ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ବିଚ୍ ରାସ୍ତାରେ ମର୍ଡର ହୋଇଛି । ତାଙ୍କ ନିଜ ଘର କାମାକ୍ଷାନଗର ଟାଉନ୍ ରେ ଆଜି କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଗୁଳି ଓ ବୋମାମାଡ଼ କରିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ଏହି ଘଟଣାକୁ ନେଇ କାମାକ୍ଷାନଗର ଅଶାନ୍ତ ହୋଇପଡ଼ିଛି । ପୂର୍ବ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟା ବେଳେ ଯଶୋବନ୍ତ ନିଜ ଘରୁ ବାହାରି ଟାଉନ୍ କୁ ଯାଉଥିଲେ । ସେତେବେଳେ ତାଙ୍କ କାର୍ କୁ ଏକ ବୋଲେରୋ ଗାଡ଼ି ପିଛା କରୁଥିଲା । ଠିକ ଗାନ୍ଧିମନ୍ଦିର ପୂର୍ବରୁ ବୋଲେରୋ ଗାଡ଼ିରୁ ୪ ଜଣ ଯୁବକ ଅତିର୍କିତ ଭାବେ ଯଶୋବନ୍ତଙ୍କ ଗାଡ଼ି ଉପରକୁ ଗୁଳି ଓ ଫାୟାରିଂ କରିଥିଲେ । ଯଶୋବନ୍ତ ଜୀବନ ବିକଳରେ କାର୍ ରୁ ଓହ୍ଲାଇ ଦୌଡ଼ୁଥିବା ବେଳେ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ତାଙ୍କ ଉପରକୁ ୮ ରୁ ୧୦ ରାଉଣ୍ଡ ଫାୟାରିଂ କରିଥିଲେ । ଯଶୋବନ୍ତଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଅଙ୍ଗରେ ଗୁଳି ପଶିଯାଇଥିଲା । ଦୁର୍ବୃତ୍ତମାନେ ନିର୍ଭୟରେ ସେହି ରାସ୍ତାରେ ବୋମା ବର୍ଷଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ରକ୍ତାକ୍ତ ଯଶୋବନ୍ତଙ୍କୁ କାମାକ୍ଷାନଗର ହସ୍ପିଟାଲ୍ କୁ ନିଆଯାଇଥିଲେ ହେଁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୧୪ ମସିହାରେ ଯଶୋବନ୍ତଙ୍କ ଉପରେ ଅନୁରୂପ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତଙ୍କ ଗୁଳିମାଡରେ ସେ ଗୁରୁତର ଆହତ ହୋଇ କଟକବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । କିଛି ମାସ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ତାଙ୍କୁ ଦ୍ୱିତୀୟ ଥର ପାଇଁ ଦୁର୍ବୃତ୍ତମାନେ ହତ୍ୟା ଉଦ୍ୟମ କରି ସଫଳ ହୋଇଛନ୍ତି ।
ରାଜନୀତି ସହ ଯଶୋବନ୍ତ ଜଣେ ସଫଳ ବ୍ୟବସାୟୀ ଥିଲେ । ତାଙ୍କର ବିଭିନ୍ନ ବ୍ୟବସାୟ ଥିଲା । ଯୁବ ବିଜେଡ଼ିର ସଭାପତି ଭାବେ ତାଙ୍କର ଯଥେଷ୍ଟ ପତିଆରା ବି ଥିଲା । ୨୦୧୪ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ ପଛରେ ବ୍ୟବସାୟିକ ଶତ୍ରୁତା ଥିଲା ବୋଲି ସେତେବେଳେ ପୁଲିସ କହିଥିଲା । ତେବେ ଆଜି ତାଙ୍କୁ ହତ୍ୟା କରାଯିବା ପଛରେ ପୁଲିସ ଉଭୟ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତାକୁ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଯେଭଳି ଖସି ନ ଯାଆନ୍ତି ସେଥିପାଇଁ ସଂପୃକ୍ତ ସମସ୍ତ ରାସ୍ତାଗୁଡ଼ିକୁ ସିଲ୍ କରି ଦିଆଯାଇଥିବା ଢ଼େଙ୍କାନାଳ ଏସପି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଯଶୋବନ୍ତଙ୍କ ମର୍ଡର ପରେ ସମଗ୍ର ଢ଼େଙ୍କାନାଳ ଜିଲ୍ଲାରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି । କାମାକ୍ଷାନଗରରେ ତାଙ୍କ ସମର୍ଥକମାନେ ହସ୍ପିଟାଲ୍ ସମେତ ବିଭିନ୍ନ ସ୍ଥାନରେ ରୁଣ୍ଡ ହୋଇଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି ।