ଭୁବନେଶ୍ୱର: ସେ ଜଣେ ଦାୟିତ୍ୱସମ୍ପନ୍ନ କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଆଜି ପର୍ଯ୍ୟନ୍ତ ବୁଝିପାରିନାହାନ୍ତି । ଭାଷଣବାଜିରେ ଅଫିସର, ପୁଲିସଙ୍କୁ ନାଲିଆଖି ଦେଖାଇ ଗାଳି ଦେବା ସତେ ଯେଭଳି ତାଙ୍କର ସ୍ୱଭାବ ହୋଇଯାଇଛି । କିଛି ଦିନ ତଳେ ଲକ୍ଷ୍ମୀପୁରରେ ଏକ ନିର୍ବାଚନ ସଭାରେ ତାଙ୍କର ଫଟୋ ଉଠୋଉଥିବା ଜଣେ ପୁଲିସ କର୍ମଚାରୀଙ୍କୁ ଧର୍ମେନ୍ଦ୍ର ଚାମଚା ଫାମଚା କହି ଗାଳି କରିଥିଲେ । ଏବେ ନିର୍ବାଚନ ପ୍ରଚାରରେ ବୁଲୁଥିବା ଧର୍ମେନ୍ଦ୍ର ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ଧମକେଇଛନ୍ତି । ସେମାନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ଉହୁଁକି ଉଠିଛନ୍ତି । ଏହି ଦୃଶ୍ୟର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ଗତକାଲି ସମ୍ବଲପୁରରେ ଏହି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡ୍ କୁ ନିର୍ବାଚନ ଡ୍ୟୁଟିରେ ଥିବା ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ ପାଇଁ ଅଟକାଇଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ଏହାକୁ ହଜମ କରିପାରି ନ ଥିଲେ । ତାଙ୍କୁ କାହିଁକି ଅଟକାଗଲା ବୋଲି ରାଗ ତମ ତମ ହୋଇ ସ୍କ୍ୱାଡ୍ ରେ ଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଏସଡ଼ିପିଓ ଓ ଆଇଆଇସିଙ୍କ ଉପରକୁ ଉହୁଁକି ଆସିଲେ । ତମେ ମତେ ଅଟକାଇବାକୁ କିଏ? ତମ କାଗଜ ଦେଖା.. କହି ଗର୍ଜନ କଲେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ତାଙ୍କ ଡ୍ୟୁଟି ପାଳନ କରୁଛନ୍ତି ବୋଲି ଯେତେ ବୁଝାଇଲେ ମଧ୍ୟ ଧର୍ମେନ୍ଦ୍ର ବୁଝି ନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ତମେ ଅଟକାଉଛ କି ବୋଲି ପଚାରି ଓଲଟି ନାଲି ଆଖି ଦେଖାଇଥିଲେ । ବିଚ୍ ରାସ୍ତାରେ ପୁଲିସ ଅଫିସରଙ୍କୁ ଧର୍ମେନ୍ଦ୍ରଙ୍କ ଗର୍ଜନ ତର୍ଜନକୁ ସେଠାରେ ବହୁ ଲୋକ ଦେଖୁଥିଲେ ।
କିଛି ଦିନ ପୂର୍ବେ ତାଙ୍କ ଦଳର ରାଜ୍ୟ ଉପସଭାପତି ତଥା ହିଂଜିଳି ବିଧାନସଭା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଅନୁରୂପ ଆଚରଣ ଦେଖିବାକୁ ମିଳିଥିଲା । ଯାଞ୍ଚ ପାଇଁ ତାଙ୍କ ଗାଡ଼ିକୁ ଅଟକାଇଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଅଧିକାରୀମାନଙ୍କୁ ପୀତାମ୍ବର ନାଲିଆଖି ଦେଖାଇ ନିଜର ଆତ୍ମବଡ଼ିମା ଗାଇଥିଲେ । ଆସିକା ଥାନାକୁ ଏହି ମାମଲା ଯାଇଛି ।