. ଓଟିଭିକୁ କଂଗ୍ରେସ ଦେଲା ଝଟକା
. ବିିଧାନସଭାରେ ତାରାଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍
. କାରଣଦର୍ଶାଅ ନୋଟିସ୍ ଜାରି ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ
. ବିଧାନସଭା ପ୍ରବେଶ ଓ ସିଧା ପ୍ରସାରଣ ଉପରେ ଲାଗିପାରେ ରୋକ୍
ଭୁୁବନେଶ୍ୱର: ଓଟିଭିକୁ ଆଜି ଏକ ବଡ଼ ଝଟକା ଲାଗିଛି । ବିଧାନସଭାରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି । ବାଚସ୍ପତି ଏହି ନୋଟିସ୍ କୁ ଗ୍ରହଣ କରିବା ସହିତ ଓଟିଭିକୁ କାରଣଦର୍ଶାଅ ନୋଟିସ୍ ଜାରି କରିବାକୁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା ପ୍ରବେଶ ଓ ସିଧା ପ୍ରସାରଣ ଅନୁମତିକୁ କାହିଁକି ବାତିଲ କରାଯିବନି ଓଟିଭି ତାହାର ଜବାବ ରଖିବାକୁ କୁହାଯିବ ।
ବାଚସ୍ପତିଙ୍କୁ ଦେଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ରେ ତାରା ଲେଖିଛନ୍ତି, ୧୯ ତାରିଖ ସଂଧ୍ୟାରେ(ଗତକାଲି) ଓଟିଭି ପ୍ରସାର କରିଥିବା ଖବର ବିଧାନସଭାର ଗାରିମା କ୍ଷୂର୍ଣ୍ଣ କରୁଛି । ଉକ୍ତ ଖବରରେ ‘ଗୃହ କିଏ ଚଲୋଉଛି’ କ୍ୟାପସନ୍ ଦିଆଯାଇଥିଲା । ବିଧାନସଭା କାର୍ଯ୍ୟବିଧି ଓ ନିୟମାବଳୀରେ ମାନ୍ୟବର ବାଚସ୍ପତିଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି । ବାଚସ୍ପତି ଯେଉଁ ବିଷୟରେ ଚାହିଁବେ ଗୃହର ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ବିଧାନସଭା ସଚିବଙ୍କ ସହ ପରାମର୍ଶ କରିପାରିବେ । ତେଣୁ ବାଚସ୍ପତି ଗୃହରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ପରାମର୍ଶ କରି କିଛି ଭୁଲ କରିନାହାନ୍ତି । ଓଟିଭିରେ ଯେଉଁଭଳି ଢ଼ଙ୍ଗରେ ଖବର ପ୍ରସାରଣ କରାଯାଇଛି ତାହା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡୁଛି । ଏହାଦ୍ୱାରା ଗୃହର କାର୍ଯ୍ୟଧାରା ଓ ପରିଚାଳନାକୁ ନେଇ ଲୋକଙ୍କୁ ଭୁଲ୍ ବାର୍ତ୍ତା ଦିଆଯାଇଛି । ଏହା ଗୃହର ସ୍ୱାଧିକାର ଭଙ୍ଗ କରିଥିବାରୁ ସଂପୃକ୍ତ ଟିଭି ଚାନେଲ ସଂସ୍ଥା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି ।
ବାଚସ୍ପତି ଉକ୍ତ ନୋଟିସ୍ କୁ ଗ୍ରହଣ କରି ଏହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଏହି ନୋଟିସ୍ ଆଧାରରେ ଓଟିଭି ସଂସ୍ଥାଠାରୁ କାରଣ ଦର୍ଶାଅ ଜବାବ ମାଗିବାକୁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ବିଧାନସଭା ପରିସରକୁ ପ୍ରବେଶ ପାଇଁ ଓଟିଭିକୁ ଦିଆଯାଇଥିବା ଅନୁମତି ଏବଂ ବିଧାନସଭା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁମତିକୁ କାହିଁକି ବାତିଲ କରା ନ ଯିବ ତାହାର ଜବାବ ମାଗିବାକୁ କୁହାଯାଇଛି ।
ସେପଟେ ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଏବଂ ବାଚସ୍ପତିଙ୍କ ରୁଲିଂ ଆସିବା ପରେ ଚାନେଲ ପକ୍ଷରୁ ଏହାର ବିରୋଧ ଆରମ୍ଭ ହୋଇଛି । ‘ସତ କହିଲାରୁ ବାଧିଲା’ ବୋଲି କୁହାଯାଇଛି । ପ୍ରସାରିତ ବିଧାନସଭା ଖବରରେ କିଛି ମିଛ ନାହିଁ ଓ ସବୁ ଖବର ସମସ୍ତଙ୍କୁ ଜାଣିବାର ଅଧିକାର ରହିଛି ବୋଲି ସଫେଇ ଦିଆଯାଇଛି । ଖାଲି ସେତିକି ନୁହେଁ, ତାରାଙ୍କ ବିରୋଧରେ ତାଙ୍କ କଂଗ୍ରେସ ବିଧାୟକଙ୍କୁ ଲଗେଇ ଦେଇଛି ଚାନେଲ୍ ।
ଏହା ସମସ୍ତେ ଜାଣନ୍ତି ଯେ ବିଜେଡ଼ିରୁ ବିଜେଡ଼ିରୁ ପର ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏହି ଚାନେଲ ବିଜେଡ଼ି ବିରୋଧରେ ଦିନରାତି ପ୍ରଚାରରେ ଲାଗିଥିବାରୁ କଂଗ୍ରେସ ଓ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ବିଜେଡ଼ି ବିରୋଧରେ କଂଗ୍ରେସ ଓ ବିଜେପି ନେତାଙ୍କ ପ୍ରତିଟି କଥାକୁ ଉକ୍ତ ଚାନେଲ୍ ଗୁରୁତ୍ୱ ର ସହ ପ୍ରସାର କରୁଥିବା ବେଳେ କଂଗ୍ରେସ ମୁଖ୍ୟ ସଚେତକ ଚାନେଲ୍ ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବା ବିଲକୁଲ ସହ୍ୟ ହୋଇନି । କଂଗ୍ରେସ ମୁଖ୍ୟ ସଚେତକଙ୍କ ଏଭଳି କାର୍ଯ୍ୟ ପଛରେ ବିଜେଡ଼ିର ହାତ ଅଛି ଏବଂ ଏହା କଂଗ୍ରେସର ଦଳୀୟ ମତ ନୁହେଁ ବୋଲି ଚାନେଲ ପକ୍ଷରୁ ପ୍ରଚାର ହେଉଛି । ତେବେ ତାରା ତାଙ୍କ କଥାରେ ଅଟଳ ଅଛନ୍ତି ।