ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ଟିଭି ଚାନେଲ୍ କୁ ଗୋଟିଏ ପରେ ଗୋଟିଏ ବିପଦ ଆସୁଛି । ପକ୍ଷପାତିତା ସମ୍ବାଦ ପରିବେଷଣର ଅଭିଯୋଗ କରି ବିଜେଡ଼ି ଏହି ଚାନେଲ୍ କୁ ସମ୍ପୂର୍ଣ୍ଣ ବୟକଟ୍ କଲା ପରେ ଏବେ କଂଗ୍ରେସ ସମାନ ଆଭିମୁଖ୍ୟ ରଖିଛି । ବିଜେପିକୁ ପ୍ରମୋଟ କରିବା ଲକ୍ଷ୍ୟରେ କଂଗ୍ରେସକୁ ଧ୍ୱଂସ କରିବା ସେହି ଚାନେଲ୍ ର ଏଜେଣ୍ଡା ହୋଇଛି ବୋଲି ଅଭିଯୋଗ ହୋଇଛି । କଂଗ୍ରେସର ବହୁ ବରିଷ୍ଠ ନେତା ଏ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଦଳର ସୋସିଆଲ୍ ମିଡ଼ିଆ ଗ୍ରୁପ୍ ରେ ଓଟିଭିକୁ ବୟକଟ୍ କରିବାକୁ ଜନସମର୍ଥନ ଯୋଗାଡ଼ କରାଯାଉଛି ।
କଂଗ୍ରେସର ସୋସିଆଲ୍ ମିଡ଼ିଆ ରେ ଓଟିଭିର ନିରପେକ୍ଷତାକୁ ନେଇ ଗୁରୁତର ପ୍ରଶ୍ନ ଉତଥାପିତ କରାଯାଇଛି । କଂଗ୍ରେସକୁ ଧ୍ୱଂସ କରିବାକୁ ଓଟିଭି ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରାଯାଇଛି । ସଚ୍ଚା କଂଗ୍ରେସୀ ଓଟିଭିକୁ କାହିଁକି ବୟକଟ୍ କରିବା ଉଚିତ ୫ଟି କାରଣ ଦର୍ଶାଇ କର୍ମୀଙ୍କଠାରୁ ସମର୍ଥନ ଯୋଗାଡ଼ କରାଯାଉଛି । ସେଗୁଡ଼ିକ ଆମେ ଏଠାରେ ଅବିକଳ ଉଲ୍ଲେଖ କରୁଛୁ ।
କାରଣ ନଂ ୧
ଥରେ ଜଣେ ବରିଷ୍ଠ କଂଗ୍ରେସ ନେତା ବୈଜୟନ୍ତଙ୍କର ୨୩୦୦ କୋଟି ଋଣଛାଡ଼ କଥା ଉଠାଇଲେ । ତା’ ପରଠାରୁ ଓଟିଭି ସେ ନେତାଙ୍କର କେବଳ ଗୋଡ଼ ଦେଖେଇଲା । ତାଙ୍କ ବାଇଟ୍ ଦେଖାଇଲାନି । ଏଥିରେ ବୈଜୟନ୍ତ ବାବୁ କୁହନ୍ତି କୁଆଡ଼େ ତାଙ୍କ ବିରୋଧରେ ବି ଓଟିଭିରେ ଷ୍ଟୋରି ହୁଏ !!! କେତେ ଡମ୍ଫା, ଡହରା,ଟାଉଟର(ଡିଡିଟି) କିହୋ!!!
