ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଛାତି ଫୁଲାଇ ଟିଭିରେ କହିଛନ୍ତି ଯେ ଜଣେ ଲୋକ ଦୁଇ ତିନିଟି ଜାଗାରେ ଭୋଟର ତାଲିକାରେ ନାଁ ରଖିବାରେ କିଛି ଅସୁବିଧା ନାହିଁ । ତାଙ୍କର ଓ ପତ୍ନୀଙ୍କର ତିନୋଟି ଜାଗାରେ ଭୋଟର ତାଲିକାରେ ନାଁ ପଞ୍ଜିକରଣ ଅଭିଯୋଗ ଆସିବା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଅର୍ଥାତ୍ ଅଭିଯୋଗକୁ ସେ ସତ ବୋଲି ମାନିବା ସହ ତାହା ଆଇନବିରୋଧୀ ନୁହେଁ ବୋଲି ଯୁକ୍ତି ଦର୍ଶାଇଛନ୍ତି ।
ବାବୁ କିଶୋର ତରାଇ ହେଉଛନ୍ତି ଜଣେ ବିଧାୟକ । ରାଜ୍ୟର ଆଇନ ପ୍ରଣେତା । ସୁତରାଂ ଆଇନକାନୁନ୍ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିବ ନଚେତ୍ ଅର୍ଜନ କରିଥବେ ବୋଲି ଆମ ଭଳି ସାଧାରଣ ଲୋକ ଭାବିବା ସ୍ୱାଭାବିକ । ନାହିଁ ଯଦି ଆଇନକାନୁନ୍ ପଢ଼ି ଜ୍ଞାନ ଆହରଣ କରୁଥିବେ ବୋଲି ଆଶା କରୁଥିଲୁ । ମାତ୍ର ତାହା ତ କରିନାହାନ୍ତି । ଓଲଟି ଏକାଧିକ ଜାଗାରେ ଭୋଟର ତାଲିକାରେ ନାଁ ରଖିବାକୁ ଆଇନସମ୍ମତ କହି ମୁର୍ଖାମୀ ଓ ଅଜ୍ଞତାର ପରିଚୟ ଦେଇଛନ୍ତି । ବିଧାୟକ ମହୋଦୟ ଏଭଳି ଅସାଧାରଣ ଜ୍ଞାନ କେଉଁଠୁ ପାଇଲେ, ତାହା ତାଙ୍କୁ ଜଣାଥିବ । ତେବେ ବିଧାୟକଙ୍କୁ ଆମେ ଜଣାଇଦେବାକୁ ଚାହୁଁ ଯେ ରିପ୍ରେଜେଣ୍ଟେସନ୍ ଅଫ ପିପୁଲସ୍ ଆକ୍ଟ ୧୯୫୦ ର ଧାରା ୧୭ ଓ ୧୮ ସେ ପଢ଼ନ୍ତୁ । ସେଥିରେ ଏହାର ସ୍ପଷ୍ଟ ବ୍ୟାଖ୍ୟା ରହିଛି । ସେଥିରେ ସିଧା ସିଧା ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, କୌଣସି ନାଗରିକ ଏକରୁ ଅଧିକ ଥର ଇଲେକ୍ଟ୍ରରାଲ୍ ରୋଲ୍ ରେ ସାମିଲ ହୋଇପାରିବେନି ।
ଏହି ପାଠ ଅନୁଯାୟୀ ବିଧାୟକ କିଶୋର ତରାଇ ଯେ ଆଇନର ଉଲ୍ଲଂଘନ କରିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ଯୁକ୍ତି କରି ସତୀ ବୋଲାଇବା ଉଦ୍ୟମରେ ସେ ଅପରାଧକୁ ମାନି ବି ନେଇଛନ୍ତି । ଏବେ ଆଇନର ଗଣ୍ଡିରେ ସେ ଯେ ବିଧାୟକ ପାଇଁ ଅଯୋଗ୍ୟ ତାହା ଆଉ କହିବାର ଆବଶ୍ୟକତା ନାହିଁ । ତିନୋଟି ଜାଗାରେ ଭୋଟର ତାଲିକାରେ ନାଁ ଚଢ଼ାଇ ଥିବାରୁ ଆଇନ ଅନୁଯାୟୀ ତାଙ୍କ ନାଁ ରଦ୍ଦ ହୋଇଯାଇଛି । ଫଳରେ ବିଧାୟକ ହେବା ପାଇଁ ତାଙ୍କର ନୈତିକ ଓ ଆଇନଗତ ଅଧିକାର ନାହିଁ ।
