ଭୁବନେଶ୍ୱର: ରାଜ୍ୟରେ ବଡ଼ ଅଜବ ଶାସନ ଚାଲିଛି । ନୂଆ ନୂଆ କ୍ଷମତା ପାଇଥିବା ନିର୍ଦ୍ଦିଷ୍ଟ ଅଫିସରଙ୍କ ଚାପରେ ଖୋଦ୍ ମନ୍ତ୍ରୀ ବି ଚେପା ହୋଇଯାଇଛନ୍ତି । ସରକାରୀ ବିଜ୍ଞାପନ ପ୍ରଦାନ ପାଇଁ ନିଉଜ୍ ୱେବ୍ ପୋର୍ଟାଲ୍ ଚୟନ ନିଷ୍ପତ୍ତିରେ ସଂପୃକ୍ତ ଅଫିସରଙ୍କ ଇଚ୍ଛା ଆଗରେ ମନ୍ତ୍ରୀ, ଫନ୍ତ୍ରୀ ହାର୍ ମାନିଛନ୍ତି । ମନ୍ତ୍ରୀଙ୍କ ପ୍ରସ୍ତାବ ନିର୍ଦ୍ଦିଷ୍ଟ ଲବି ଆଗରେ ଚେପା ହୋଇଯାଇଛି । ଓଡ଼ିଆ ୱେବ୍ ପୋର୍ଟାଲ୍ କୁ ପ୍ରୋତ୍ସାହନ ଦେବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବି କାଟୁ କରିନି । ଗୋଟେ ନିର୍ଦ୍ଦିଷ୍ଟ ଇଂରାଜୀ ୱେବ୍ ପୋର୍ଟାଲ୍ କୁ ସମର୍ଥନ ଓ ସହଯୋଗ କରିବାକୁ ଯାଇ ୧୬ ଟି ଓଡ଼ିଆ ୱେବ୍ ପୋର୍ଟାଲ୍ ର ଭବିଷ୍ୟତକୁ ବଳି ପକାଇ ଦିଆଯାଇଛି । ଘଟଣାଟି ଓଡ଼ିଆ ୱେବ୍ ପୋର୍ଟାଲ୍ ସାମ୍ବାଦିକମାନଙ୍କ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଛି । ଭବିଷ୍ୟତରେ ସରକାର ଓ ତାଙ୍କ ଦଳକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଅଧିକାଂଶ ଚେତାବନୀ ଦେଇଛନ୍ତି ।
ୱେବ୍ ପୋର୍ଟାଲ୍ ପାଇଁ ସରକାରୀ ବିଜ୍ଞାପନ ନୀତିରେ ମୂଳରୁ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ପୋର୍ଟାଲ୍ କୁ ଲକ୍ଷ୍ୟରେ ରଖି ନୀତି ଆପଣାଯାଇଛି । ଓଡ଼ିଆ ନିଉଜ୍ ୱେବ୍ ପୋର୍ଟାଲ୍ କୁ ପ୍ରୋତ୍ସାହନ ଲକ୍ଷ୍ୟରେ ସରକାର ଆଭିମୁଖ୍ୟ ରଖିଥିଲେ ବି ତାହା ମୋଡ଼ି ମକଚି ଦିଆଯାଇଛି । ୱେବ୍ ପୋର୍ଟାଲ୍ ର ପାଠକ ନିର୍ଦ୍ଧାରଣର ମାପକାଠି ଭାବେ ଗୁଗୁଲ୍ ଆନାଲିକଟସ୍ ଷ୍ଟୁଲ୍ସ କୁ ବ୍ୟବହାର କରିବା, ମାସିକ ୟୁନିକ୍ ଭିଜିଟର୍ କୁ ସର୍ବନିମ୍ନ ୧୫ ହଜାର ରଖିବା, ୱେବ୍ ପୋର୍ଟାଲ୍ ଅଫିସ୍ ରେ ଅନ୍ୟୁନ ୬ ଜଣ ଆନୁସଙ୍ଗିକ ଦରମାପ୍ରାପ୍ତ ସାମ୍ବାଦିକ କାମ କରିବା ଭଳି ନିୟମ ପ୍ରଣୟନ କରାଯାଇଛି । ଅନେକ ଓଡ଼ିଆ ନିଉଜ୍ ପୋର୍ଟାଲ୍ ଏହି ନୀତିରେ ଯୋଗ୍ୟତା ରଖୁଥିଲେ ମଧ୍ୟ ଅଜଣା କାରଣରୁ ସେମାନଙ୍କୁ ହତାଦର କରାଯାଇଛି ।
ପ୍ରଥମ ଥର ପାଇଁ ଗତ ଡିସେମ୍ବର ପ୍ରଥମ ସପ୍ତାହରେ ଏ ସମ୍ପର୍କିତ ବିଜ୍ଞାପନ ଓ ଟେଣ୍ଡର ଦରଖାସ୍ତ ଆହ୍ୱାନ କରାଯାଇଥିଲା । ‘ଏ’, ‘ବି’ ଏବଂ ‘ସି’ କାଟାଗୋରି କରାଯାଇ ସେତେବେଳେ ପୋର୍ଟାଲ୍ ର ମାସିକ ୟୁନିକ୍ ଭିଜିଟର୍ ସଂଖ୍ୟା ସର୍ବନିମ୍ନ ୧୦ ହଜାର ରଖାଯାଇଥିଲା । ନୀତି ନିୟମ ଭିତରେ ୧୯ ଜଣ ଆବେଦନ କରିଥିଲେ । ମାତ୍ର ସମସ୍ତଙ୍କ ଉପସ୍ଥିତିରେ ଡିସେମ୍ବର ୨୭ ତାରିଖରେ ଟେଣ୍ଡର(ବିଡ୍) ଲଫାପା ଖୋଲିବା ବେଳେ ବିନା କାରଣରେ ପ୍ରକ୍ରିୟାକୁ ବାତିଲ୍ କରିଦିଆଗଲା । ପୁନଶ୍ଚ ଜାନୁଆରୀ ୧୨ ତାରିଖରେ ଫ୍ରେସ୍ ଟେଣ୍ଡର ଆହ୍ୱାନ କରାଗଲା । ମାତ୍ର ସେଥିରେ ନିୟମକୁ ଆଉ ଟିକିଏ କଡ଼ା କରିଦିଆଗଲା । ପୋର୍ଟାଲ୍ ୟୁନିକ୍ ଭିଜିଟର୍ ସଂଖ୍ୟା ସର୍ବନିମ୍ନ ମାସିକ ୧୦ ହଜାରରୁ ୧୫ ହଜାରକୁ ବଢ଼ାଇ ଦିଆଗଲା । ଏହି ମାପଦଣ୍ଡ ଜାରି ପରେ ୨୩ ଜଣ ଆବେଦନ କରିଥିଲେ । ଜାନୁଆରୀ ୨୭ ତାରିଖରେ ସମସ୍ତଙ୍କ ଉପସ୍ଥିତିରେ ଯାଞ୍ଚ କଲାବେଳେ ୪ଟି ଆବେଦନକୁ ନାକଚ କରିଦିଆଗଲା । ୧୯ଟି ଆବେଦନକୁ ବିଚାର (ଫାଇନାନସିଆଲ୍ ବିଡ୍) ପାଇଁ ରଖାଗଲା । ମାତ୍ର ଫେବୃଆରୀ ୧୬ ତାରିଖରେ ଫାଇନାନସିଆଲ୍ ବିଡ୍ ଖୋଲିବା ବେଳେ ୧୬ ଟି ପୋର୍ଟାଲ୍ କୁ କାଟି ଦିଆଯାଇ ତିନୋଟି ପୋର୍ଟାଲ୍ କୁ ମନୋନୀତ କରାଗଲା । ଅନ୍ୟଗୁଡ଼ିକର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ବି ଦିଆଗଲା ।
