ଖଣ୍ଡପଡ଼ା: ସୌମ୍ୟରଂଜନ ପଟ୍ଟନାୟକଙ୍କ ଦଳ ଓ ନିର୍ବାଚନ ଚିହ୍ନକୁ ନେଇ ଖଣ୍ଡପଡ଼ାରେ ମଜାଦାର ଘଟଣା ଦେଖିବାକୁ ମିଳିଛି । ନିର୍ବାଚନମଣ୍ଡଳୀର କିଛି ଜାଗାରେ ସୌମ୍ୟଙ୍କୁ ଆମ ଓଡ଼ିଶା ପାର୍ଟିର ପ୍ରାର୍ଥୀ ଦର୍ଶାଯାଇ ଶଙ୍ଖ ଚିହ୍ନରେ ଭୋଟଭିକ୍ଷା କରାଯାଉଛି । ଭାପୁର ବ୍ଲକ୍ ଚକ୍ରଧରପ୍ରସାଦରେ ଏଭଳି ପ୍ରଚାର ୱାଲିଂ ଦେଖିଲା ପରେ ଗ୍ରାମବାସୀ ଦ୍ୱନ୍ଦରେ ପଡ଼ିଛନ୍ତି । ଆମ ଓଡ଼ିଶା ପାର୍ଟିର ବିଧାନସଭା ପ୍ରାର୍ଥୀ ସୌମ୍ୟ ଭାଇଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଗୋଟେ ଗୋଟେ ଜାଗାରେ ୱାଲିଂ ହୋଇଛି । ଏହି ୱାଲିଂ ଖଣ୍ଡପଡ଼ା ଅଞ୍ଚଳରେ କୌତୁହଳସୃଷ୍ଟି କରିଛି ।
ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ମତରେ ୱାଲିଂ କରୁଥିବା ସୌମ୍ୟଙ୍କ ଲୋକମାନେ ‘ଆମ ଓଡ଼ିଶା ପାର୍ଟି’ ଲେଖିବା ଅଭ୍ୟାସକୁ ଛାଡ଼ିପାରିନାହାନ୍ତି । ଯେଉଁଥିପାଇଁ ଲେଖିବାରେ ଭୁଲଭାଲ୍ କରୁଛନ୍ତି । ତେବେ ଆଉ କିଛି ଏହାକୁ ବିଶ୍ୱାସ କରିନାହାନ୍ତି । ସେମାନଙ୍କ ମତରେ, ସବୁକିଛି ଜାଣତରେ ହେଉଛି । ସୌମ୍ୟଙ୍କ ବିଜେଡ଼ି ମିଶ୍ରଣକୁ ତାଙ୍କର ‘ଆମ ଓଡ଼ିଶା ପାର୍ଟି’ କର୍ମୀମାନେ ଗ୍ରହଣ କରୁ ନଥିବାରୁ ସେମାନଙ୍କ ମନଦୁଃଖ କରିବାକୁ କାର୍ପଟଦାରମାନେ ଚାହିଁନାହାନ୍ତି । ତେଣୁ ଫିଫଟି ଫିଫଟି ନ୍ୟାୟରେ ଦଳର ନାଁ ସେଇ ‘ଆମ ଓଡ଼ିଶା ପାର୍ଟି’ ରଖି ଦିଆଯାଇଛି । ଶଙ୍ଖ ଚିହ୍ନ ଟିପିଲେ ହିଁ ଭୋଟ । ତେଣୁ ଶଙ୍ଖ ଚିହ୍ନଟିକୁ ରଖି ଆମ ଓଡ଼ିଶା ପାର୍ଟି ଲେଖିଦେଲେ ପଇତା ମାରା ହୋଇଯିବନି କି ଭୋଟ କୁଆଡ଼େ ପଳାଇବନି ।
ସୂଚନାଯୋଗ୍ୟ, ନିଜେ ଗଢ଼ିଥିବା ଆମ ଓଡ଼ିଶା ପାର୍ଟିକୁ ଖଣ୍ଡପଡ଼ାରେ ଶକ୍ତିଶାଳୀ କରିଥିଲେ ସୌମ୍ୟ । ବିଜେଡ଼ି ସଂଗଠନ ଭାଙ୍ଗି ନିଜ ସପକ୍ଷରେ କର୍ମୀଙ୍କୁ ଆକୃଷ୍ଟ କରିବାରେ ସମର୍ଥ ହୋଇଥିଲେ । ଗତଥର ସେ ପ୍ରାର୍ଥୀ ହୋଇ ଜିତିବା ସ୍ଥିତିରେ ଥିଲେ ମଧ୍ୟ ତାଙ୍କ ଦୁର୍ଭାଗ୍ୟ ଯେ ମାତ୍ର ୬୦୧ ଖଣ୍ଡ ଭୋଟରେ ବିଜେଡ଼ିର ନବାଗତ ଅନୁଭବ ପଟ୍ଟନାୟକଙ୍କଠାରୁ ପରାସ୍ତ ହୋଇଥିଲେ । ଏହା ସତ୍ତ୍ୱେ ‘ମାଠିଆ’ ମୋହ ଛାଡ଼ି ନ ଥିଲେ ସୌମ୍ୟଙ୍କ କର୍ମୀ । ନିର୍ବାଚନ ପରାଜୟର ଗ୍ଲାନି ଭୁଲି ସୌମ୍ୟ ତାଙ୍କ ଆମ ଓଡ଼ିଶା ପାର୍ଟି ସଂଗଠନର ଶକ୍ତିକୁ ବଜାୟ ରଖିଥିଲେ । ଗାଁଗଣ୍ଡାରେ ତାଙ୍କ କର୍ମୀ ଓ ବିଜେଡ଼ି କର୍ମୀମାନେ ବ୍ରାଣ୍ଡେଡ଼୍ ହୋଇଯାଇଥିଲେ । ଗତବର୍ଷ ସୌମ୍ୟ ଅଚାନକ ବିଜେଡ଼ିରେ ଯୋଗଦେଇଥିଲେ ମଧ୍ୟ ତାଙ୍କ ଆମ ଓଡ଼ିଶା ପାର୍ଟିକୁ ବିଜେଡ଼ିରେ ବିଲୀନ କରାଇ ନ ଥିଲେ । ବିଜେଡ଼ିର ରାଜ୍ୟସଭା ସାଂସଦ ହୋଇ ମଧ୍ୟ ଖଣ୍ଡପଡ଼ାର ମୂୂଳ ବିଜେଡ଼ି ସଂଗଠନରୁ ଆମ ଓଡ଼ିଶା ପାର୍ଟିକୁ ପୃଥକ୍ ରଖି ସମାନ୍ତରାଳ ସଂଗଠନ ଚଳାଇଥିଲେ ।
ଏବେ ସେ ବିଜେଡ଼ି ଟିକେଟ ପାଇବା ପରେ ତାଙ୍କ ପାଇଁ ଏହା ବୁମେରାଂ ହୋଇଛି । ଅନ୍ୟ ଦୁଇ ଆଶାୟୀ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କୁ ସେ ମନେଇ ପାରିଥିଲେ ମଧ୍ୟ ସେମାନଙ୍କ ଜରିଆରେ ତୃଣମୂସ୍ତରର ସବୁ ବିଜେଡ଼ି କର୍ମୀମାନଙ୍କୁ ମନେଇ ପାରୁନାହାନ୍ତି । ଅନୁଭବ ଓ ଗୟାଧରଙ୍କ ସାଙ୍ଗରେ ଥିବା ବହୁ କର୍ମୀ ସୌମ୍ୟଙ୍କୁ ସମର୍ଥନ କରିବାକୁ ନାକ ଟେକୁଛନ୍ତି । ତୃଣମୂଳ ସ୍ତରର ଏହି ବିଜେଡ଼ି କର୍ମୀମାନେ ସେମାନଙ୍କର ପାରମ୍ପରିକ ଶତ୍ରୁ ପାଲଟିଥିବା ସୌମ୍ୟଙ୍କ କର୍ମୀମାନଙ୍କ ସହ ମିଶିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ଉପର ଡିଲ୍ ରୁ ଆମର କ’ଣ ଲାଭ ବୋଲି କିଛି କର୍ମୀ ଖୋଲାଖୋଲି କହି ବୁଲୁଛନ୍ତି ।
ବିଜେଡ଼ି ପ୍ରାର୍ଥୀ ସୌମ୍ୟଙ୍କ ପାଇଁ ଚାଲେଂଜ ହେବାକୁ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂଙ୍କ ପାଇଁ ସୁଯୋଗ ଥିଲେ ମଧ୍ୟ ସେ ସକ୍ଷମ ହୋଇପାରିନାହାନ୍ତି । ଓଲଟି ବିଜେଡ଼ି ଟିକେଟରୁ ନିରାଶ ହୋଇ ସ୍ୱାଧୀନ ଭାବେ ଲଢ଼ୁଥିବା ଦୁଷ୍ମନ୍ତ ସ୍ୱାଇଁ ନିଜର ପତିଆରା ବଢ଼ାଉଛନ୍ତି । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ୁଥିଲେ ମଧ୍ୟ ସୌମ୍ୟଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ସ୍ଥିତିରେ ପହଞ୍ଚିବା ପାଇଁ ତାଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡ଼ିବ । ହାତରେ ସମୟ ନ ଥିବାରୁ ବିଜେଡ଼ି ପ୍ରାର୍ଥୀଙ୍କ ସାମନାକୁ ଆସିବା ତାଙ୍କ ପାଇଁ ସହଜ ହେବ ନାହିଁ ।