ହେବ ନାହିଁ ବୋଲି ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରୀୟ ମର୍ଯ୍ୟାଦା ହାସଲ କରିପାରିଛି । ବର୍ତ୍ତମାନ ସମୟ ଆସିଛି, ସାରା ବିଶ୍ୱ ଓଡ଼ିଶାକୁ ତା’ର ସୁଲଭ, ଗୁଣାତ୍ମକ ଚିକିତ୍ସା ସେବା ପାଇଁ ମାନ୍ୟତା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ ଏସସିବିର ପ୍ରଫେସର, ଅଧୀକ୍ଷକଏବଂ ଛାତ୍ର ପ୍ରତିନିଧିମାନଙ୍କ ସହ ବଡ଼ ଡାକ୍ତରଖାନାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ଆଜି ବଡ଼ି ଭୋରରୁ ୫-ଟି ସଚିବ ଭି.କାର୍ତ୍ତକେୟ ପାଣ୍ଡିଆନ୍ ଏସବିସିକୁ ଅଚାନକ ପରିଦର୍ଶନରେ ଯାଇ ରୋଗୀସେବା ଓ ହସ୍ପିଟାଲ୍ ର ଆନୁସଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସାଙ୍ଗରେ ଥିଲେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ । ସେଠାରୁ ଏକ ବ୍ଲୁ ପ୍ରିଣ୍ଟ ଧରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପାଣ୍ଡିଆନ୍ ।