ମାତ୍ର ଚୂଡ଼ାନ୍ତ ସରକାରୀ ନିଷ୍ପତ୍ତିରେ ସେହି ତିନୋଟି ପୋର୍ଟାଲ୍ କୁ ରଖାଯାଇଛି । ସେଥିରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ଗୋଟେ ଓଡ଼ିଆ ଓ ଗୋଟେ ଇଂରାଜୀ ପୋର୍ଟାଲ୍ ଥିବା ବେଳେ ଆଉ ଏକ ସଂସ୍ଥାର ଗୋଟେ ଇଂରାଜୀ ୱେବ୍ ପୋର୍ଟାଲ୍ କୁ ମିଶାଇ ସର୍ବମୋଟ ୩ ଟି ୱେବ୍ ପୋର୍ଟାଲ୍ ରହିଛି । ସମସ୍ତଙ୍କୁ ସର୍ବୋଚ୍ଚ ବର୍ଗ ‘ଏ’ କାଟାଗୋରି(୩୦ ହଜାରରୁ ଅଧିକ ୟୁନିକ୍ ଭିଜିଟର୍) ରେ ଅନ୍ତର୍ଭୁକ୍ତ କରାଯାଇଛି । କାଟ୍ ଖାଇଥିବା କିଛି ୱେବ୍ ପୋର୍ଟାଲ୍ ‘ଏ’ କିମ୍ବା ‘ବି’ କାଟାଗୋରିର ମାନ୍ୟତା ରଖୁଥିଲେ ମଧ୍ୟ କିଛି କାଗଜପତ୍ର ମାପଦଣ୍ଡକୁ କପ୍ଲାଇ କରିବାର ସୁଯୋଗ ଦିଆଯାଇ ନ ଯାଇ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । ଏହି ପ୍ରକ୍ରିୟାରେ ଆଦୌ ସ୍ୱଚ୍ଛତା ଅବଲମ୍ବନ କରାଯାଇନି ବରଂ ନିର୍ଦ୍ଦିଷ୍ଟ ପୋର୍ଟାଲ୍ କୁ ଆଖିରେ ରଖି ନୀତି, ନିୟମ ଓ ଚୟନ କରାଯାଇଛି ବୋଲି ଅଭିଯୋଗ ହୋଇଛି ।
ମିିଳିଥିବା ସୂଚନା ଅନୁଯାୟୀ ଏ ସମ୍ପର୍କିତ ଫାଇଲ୍ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖକୁ ଆସିଲା ପରେ ସେ ଚୟନରେ ଅସଙ୍ଗତି ଥିବା ଅନୁଭବ କରି ଫାଇଲ୍ ରେ ହାତ ମାରି ନ ଥିଲେ । ଏହା ଉପରେ ଅଧିକ ଆଲୋଚନା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ଫାଇଲ୍ ରେ ଦସ୍ତଖତ ମାରିବାକୁ ନିର୍ଦ୍ଦିଷ୍ଟ ଅଫିସର ତାଙ୍କ ଉପରେ ଚାପ ପକାଇଥିଲେ । ୧୫ ଦିନ କାଳ ଫାଇଲ୍ ଅଟକାଇ ରଖିବା ପରେ ମନ୍ତ୍ରୀ ଶେଷରେ ମୁଣ୍ଡ ନୂଆଁଇ ଫାଇଲ୍ ରେ ଦସ୍ତଖତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ନ ଥିବା ଅଭିଯୋଗ କରି ଓଡ଼ିଆ ୱେବ୍ ପୋର୍ଟାଲ୍ ମାଲିକମାନେ ମୁଖ୍ୟମନ୍ତ୍ରୀଙ୍କ ଅଫିସ, ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଏବଂ ନିଦେ୍ର୍ଦଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କୁ ଉଚିତ ନ୍ୟାୟ ଦେବାକୁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଏହାର ଫଳ ମିଳିନି ।