କେନ୍ଦ୍ରାପଡ଼ା ଭଳି ଏକ ଶିକ୍ଷିତ ଓ ସଚେତନ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା କିଶୋର ତରାଇ ଗୋଟିଏ ଜାଲିରୁ ମୁକୁଳିବା ପାଇଁ ଏକାଧିକ ଜାଲିଆତିରେ ଧରାପଡିଲେଣି । ବିଡ଼ିଓଙ୍କୁ ଚାମଚା କରି ନିଜ ପତ୍ନୀଙ୍କୁ ଅପ୍ରତିଦ୍ୱନ୍ଦୀ ନିର୍ବାଚିତ କରାଇବା ଘଟଣାର ପ୍ରାମାଣିତ ତଥ୍ୟ ନିର୍ବାଚନ କମିସନ ପାଇଲା ପରେ ଆଉ ସନ୍ଦେହର ଅବକାଶ ନାହଁ । ପୁନଶ୍ଚ ଭୋଟର ତାଲିକାରେ ତିନି ତିନି ଥର ନାଁ ଚଢ଼ାଇ ସାଂଘାତିକ ଅପରାଧର ପ୍ରମାଣ ଛାଡ଼ିଛନ୍ତି । ସାଙ୍ଗକୁ ତାହା ସପକ୍ଷରେ ଓକିଲାତି କରି ଆହୁରି ସାଂଘାତିକ ଅପରାଧ କରିଛନ୍ତି । ଆମେ ଶୁଣିଛୁ, ବିଧାୟକ ହେବା ପୂର୍ବରୁ କିଶୋର ତରାଇ ନକଲି ସିବିଆଇ ଅଫିସର ସାଜି ବିଭିନ୍ନ ଲୋକଙ୍କଠାରୁ ମାଲ୍ କଲେକ୍ସନ୍ କରୁଥିଲେ । ବିଧାୟକ ହେଲା ପରେ ବି ସେଇ ଜାଲି ଓ ନକଲି କାରବାରର ଅଭ୍ୟାସ ଛାଡ଼ିପାରି ନ ଥିବା ଏଥିରୁ ମନେ ହେଉଛି ।
ମାନିବାକୁ ପଡ଼ିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଖୋଜି ଖୋଜି ଏମିତିକା ଲୋକଙ୍କୁ ସେ କିଭଳି ବିଧାୟକ ଟିକେଟ ଦେଇ ଜିତାଇ ଆଣିଛନ୍ତି ତାହା ରାଜ୍ୟବାସୀଙ୍କୁ ଚକିତ୍ କରୁଛି । ଗୋଟିଏ ପରେ ଗୋଟିଏ ଜାଲିଆତିର ପର୍ଦ୍ଦାଫାସ ହେଲା ପରେ ନବୀନ ପଟ୍ଟନାୟକ ତାଙ୍କୁ ବାନ୍ଧି ଜେଲ୍ ରେ ପୂରାଇ ଦେଲେ ଲୋକଙ୍କ ଆସ୍ଥା ଜିତନ୍ତେ । ଆଉ ଆଇନକୁ ସମ୍ମାନ ଜଣାଇ ତାଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷିତ କରାଇବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କଲେ ନବୀନଙ୍କର ସମ୍ମାନ ଓ ଲୋକପ୍ରିୟତା ଦ୍ୱିଗୁଣ ବଢ଼ିଯାଆନ୍ତା ।