ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇଙ୍କ ପତ୍ନୀ ବବିତାଙ୍କୁ ଅପ୍ରତିଦ୍ୱନ୍ଦୀ ସମିତି ସଭ୍ୟ ଭାବେ ନିର୍ବାଚିତ କରାଇବା ପଛରେ ଜାଲିଆତି ହୋଇଥିବାର ପ୍ରାଥମିକ ପ୍ରମାଣ ମିଳିଛି । ଜିଲ୍ଲାପାଳ ଓ ପର୍ଯ୍ୟବେକ୍ଷକଙ୍କଠାରୁ ରିପୋର୍ଟ ପାଇଲା ପରେ ନିର୍ବାଚନ କମିସନଙ୍କ ଏହା ହୃଦବୋଧ ହୋଇଛି । ଆଉ କମିସନଙ୍କ ନିର୍ଦ୍ଦେଶରେ ଆଜି ତୁରନ୍ତ ପଟ୍ଟାମୁଣ୍ଡାଇ ବିଡ଼ିଓ ପ୍ରଶାନ୍ତ କୁମାର ରାଉତଙ୍କୁ ବଦଳି କରାଯାଇଛି । ଏଥିସହ ନିର୍ବାଚନ କମିସନ ପଟ୍ଟମୁଣ୍ଡାଇ ତହସିଲଦାର ବନମାଳୀ ତରାଇଙ୍କୁ ବିଡ଼ିଓ ଦାୟିତ୍ୱ ସହ ପଞ୍ଚାୟତ ନିର୍ବାଚନ ପରିଚାଳନା ଭାର ଦାୟିତ୍ୱ ଦେଇଛନ୍ତି । ତହସିଲଦାର ତରାଇଙ୍କ ହାତରେ ନିର୍ବାଚନ ପରିଚାଳନା ଭାର ପଡ଼ିଲା ପରେ କେନ୍ଦ୍ରାପଡ଼ା ରାଜନୀତି ଆହୁରି ଜଟିଳ ହୋଇଯାଇଛି ।
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତହସିଲଦାର ବନମାଳୀ ତରାଇ ମହୋଦୟ ହେଉଛନ୍ତି ବିଧାୟକ କିଶୋର ତରାଇଙ୍କର ନିକଟ ସମ୍ପର୍କୀୟ । ବିଧାୟକଙ୍କ ଉଦ୍ୟମରେ ସେ ପଟ୍ଟାମୁଣ୍ଡାଇକୁ ୨୦୧୪ ମସିହାରେ ତହସିଲଦାର ହୋଇ ଆସିଛନ୍ତି । ବନମାଳୀ ଏହାପୂର୍ବରୁ ବିଝାଂରପୁରରେ ତହସିଲଦାର ଥିଲେ । ପଞ୍ଚାୟତିରାଜ ବିଭାଗକୁ ତାଙ୍କର ବଦଳି ହୋଇଥିଲେ ମଧ୍ୟ ବିଧାୟକ ଉପରେ ଚାପ ପକାଇ ବଦଳି ବାତିଲ କରି ତାଙ୍କୁ ପଟ୍ଟାମୁଣ୍ଡାଇ ଆଣିଥିଲେ । ରାଜସ୍ୱ ବିଭାଗ ବିଜ୍ଞପ୍ତି ନମ୍ବର ୩୨୦୭୫/୩୦.୦୧.୨୦୧୪ରେ ତାଙ୍କୁ ପଟ୍ଟାମୁଣ୍ଡାଇ ତହସିଲଦାର ଭାବେ ନିଯୁକ୍ତି ମିଳିଥିଲା ।
ବିଧାୟକଙ୍କ ଜାଲିଆତିରେ ହାତବାରିସି ହୋଇଥିବା ବିଡ଼ିଓ ପ୍ରଶାନ୍ତ ରାଉତଙ୍କ ଜାଗାରେ ବିଧାୟକଙ୍କର ଏହି ତହସିଲଦାର ସମ୍ପର୍କୀୟ ମହୋଦୟ ପଟ୍ଟାମୁଣ୍ଡାଇ ବିଡ଼ିଓ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ତାଙ୍କରି ହାତରେ ରହିବ ନିର୍ବାଚନ ପରିଚାଳନା ଦାୟିତ୍ୱ । ପ୍ରାର୍ଥୀ ଓ ଭୋଟରଙ୍କୁ ନ୍ୟାୟ ଦେବେ ସେ । ହେଲେ ଏହା ସମ୍ଭବ କି ? ଶାସକ ଦଳର ବିଧାୟକ ତାଙ୍କର ଖାଲି ସମ୍ପର୍କୀୟ ନୁହଁନ୍ତି, ପ୍ରଭୁ । ସେ କିଭଳି ନିରପେକ୍ଷ ହେବେ ଏବଂ ବଦଳି ହୋଇଥିବା ବିଡ଼ିଓଙ୍କ ଭଳି ବିଧାୟକଙ୍କ ସ୍ୱାର୍ଥ ଜଗିବେନି ତାହା ବୁଝି ହେଉ ନାହିଁ । ନିର୍ବାଚନ କମିସନ ବିଧାୟକ-ତହସିଲଦାରଙ୍କ ଏହି ସମ୍ପର୍କ ବିଷୟ ଜାଣିଛନ୍ତି ନା ନାହିଁ ତାହା ତ ଆମେ ଜାଣିନୁ । ହେଲେ ବିଧାୟକଙ୍କୁ ସୁହାଇବା ପାଇଁ ଯଦି ଜାଣି ଏଭଳି କରିଥାଆନ୍ତି ତେବେ ଆମେ ଆଉ ଭରଷା କରିବା କାହାକୁ ?