କାରଣ ନଂ ୨
ପଞ୍ଚାୟତ ଇଲେକ୍ସନରେ କଂଗ୍ରେସକୁ ସମ୍ପୂର୍ଣ୍ଣ ବୟକଟ୍ କଲା ଓଟିଭି । କଂଗ୍ରେସ ଅଫିସରେ ପାଣି ଦେଉଥିବା ଜଣେ ବ୍ୟକ୍ତିଙ୍କ ବାଇଟ୍ ନେଲା ଓଟିଭି । ତା’ ପୁଣି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ । ଉଦ୍ଦେଶ୍ୟ: କଂଗ୍ରେସ ଦୁର୍ବଳ ହେଲେ ବିଜେପି ନମ୍ବର ୨କୁ ଆସିବ । ଦୁଃଖର ସହ କହୁଛୁ ଯେ ସେୟା ବି ହେଲା ।
କାରଣ ନଂ ୩
୨୦୧୪ ନିର୍ବାଚନ ପୂର୍ବରୁ ନିରଞ୍ଜନ ଓ ଜୟଦେବଙ୍କ ବାଦିପାଲା କରାଇଲା ଓଟିଭି । ଉଦ୍ଦେଶ୍ୟ: କଂଗ୍ରେସରେ କଳହ ହେଲେ ବିଜେଡ଼ିକୁ ଫାଇଦା ମିଳିବ । ଦୁଃଖର ସହ କହୁଛୁ ଯେ ସେୟା ହେଲା । ମୂଳରୁ ଓଟିଭିର ଶତ୍ରୁ କଂଗ୍ରେସ ।
କାରଣ ନଂ ୪
୩ଟି ରାଜନୈତିକ ଦଳ ପାଇଁ ଓଟିଭି ସମେତ ସବୁ ଚାନେଲରେ ୩ ଜଣ ବିଟ୍ ରିପୋର୍ଟର ରୁହନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ଓଟିଭିର ବିଟ୍ ରିପୋର୍ଟର ନାହାନ୍ତି । ବିଜେପି ରିପୋର୍ଟର କଂଗ୍ରେସ ପାଇଁ କାମ ଚଳାଏ । ଆଉ ଗୋଟିଏ ଟାର୍ଗେଟ୍-କଂଗ୍ରେସ ଫିନିସ୍ ହେଲେ, ବିଜେପିକୁ କେମିତି ଫାଇଦା ମିଳିବ!!! ଏଥିରୁ ଜାଣନ୍ତୁ: ଓଟିଭି କଂଗ୍ରେସକୁ କେଉଁ ଦୃଷ୍ଟିରେ ଦେଖେ!!!
କାରଣ ନଂ ୫
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଜେପିର କେନ୍ଦ୍ର କାର୍ଯ୍ୟକାରିଣୀ ସଭ୍ୟ ବ୍ରିଗେଡ଼ିୟର କେପି ସିଂହଦେଓ ହେଲେ ବୋଲି ଗୋଟିଏ ଦିନ ବ୍ରେକିଂ ଚଳାଇଲା ଓଟିଭି । ଏହା ସମଗ୍ର କଂଗ୍ରେସକୁ ତଟସ୍ଥ କଲା । ଏ ମିଛ ଖବରକୁ ବ୍ରିଗେଡ଼ିୟର କେପି ସିଂହଦେଓ ତୀବ୍ର ପ୍ରତିବାଦ କଲେ । ମାତ୍ର କେପିଙ୍କ ପ୍ରତିବାଦ ସ୍କ୍ରଲିଂଟିଏ ବି ଦେଲାନି ଓଟିଭି । କଂଗ୍ରେସକୁ ଧ୍ୱଂସ କରିବା ପାଇଁ ସତେ ଯେମିତି ପଣ କରିଛି ଓଟିଭି!!!
ବୈଜୟନ୍ତ ପଣ୍ଡା ଓ ଓଟିଭି ବିରୋଧରେ କଂଗ୍ରେସର ଅସନ୍ତୋଷ ନୂଆ ନୁହେଁ । ହେଲେ ଓଟିଭିର ପ୍ରଭାବ ଆଗରେ ଦଳ ସ୍ୱର ଉଠାଇବାକୁ ଡରୁଥିଲା । ମାତ୍ର ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ବୟକଟ୍ କଲା ପରେ ଦଳର ସୋସିଆଲ୍ ମିଡ଼ିଆ ସମେତ ଅସନ୍ତୋଷରେ ଚାପି ହୋଇରହିଥିବା କଂଗ୍ରେସ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଓଟିଭିକୁ ପାନେ ଦେବା ପାଇଁ ସେମାନେ ଅଣ୍ଟା ଭିଡ଼ିଛନ୍ତି । ଦୁଇଦିନ ତଳେ ଓଟିଭିର ସଂଧ୍ୟା ବିତର୍କ ‘ ଛିଡୁଛି ହାତ !!!’ ସେମାନଙ୍କୁ ଅଧିକ ଉତକ୍ଷିପ୍ତ କରିଛି । ଓଟିଭିକୁ ତୁରନ୍ତ ବୟକଟ୍ କରିବା ପାଇଁ ନେତୃତ୍ୱ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି । ପିସିସି ନେତୃତ୍ୱ ଏହା ଉପରେ ଗୁରୁତର ସହ ଚିନ୍ତା କରୁଥିବା ପିସିସିର ଜନୈକ ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିନାହାନ୍ତି ।